ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ହାତୀ ଏବଂ ଘରଚଟିଆ କଥା

       ଏହା ଶୁଣିସାରିବାପରେ ଘରଚଟିଆଟି କହିଲା, ‘ଭାଇ! ତୁମେ ଠିକ୍ କହୁଛ । କିନ୍ତୁ ଦୁଷ୍ଟ ହାତୀଟି ଯେ ମୋର ସନ୍ତାନ ମାନଙ୍କୁ ମାରିଦେଇଛି ଏହି କଷ୍ଟ ସହ୍ୟ କରିବା ମୋ ପକ୍ଷରେ ଅତ୍ୟନ୍ତ କଷ୍ଟକର । ତୁମେ ଯଦି ମୋର ପ୍ରକୃତ ବନ୍ଧୁ ତା’ହେଲେ ମୋ ପାଇଁ ଏକ ଉପାୟ ଚିନ୍ତାକର କିପରି ମୁଁ ଦୁଷ୍ଟ ହାତୀକୁ ମାରି ପାରିବି’? କାଠହଣା ଚଢେଇ କହିଲା, ନିଶ୍ଚୟ କରିପାରିବ । ଜଣେ ଯଦି ବନ୍ଧୁକୁ ବିପଦ ସମୟରେ ସାହାଯ୍ୟ କରି ନପାରିଲା ତା’ହେଲେ ସେ ଉପଯୁକ୍ତ ବନ୍ଧୁ ପଦବାଚ୍ୟ ନୁହେଁ । ପୁତ୍ର ଯଦି ପିତାମାତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ନକରେ ସେ ଅଯୋଗ୍ୟ ବିବେଚିତ ହୁଏ । ଜଣେ ସେବକ ନିଜ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରି ଯୋଗ୍ୟ ବିବେଚିତ ହେଲାପରି ପତ୍ନୀ ନିଜ ପତି ପ୍ରତି ଯଥାର୍ଥ ଆନୁଗତ୍ୟ ପ୍ରଦର୍ଶନ ନକଲେ ନିଜେ ଅସୁଖୀ ହୋଇଥାଏ । ସେହିପରି ଏହି ଦୁନିଆରେ ସମସ୍ତେ ସୁଖ ସମୟରେ ତୁମ ପାଖରେ ଠିଆ ହୁଅନ୍ତି । କିନ୍ତୁ ଦୁଃଖ ସମୟରେ ଯେଉଁ ବ୍ୟକ୍ତି ତୁମ ପାଖରେ ଥାଏ, ସେ ହିଁ ଉପଯୁକ୍ତ ବନ୍ଧୁ ପଦବାଚ୍ୟ । ସେ ଯେଉଁ ବର୍ଗର ହୋଇଥାନ୍ତୁ ପଛେ । ସେ ହିଁ ଯଥାର୍ଥ ସମ୍ମାନର ପାତ୍ର । ତେଣୁ ତୁମର ବିପଦ ସମୟରେ ମୁଁ ନିଶ୍ଚୟ ତୁମକୁ ଯଥାସାଧ୍ୟ ସାହାଯ୍ୟ କରିବି । ତୁମେ ବର୍ତ୍ତମାନ ‘ବୀଣାରବ’ ନାମକ ଏକ ମାଛି ନିକଟକୁ ଯାଅ । ସେ ହିଁ ତୁମକୁ ସାହାଯ୍ୟ କରି ପାରିବେ ଏବଂ ଏହି ଦୁଷ୍ଟ ହାତୀକୁ ମାରିବାର ବାଟ ବତାଇ ଦେବେ ।

       ଘରଚଟିଆ ଏବଂ କାଠହଣା ‘ବୀଣାରବ’ ଙ୍କ ନିକଟକୁ ଯିବା ପାଇଁ ବାହାରିଲେ । ସେଠାରେ ପହଁଚିଲାପରେ କାଠହଣା କହିଲା, ‘ବନ୍ଧୁ’! ଘରଚଟିଆଟି ହେଉଛି ମୋର ଏକ ଘନିଷ୍ଠ ବନ୍ଧୁ । ଗୋଟିଏ ହାତୀ ସବୁ ସମୟରେ ତା’ର ଅଣ୍ଡା ଗୁଡିକୁ ନଷ୍ଟ କରୁଛି । ତେଣୁ ମୋର ବିଶ୍ୱାସ ତୁମେ ନିଶ୍ଚୟ ସେହି ଦୁଷ୍ଟ ହାତୀକୁ ମାରିବାରେ ଆମ୍ଭମାନଙ୍କୁ ସାହାଯ୍ୟ କରିପାରିବ ।

