ଦିନେ ସବୁ ଠେକୁଆ ଏକଜୁଟ୍ ହୋଇ ଏକ ସଭା କଲେ । କିପରି ହାତୀମାନଙ୍କର ଉପଦ୍ରବରୁ ଉଦ୍ଧାର ପାଇବେ ଚିନ୍ତାକଲେ । ଜଣେ ଠେକୁଆ କହିଲା ‘ହାତୀମାନେ ଏଠାକୁ ସବୁଦିନ ପାଣି ପିଇବା ପାଇଁ ଆସିବେ । ଜଳ କିନ୍ତୁ ତାଙ୍କ ନିକଟକୁ ଯିବ ନାହିଁ । ସେମାନେ ଯଦି ଏଠାକୁ ସବୁଦିନ ଆସନ୍ତି ତା’ହେଲେ ଆମ୍ଭେମାନେ ହିଁ ହଇରାଣ ହେବା । ତେଣୁ ଆମ୍ଭମାନଙ୍କୁ କିଛି ନା କିଛି କରିବା ପାଇଁ ପଡିବ ।’ ଠେକୁଆର କଥା ଶୁଣି, ଅନ୍ୟ ଏକ ଠେକୁଆ କହିଲା, “ଆମ୍ଭେମାନେ କଣ କରିପାରିବା? ତେଣୁ ସବୁଠାରୁ ଭଲ ହେବ ଆମ୍ଭେମାନେ ଚାଲ ଏହି ସ୍ଥାନ ଛାଡି ଅନ୍ୟତ୍ର ପଳାଇଯିବା । ଠେକୁଆର ଏହି କଥା କେତେ ଜଶଙ୍କୁ ଭଲ ଲାଗିଲା ନାହିଁ ।” ସେମାନଙ୍କ ମଧ୍ୟରୁ ଜଣେ ବାହାରି ପଡି କହିଲା, “ଆମ୍ଭେମାନେ ଏହି ସ୍ଥାନରେ ଆମ ପୂର୍ବପୁରୁଷଙ୍କ ଅମଳରୁ ରହି ଆସିଛୁ । ଆମ୍ଭେମାନେ ଏଠାରେ ପ୍ରାଣତ୍ୟାଗ କରିବୁ ପଛେ ଏହି ସ୍ଥାନ ଛାଡି ଅନ୍ୟତ୍ର ଯିବୁ ନାହିଁ । ଆମ୍ଭେମାନେ ଏପରି କିଛି ଉପାୟ କରିବା ଯାହା ଦ୍ୱାରା କି ହାତୀମାନେ ଆଉ କେବେ ଏହି ସ୍ଥାନକୁ ଆସିବା ପାଇଁ ମନ ବଳାଇବେ ନାହିଁ ।”
ଜଣେ ଚତୁର ଠେକୁଆ ବାହାରି ପଡି କହିଲା, ‘ମୋ ମନକୁ ଏକ ଉପାୟ ଆସୁଛି । ଆମ୍ଭମାନଙ୍କର ରାଜା ବିଜୟ ଦତ ଚନ୍ଦ୍ର ମଣ୍ଡଳରେ ବାସ କରୁଛନ୍ତି । ଆମ୍ଭମାନଙ୍କ ମଧ୍ୟରୁ ଜଣେ ହାତୀମାନଙ୍କ ନିକଟକୁ ଯିବ, ଏବଂ କହିବ, “ଚନ୍ଦ୍ରଦେବଙ୍କର ବନ୍ଧୁ, ପରିଜନ ଗଣ ଏହି ହ୍ରଦ ନିକଟରେ ବାସ କରୁଛନ୍ତି । ଚନ୍ଦ୍ରଦେବ କହିଛନ୍ତି, ହାତୀମାନେ ଏଠାକୁ ଆସି ଯଦି ତାଙ୍କ ପରିଜନମାନଙ୍କୁ ହଇରାଣ କରନ୍ତି ତା’ହେଲେ ଚନ୍ଦ୍ରଦେବଙ୍କ କୋପରୁ ସେମାନେ ପ୍ରାଣତ୍ୟାଗ କରିବେ । ଏହି କଥାଟି ସମସ୍ତଙ୍କ ମନକୁ ପାଇଲା । ଠେକୁଆ ମାନଙ୍କ ମଧ୍ୟରେ ସବୁଠାରୁ ଚତୁର ଠେକୁଆ ହେଉଛି ଲମ୍ବକର୍ଣ୍ଣ । ତେଣୁ ସମସ୍ତେ ଠିକ୍କଲେ ‘ଲମ୍ବକର୍ଣ୍ଣ’ ହିଁ ହାତୀମାନଙ୍କ ନିକଟକୁ ଯିବେ । ତହିଁ ଆରଦିନ ସକାଳୁ ଲମ୍ବକର୍ଣ୍ଣ ହାତୀମାନଙ୍କ ନିକଟକୁ ଯିବାକୁ ବାହାରିଲେ । ସେ ସିଧାଯାଇ ହାତୀମାନଙ୍କର ରାଜା ଚର୍ତୁଦନ୍ତଙ୍କ ନିକଟରେ ପହଁଚିଲେ । ଚର୍ତୁଦନ୍ତଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି କହିଲେ, ‘ମହାରାଜ’ ମୁଁ ହେଉଛି ଲମ୍ବକର୍ଣ୍ଣ । ଚନ୍ଦ୍ରଦେବତାଙ୍କ ଦୂତ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବା ପାଇଁ ସ୍ୱୟଂ ଚନ୍ଦ୍ରଦେବ ମୋତେ ଏଠାକୁ ପଠାଇଛନ୍ତି ।