       ଏହା ଶୁଣି ବୀଣାରବ କହିଲା ‘ମୁଁ ନିଶ୍ଚୟ ତୁମ ମାନଙ୍କର ବନ୍ଧୁ । କିନ୍ତୁ ମୋର ମେଘନାଦ (ବେଙ୍ଗ) ନାମକ ଜଣେ ବନ୍ଧୁ ଅଛନ୍ତି । ଯିଏ କି ତୁମମାନଙ୍କୁ ଏହି ବିପଦରୁ ରକ୍ଷା କରିପାରିବ ।

       ଏହାପରେ ସଭିଏଁ ମେଘନାଦ ବେଙ୍ଗ ପାଖକୁ ବାହାରିଲେ ଏବଂ ଏ ପର୍ଯ୍ୟନ୍ତ ଯାହା ଯାହା ଘଟିଛି ସବୁ କଥା ବର୍ଣ୍ଣନା କଲେ । ସେମାନଙ୍କ କଥା ଶୁଣି ମେଘନାଦ କହିଲା, ‘ଆମେ ସମସ୍ତେ ଯଦି ଏକଜୁଟ୍ ହୋଇ କାର୍ଯ୍ୟ କରିବା ତା’ହେଲେ ହାତୀ ଆମର କିଛି କରିପାରିବ ନାହିଁ । ତେଣୁ ମୁଁ ତୁମ୍ଭମାନଙ୍କୁ ଏକ ଉପାୟ ବତାଇ ଦେଉଛି । ବୀଣାରବ ତୁମେ ବର୍ତ୍ତମାନ ମୋ କଥା ଶୁଣ । ଯେତେବେଳେ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଯିବେ, ସେତେବେଳେ ବୀଣାରବ ତୁମେ ପ୍ରଥମେ ହାତୀର କାନ ପାଖରେ ଗୁଣୁ ଶବ୍ଦ କରିବ । ଏହି ଶବ୍ଦ ଶୁଣିବା ପରେ ହାତୀ ଆଖି ଫିଟାଇ ଚାହିଁବ । ଏହାପରେ କାଠହଣା ତୁମେ ତୁମର ଥଂଟ ସାହାଯ୍ୟରେ ହାତୀର ଆଖିକୁ ଖୁମ୍ପି ଖୁମ୍ପି ନଷ୍ଟ କରିଦେବ । ଏହାପରେ ନିକଟରେ ଥିବା ଏକ କାଦୁଅ ଗାତ ନିକଟରେ ବସି ମୁଁ କର୍କଶ ସ୍ୱରରେ ଶବ୍ଦ କରିବି । ଯେତେବେଳେ ହାତୀଟି ଶୋଷିଲା ଅନୁଭବ କରିବ, ସେହି ସମୟରେ ସେ ମୋ ରାବ ଶୁଣି ଭାବିବ ନିକଟରେ ଏକ ଜଳାଶୟ ନିଶ୍ଚୟ ଅଛି । ତେଣୁ ସେ ଜଳର ସନ୍ଧାନରେ ନିଶ୍ଚୟ କାଦୁଅ ପୂର୍ଣ୍ଣ ଗାତ ନିକଟକୁ ଆସିବ । ଜଳ ପିଇବା ପାଇଁ ତଳକୁ ଓହ୍ଲାଇବା ମାତ୍ରକେ ଏହି ଗାତ ଭିତରେ ପଡିଯିବ । କିଛି ସମୟ ଛଟପଟ ହୋଇ ଶେଷରେ ହାତୀଟି ମରିଯିବ ।

       ମେଘନାଦଙ୍କର ଏହି କଥା ପ୍ରତି ସମସ୍ତେ ସହମତି ପ୍ରକାଶ କଲେ ଏବଂ ତାଙ୍କରି କଥା ଅନୁସାରେ କାର୍ଯ୍ୟ ହେଲା । ହାତୀଟି ତା’ର ଚକ୍ଷୁ ହରାଇ କାଦୁଅ ଗାତଟିକୁ ଏକ ଜଳାଶୟ ବୋଲି ଭାବି ସେଠାରେ ପଡି ମୃତ୍ୟୁବରଣ କଲା । ଏହାପରେ ମା’ ପକ୍ଷୀଟି କହିଲା, ‘ମୁଁ କ’ଣ କହୁଥିଲି : ଯଦି ଆମେ ସମସ୍ତେ ମିଳିମିଶି କୌଣସି କାର୍ଯ୍ୟ କରିବା ସେ କାର୍ଯ୍ୟରେ ନିଶ୍ଚୟ ଆମ୍ଭେମାନେ ଜୟଯୁକ୍ତ ହେବା । ଦେଖିଲତ! କିପରି ଘରଚଟିଆ, କାଠହଣା, ମାଛି ଏବଂ ବେଙ୍ଗ ସମସ୍ତେ ମିଳିମିଶି ବିରାଟକାୟ ହାତୀକୁ ମାରିପାରିଲେ । ଏହା ଶୁଣି ସାରି ପୁରୁଷ ପକ୍ଷୀଟି କହିଲା, ‘ତୁମେ ଠିକ୍ କହିଛ । ତେଣୁ ମୁଁ ମୋର ବନ୍ଧୁମାନଙ୍କ ସହଯୋଗରେ ଏହି ସମୁଦ୍ରର ଜଳକୁ ଶୁଖାଇ ଦେଇ ପାରିବି ।

       ଏହାପରେ ପୁରୁଷ ପକ୍ଷୀଟି ‘ହଂସ, ସାରସ ଏବଂ ମୟୁର ଇତ୍ୟାଦି ଯେଉଁମାନେକି ତା’ର ଘନିଷ୍ଠ ବନ୍ଧୁ ସେମାନଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲା ଏବଂ କହିଲା, ‘ବନ୍ଧୁଗଣ! ଏହି ବିଶାଳ ସମୁଦ୍ର ଆମ ପକ୍ଷୀସମାଜକୁ ଅପମାନିତ କରିଛି । ସେ ବାରମ୍ବାର ଆମର ଅଣ୍ଡା ଗୁଡିକୁ ନଷ୍ଟ କରୁଛି । ତେଣୁ କିଛି ଗୋଟିଏ ଉପାୟ ବାହାର କର ଯାହାଦ୍ୱାରା କି ଆମେ ଏହି ସମୁଦ୍ରର ଜଳରାଶିକୁ ଶୁଖାଇ ଦେଇ ପାରିବା ।