ଚର୍ତୁଦନ୍ତ କହିଲେ, ‘ଚନ୍ଦ୍ରଦେବ କ’ଣ କହିଛନ୍ତି, ମୋତେ ଯଥାଶୀଘ୍ର କୁହ । ମୁଁ ତାଙ୍କର ସବୁ ଆଦେଶ ମାନିବାକୁ ରାଜି ଅଛି ।’ ଲମ୍ବକର୍ଣ୍ଣ ତ’ ସୁଯୋଗ ଅପେକ୍ଷାରେ ଥିଲେ । ସେ ସଂଗେ ସଂଗେ କହିଲେ ‘ଆପଣମାନେ ଯଦି ବଂଚିବାକୁ ଚାହୁଁଥାନ୍ତି ତା’ହେଲେ କଦାପି ସେହି ହ୍ରଦ ନିକଟକୁ ଯିବେ ନାହିଁ । ଗତକାଲି ଆପଣ ଅନୁଚର ବର୍ଗଙ୍କ ସହିତ ହ୍ରଦକୁ ଯିବା ସମୟରେ ଠେକୁଆ ମାନଙ୍କର ବାସସ୍ଥାନ ନଷ୍ଟ କରିବା ସହିତ, କେତେକଙ୍କୁ ମଧ୍ୟ ମାରି ଦେଇଛନ୍ତି । ଚର୍ତୁଦନ୍ତ ଠେକୁଆର କଥା ଶୁଣି ଭୟଭୀତ ହୋଇ ପଚାରିଲେ, ‘ତୁମର ଭଗବାନ ଚନ୍ଦ୍ରଦେବ କେଉଁଠାରେ ଅଛନ୍ତି’? ଚତୁର ଠେକୁଆଟି କହିଲା, ‘ପ୍ରଭୁ ବର୍ତ୍ତମାନ ଠେକୁଆ ମାନଙ୍କୁ ଆଶ୍ୱାସନା ଦେବାପାଇଁ ଏଇ ହ୍ରଦ ମଧ୍ୟରେ ଆସି ରହିଛନ୍ତି । ହାତୀରାଜ କହିଲେ, ‘ତା’ ହେଲେ ତୁମ ପ୍ରଭୁଙ୍କ ସହିତ ମୋର ସାକ୍ଷାତ କରାଇ ଦିଅ । ଚତୁର ଠେକୁଆଟି କହିଲା, ‘ଠିକ୍ ଅଛି! ଆପଣ ଆଜି ମୋ ସହିତ ସନ୍ଧ୍ୟା ସମୟରେ ହ୍ରଦ ନିକଟକୁ ଯିବେ । ମୁଁ ସେହିଠାରେ ଆପଣଙ୍କ ସହିତ ଚନ୍ଦ୍ରଦେବଙ୍କର ସାକ୍ଷାତ କରାଇ ଦେବି ।’
ଏହାପରେ ଚର୍ତୁଦନ୍ତ ଲମ୍ବକର୍ଣ୍ଣ ସହିତ ଯିବାକୁ ବାହାରିଲେ । ରାତ୍ରି ହେବାରୁ ଚନ୍ଦ୍ରଙ୍କର ପ୍ରତିବିମ୍ବ ଜଳରେ ପଡୁଥାଏ । ସେହି ବିମ୍ବକୁ ଠେକୁଆ ହାତୀ ରାଜଙ୍କୁ ଦେଖାଇ ଦେଇ କହିଲା, ‘ପ୍ରଭୁ’! ‘ବର୍ତ୍ତମାନ ହ୍ରଦ ମଧ୍ୟରେ ଯୋଗ କରୁଛନ୍ତି । ବର୍ତ୍ତମାନ ଯଦି ତାଙ୍କର ଯୋଗ ଭଂଗ ହୁଏ, ତା’ହେଲେ ତାଙ୍କର ଅଭିଶାପ ଦ୍ୱାରା ତୁମେ ଭସ୍ମ ହୋଇଯିବ’ । ତେଣୁ ତୁମେ ବର୍ତ୍ତମାନ କେବଳ ପ୍ରଭୁଙ୍କୁ ନମସ୍କାର କରି ଚାଲିଯାଅ । ହାତୀରାଜ ତ ମୁର୍ଖ । ସେ କିବା ଜାଣିବେ ଏହା ଚନ୍ଦ୍ରଦେବଙ୍କର ଏକ ପ୍ରତିଛବି । ସେ ସଂଗେ ସଂଗେ ଚନ୍ଦ୍ରଙ୍କର ପ୍ରତିଛବିକୁ ପ୍ରଣାମ କରି ଚାଲିଗଲେ । ସେହି ଦିନଠାରୁ ହାତୀମାନେ ଆଉ ସେହି ସ୍ଥାନକୁ ଆସିଲେ ନାହିଁ । ତେଣୁ କୁଆଟି କହିଲା, ଏ ସମ୍ପର୍କ ରେ ମୁଁ ତୁମ୍ଭମାନଙ୍କୁ ଆଉ ଏକ କାହାଣୀ କହୁଛି ଶୁଣ । “ଏକ ଅଳସୁଆ, ଭୀରୁ, କାପୁରୁଷ ବ୍ୟକ୍ତିକୁ କଦାପି ମହାରାଜ ପଦରେ ଅଭିଷିକ୍ତ କରିବ ନାହିଁ” ।