         ଏହି ସମସ୍ୟାର ସମାଧାନ କରିବା ପାଇଁ ପକ୍ଷୀମାନଙ୍କ ମଧ୍ୟରେ ନାନାଦି ଆଲୋଚନା ଚାଲିଲା । ସେମାନେ କହିଲେ ସାଗରର ଅଗାଧ ଜଳରାଶିକୁ ଶୁଖାଇବା ଆମ ପରି କ୍ଷୁଦ୍ର ଜୀବ ମାନଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର କାର୍ଯ୍ୟ । ତେଣୁ ଚାଲ, ଆମେ ସମସ୍ତେ ଆମର ରାଜା ଗରୁଡଙ୍କ ନିକଟରେ ଏହି କଥାକୁ ପ୍ରକାଶ କରିବା । ସେ ଯଦି ଚାହିଁବେ ଆମର ସମସ୍ୟା ସମାଧାନ ହୋଇପାରିବ । ଏହାପରେ ପକ୍ଷୀମାନେ ସମସ୍ତେ ତାଙ୍କର ଦୁଃଖଦ ମୁଖ ମଣ୍ଡଳ ଓ ଆଖିରେ ଆଖିଏ ଲୁହ ନେଇ ଗରୁଡଙ୍କ ନିକଟରେ ପହଁଚିଲେ ଏବଂ କହିଲେ, ‘ମହାରାଜ’! ଆପଣ ହେଉଛନ୍ତି ଏହି ପକ୍ଷୀ ସମାଜର ରକ୍ଷା କର୍ତ୍ତା । ଆପଣ ଆମ୍ଭମାନଙ୍କୁ ରକ୍ଷା କରନ୍ତୁ । ଗରୁଡ କହିଲେ, ‘ତୁମ୍ଭମାନଙ୍କର କ’ଣ କିଛି ଅସୁବିଧା ହୋଇଛି । ଯଦି କିଛି ଅସୁବିଧା ହୋଇଛି ମୋ ନିକଟରେ ବିନା ଦ୍ୱିଧାରେ ପ୍ରକାଶ କର । ମୁଁ ନିଶ୍ଚୟ ତୁମ୍ଭମାନଙ୍କୁ ସାହାଯ୍ୟ କରିବି ଗରୁଡଙ୍କ ଠାରୁ ଏହି କଥାଶୁଣି ଜଣେ ପକ୍ଷୀ କହିଲା ‘ଆମ୍ଭେମାନେ ବାସ କରୁଥିବା ସ୍ଥାନ ନିକଟରେ ମହା ସମୁଦ୍ର ଅବସ୍ଥିତ । ସମୁଦ୍ର ହିଁ ଆମ୍ଭମାନଙ୍କ ମଧ୍ୟରୁ ଜଣେ ପକ୍ଷୀର ଅଣ୍ଡା ବାରମ୍ବାର ନଷ୍ଟ କରୁଛି । ସମୁଦ୍ର ଯଦି ବାରମ୍ବାର ଏହିପରି କାର୍ଯ୍ୟ କରେ ତାହାହେଲେ ପକ୍ଷୀ ସମାଜ ଘୋର ଅସୁବିଧାର ସମ୍ମୁଖୀନ ହେବେ । ପକ୍ଷୀମାନଙ୍କ ଠାରୁ ସମସ୍ତ କଥା ଶୁଣିସାରିବା ପରେ ଗରୁଡ ‘ଚିନ୍ତାକଲେ ଯେ ପକ୍ଷୀମାନେ ଯାହା କହୁଛନ୍ତି ଠିକ୍ କହୁଛନ୍ତି । ତେଣୁ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରିବା ଉଚିତ୍’ ।

         ଏହି କଥା ଚିନ୍ତା କରୁଥିବା ସମୟରେ ଭଗବାନ ବିଷ୍ଣୁଙ୍କର ଏକ ଦୂତ ଆସି ଗରୁଡଙ୍କ ନିକଟରେ ପହଁଚିଲେ ଏବଂ କହିଲେ, ‘ପ୍ରିୟ ଗରୁଡ ଭଗବାନ ବିଷ୍ଣୁ ମୋତେ ଆପଣଙ୍କ ନିକଟକୁ ପଠାଇଛନ୍ତି । ଯଥା ଶୀଘ୍ର ତୁମକୁ ମୋ ସହିତ ବିଷ୍ଣୁଙ୍କ ନିକଟକୁ ଯିବାକୁ ପଡିବ । ଏହା ଶୁଣି ଗରୁଡ କହିଲେ, ‘ବିଷ୍ଣୁ କ’ଣ ମୋତେ ଭାବୁଛନ୍ତି? ମୁଁ କ’ଣ ତାଙ୍କର ଜଣେ ସାଧାରଣ ସେବକ? ତେଣୁ ତୁମେ ପ୍ରଥମେ ତାଙ୍କୁ ମୋର ସମ୍ମାନ ଜଣାଇବା ସହିତ, ମୋ ସ୍ଥାନରେ ଅନ୍ୟ ଜଣେ ସେବକଙ୍କୁ ରଖିବା ପାଇଁ କହିବ । ଦୂତଟି ଗରୁଡଙ୍କୁ ପଚାରିଲା, ଏପରି କହିବାଟା ଠିକ୍ ହେବ ନାହିଁ । ତେଣୁ ତୁମେ ପ୍ରଥମେ ମୋତେ ତୁମର କ୍ରୋଧାନ୍ୱିତ ହେବାର କାରଣ କ’ଣ କୁହ? ଗରୁଡ କହିଲେ, ‘ସାଗର ହେଉଛି ଭଗବାନ ବିଷ୍ଣୁଙ୍କର ଆଶ୍ରୟସ୍ଥଳୀ । ସେହି ସାଗର ଆଉ କିଛି ଦିନଗଲେ ଆମର ପକ୍ଷୀ ସମାଜର ଧ୍ୱଂସର କାରଣ ହେବ । କାହିଁକିନା ଦୁଇଟି ପକ୍ଷୀ ବହୁବାର ସାଗରର ବେଳାଭୂମିରେ ଅଣ୍ଡା ଦେଉଥିଲେ ମଧ୍ୟ ସାଗରର ଲହରୀ ସେଗୁଡିକୁ ନଷ୍ଟ କରି ଦେଉଛି । ତେଣୁ ଭଗବାନ ବିଷ୍ଣୁ ସାଗରକୁ ଆଦେଶ ଦିଅନ୍ତୁ ଯେ ସେ ଯେପରି ପକ୍ଷୀ ଦୁଇଟିଙ୍କର ଅଣ୍ଡାକୁ ଫେରାଇ ଦେବେ । ଯଦି ଏହା ସେ ନ କରନ୍ତି ତା’ହେଲେ ମୁଁ ତାଙ୍କର ସେବକ ପଦବୀକୁ ପ୍ରତ୍ୟାଖ୍ୟାନ କରିବି । ଏହା ହେଉଛି ମୋର ଶେଷ କଥା । ତେଣୁ ତୁମେ ଯଥା ଶୀଘ୍ର ଏଠାରୁ ଯାଇ ଭଗବାନ ବିଷ୍ଣୁଙ୍କୁ ମୋର ମନ କଥା ଜଣାଇ ଦିଅ ।

       ଦୂତ ନିକଟରୁ ଏହି କଥା ଶୁଣିସାରିବାପରେ ଭଗବାନ ବିଷ୍ଣୁ ବାହାରିଲେ ପ୍ରିୟ ସେବକ ଗରୁଡଙ୍କ ନିକଟକୁ । ଗରୁଡଙ୍କ ନିକଟରେ ପହଁଚି କହିଲେ, ‘ପ୍ରିୟ ଗରୁଡ,! ମୁଁ ଜାଣିଛି ତୁମେ ମୋ ଉପରେ ଅଭିମାନ କରିଛ ।’ ଗରୁଡ ଯେତେବେଳେ ସ୍ୱୟଂ ଭଗବାନଙ୍କୁ ନିଜ ସମ୍ମୁଖରେ ଦେଖିଲେ ମଥାନତ କରି ପ୍ରଥମେ ପ୍ରଭୁଙ୍କୁ ପ୍ରଣାମ ଜଣାଇଲେ ଏବଂ ପକ୍ଷୀ ସମାଜ ସମ୍ମୁଖୀନ ହୋଇଥିବା ଅସୁବିଧା ସଂପର୍କରେ ପ୍ରଭୁଙ୍କୁ ଅବଗତ କରାଇଲେ । ପ୍ରଭୁ ଶୁଣିସାରି ଗରୁଡଙ୍କୁ ନିର୍ଭର ପ୍ରତିଶୃତି ଦେଇ କହିଲେ ‘ତୁମେ ନିଶ୍ଚିନ୍ତରେ ରୁହ । ତୁମର କୌଣସି ଅସୁବିଧା ହେବ ନାହିଁ । ପକ୍ଷୀଦୁଇଟି ନିଶ୍ଚୟ ତାଙ୍କର ଅଣ୍ଡା ଫେରି ପାଇବେ । ଏହା କହିସାରି ବିଷ୍ଣୁ ସାଗର ସମ୍ମୁଖରେ ଯାଇ ପହଁଚିଲେ । ସାଗରକୁ ଆଦେଶଦେଲେ ଯେତେ ଶୀଘ୍ର ପକ୍ଷୀ ଦମ୍ପତିଙ୍କ ଅଣ୍ଡାକୁ ଫେରାଇ ଦେବା ପାଇଁ । ଯଦି ସେ ତାଙ୍କ ଆଦେଶକୁ ଅବମାନନା କରନ୍ତି ତା’ହେଲେ ସାଗରର ଜଳାରାଶିକୁ ସେ ଶୁଖାଇ ଦେବେ । ଏହା ଶୁଣିବା ପରେ ସାଗର ଭୟଭୀତ ହୋଇ ସଂଗେ ସଂଗେ ପକ୍ଷୀ ଦମ୍ପତିଙ୍କର ଅଣ୍ଡା ଗୁଡିକୁ ଭଗବାନଙ୍କୁ ଫେରାଇ ଦେଲା ।

       କାହାଣୀଟି ଶୁଣାଇ ସାରିବା ପରେ ‘ଦମନକ’କହିଲେ, ‘ସେଥିପାଇଁ ମୁଁ କହିଥିଲି, ଯିଏ ଯେଉଁ ଶତ୍ରୁକୁ ଆକ୍ରମଣ କରେ ସେ ପ୍ରଥମେ ଶତ୍ରୁର ଶକ୍ତି ସଂପର୍କରେ ଜାଣି ରଖିବା ଆବଶ୍ୟକ ନଚେତ୍ ଶତ୍ରୁ ନିକଟରୁ ପରାଜିତ ହେବା ହିଁ ସାର ହୋଇଥାଏ । ଯେପରି ସମୁଦ୍ର ପକ୍ଷୀ ମାନଙ୍କ ନିକଟରୁ ପରାଜିତ ହୋଇଥିଲା । ସଂଜୀବକ ଏହା ଶୁଣି ସାରି ପୁଣିଥରେ ଦମନକଙ୍କୁ ପଚାରିଲେ, ‘ବନ୍ଧୁ’! ମୁଁ କିପରି ଜାଣିବି ଯେ ପିଙ୍ଗଳକ ମୋତେ ବିପଦରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି । ସେ’ତ ସବୁ ସମୟରେ ମୋ ସପକ୍ଷରେ କଥା କୁହନ୍ତି । ମୁଁ ତ’ କେବେହେଲେ ମୋ ପ୍ରତି ତାଙ୍କ ମନରେ ଥିବା କୌଣସି ଶତ୍ରୁତାଭାବ ଦେଖି ପାରିନାହିଁ ।

       ‘ଦମନକ’ କହିଲେ ‘ବନ୍ଧୁ’ । ‘ଆଜି ପର୍ଯ୍ୟନ୍ତ ଦେଖି ନଥିଲ, ହେଲେ ଏବେ ଯଦି ତୁମେ ତାଙ୍କ ସମ୍ମୁଖରେ ଯାଇ ପହଁଚିବ ତା’ହେଲେ ଦେଖିବ ତାଙ୍କ ଆଖି ଯୋଡିକ ରାଗରେ ଲାଲ୍ ପଡି ଯାଇଥିବ । ସେ ତୁମକୁ ଦେଖିବା ମାତ୍ରକେ ଜିଭ ଦୁଇଟିକୁ ଆଗକୁ ପଛକୁ ଲହ ଲହ କରୁଥିବେ । ଯଦି ତୁମେ ମହାରାଜଙ୍କ ଠାରେ ଏହି ଲକ୍ଷଣ କିଛି ନ ଦେଖ ତା’ହେଲେ ଜାଣିବ ଯେ ସେ ତୁମପ୍ରତି ସନ୍ତୁଷ୍ଟ ଅଛନ୍ତି’ । ବନ୍ଧୁ! ବର୍ତ୍ତମାନ ମୁଁ ମୋ ଘରକୁ ଯାଉଛି । ଏହା କହି ଦମନକ ସଂଜୀବକଙ୍କ ନିକଟରୁ ବିଦାୟ ନେଇ କାରାତକଙ୍କ ନିକଟରେ ଆସି ପହଁଚିଲେ ।

       କାରାତକ ଦମନକଙ୍କୁ ଦେଖି ପଚାରିଲେ, ‘ବନ୍ଧୁ’! କେମିତି ଆପଣଙ୍କର ହଠାତ୍ ଆଗମନ ହେଲା? ଦମନକ କହିଲେ, ‘ବନ୍ଧୁ’! ଜାଣିଛ ଏକ ସୁଖବର ଅଛି । ସଂଜୀବକ ଏବଂ ପିଙ୍ଗଳକ ଉଭୟଙ୍କ ମଧ୍ୟରେ ମୁଁ ଶତ୍ରୁତାର ବୀଜ ପୋତି ଦେଇ ସାରିଛି । ବର୍ତ୍ତମାନ ଖାଲି ଦେଖିବାକୁ ବାକି ରହିଲା ପରବର୍ତୀ ସମୟରେ ଏହାର ପରିଣାମ କ’ଣ ହେବ? କାରାତକ କହିଲେ ‘ତୁମେ କିପରି ଏହି କାର୍ଯ୍ୟ କରିବାକୁ ସଫଳ ହୋଇ ପାରିଲ’ । ଦମନକ କହିଲେ, ମୁଁ ଉଭୟଙ୍କୁ ଉଭୟଙ୍କ ନାମରେ ମିଛ କହି ସେମାନଙ୍କ ମନରେ କ୍ରୋଧ ଜାଗ୍ରତ କରି ପାରିଛି ।

       ‘କାରାତକ’ କହିଲେ, ‘ତୁମେ ଯାହା କରିଛ, କିଛି ଠିକ୍ କରିନାହଁ । ଧ୍ୱଂସ କରିବା ଅତ୍ୟନ୍ତ ସହଜ କିନ୍ତୁ ସୃଷ୍ଟି କରିବା କଷ୍ଟ । ପବନ ଯେପରି ତା’ର ଶକ୍ତି ସାହାଯ୍ୟରେ ଗଛଟିକୁ ଉପାଡି ଦେଇ ନଷ୍ଟ କରିପାରେ ସତ, କିନ୍ତୁ ଗଛଟିକୁ ଯତ୍ନ ନେଇ ବଢାଇ ପାରେ ନାହିଁ । ତେଣୁ ଜଣେ ସ୍ୱାର୍ଥପର ଖଳ ବୁଦ୍ଧି ସଂପନ୍ନ ବ୍ୟକ୍ତି ସଂପର୍କକୁ ଭାଙ୍ଗିବାକୁ ଚେଷ୍ଟା କରିଥାଏ । ‘ଦମନକ’ କହିଲେ, ‘କାରାତକ’! ‘ତୁମେ ନୀତିଶାସ୍ତ୍ର ସଂପର୍କରେ କିଛି ଜାଣି ନାହଁ’। ତେଣୁ ତୁମେ ଏପରି କଥା କୁହନାହିଁ । ନୀତି ଶାସ୍ତ୍ରରେ ଉଲ୍ଲେଖ ରହିଛି, “ଶତ୍ରୁକୁ ଯଥାଶୀଘ୍ର ଦମନ କରିବା ଏବଂ ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ତା’ର ଉପଚାର କରିବା ଆବଶ୍ୟକ ।” ‘ସଂଜୀବକ’ ହେଉଛନ୍ତି ଆମର ଶତ୍ରୁ । ମୁଁ ତାଙ୍କୁ ମାରିବାର ଉପାୟ କରିଛି । ଯଦି ସେ ମୃତ୍ୟୁବରଣ ନ କରନ୍ତି ତା’ହେଲେ ସେ ଏହି ଜଂଗଲ ତ୍ୟାଗ କରି ଅନ୍ୟତ୍ର ନିଶ୍ଚୟ ପଳାୟନ କରିବେ । ତୁମେ ହେଉଛ ଏକମାତ୍ର ବ୍ୟକ୍ତି ଯିଏ କି ଏହି ବିଷୟରେ ଜାଣିଛ । ତେଣୁ ଆମ୍ଭ ନିକଟରେ ଏକମାତ୍ର ଲକ୍ଷ୍ୟ ହେଉଛି, ଆମ୍ଭେମାନେ କିପରି ଆମର ଲକ୍ଷ୍ୟ ପୂରଣ କରିପାରିବା । ସଂଜୀବକ ମୃତ୍ୟୁ ବରଣ କଲେ ଆମେ ଦୁଇଆଡୁ ଲାଭବାନ ହେବା । ପ୍ରଥମେ ରାଜାଙ୍କ ନିକଟରେ ଆମେ ବିଶ୍ୱାସୀ ହୋଇ ମନ୍ତ୍ରୀପଦ ପାଇପାରିବା । ଦ୍ୱିତୀୟରେ ଆମକୁ କିଛିଦିନ ପାଇଁ ଏକ ତୃଣଭୋଜୀ ପ୍ରାଣୀର ମାଂସ ଖାଇବାକୁ ମିଳିପାରିବ । ଜଣେ ଧୂର୍ତ ଖଳ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସର୍ବଦା ଅନ୍ୟକୁ କଷ୍ଟ ଦେଇ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଇଚ୍ଛା କରୁଥାଏ ଯେପରିକି ଜଂଗଲରେ ଚତୁରକ ନାମକ ଶୃଗାଳ କରୁଥିଲା ।

       ‘କାରାତକ’ ପଚାରିଲେ କିପରି ଚତୁରକ କରୁଥିଲା? ‘ଦମନକ’ ଗଳ୍ପ କହିବା ଆରମ୍ଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