ସଂଧ୍ୟା ହେବାମାତ୍ରେ ସେ ବଂଶୀବାଦକ ସହର ମଝିରେ ଥିବା ଗୀର୍ଜା ନିକଟକୁ ଆସି ଗୀର୍ଜାକୁ ପଛକରି ଠିଆହେଲା । ଦିଗ୍ବଳୟରେ ଚନ୍ଦ୍ର ଉଦୟ ହେବା ମାତ୍ରେ ସେ ତାର ବଂଶୀବାଦନ ଆରମ୍ଭ କଲା । ବଂଶୀର ସୁର ପ୍ରଥମେ ଧୀର ଓ ପରେ ଦ୍ରୁତ ଓ ଗମ୍ଭୀର ଭାବରେ ଚତୁର୍ଦ୍ଦିଗରେ ପ୍ରତିଧ୍ୱନିତ ହେବାକୁ ଲାଗିଥିଲା । ସେ ସହରର ପ୍ରତ୍ୟେକ ଗଳିକନ୍ଦିରେ ଏହି ବଂଶୀ ସ୍ୱର ପ୍ରତିଧ୍ୱନିତ ହେବାମାତ୍ରେ ଗାତ ଭିତରୁ କୋଠାର ଉପରମହଲାରୁ, ସମସ୍ତ ଆସବାବପତ୍ର ମଧ୍ୟରୁ ଓ ସମସ୍ତ ଘରର କୋଣ ଅନୁକୋଣରୁ ମୂଷାମାନେ ଦୁଆର ବଂଧ ଦେଇ ରାସ୍ତା ଉପରୁ ଟପ୍ଟାପ୍ ଶବ୍ଦରେ ଲମ୍ପ ପ୍ରଦାନ କରି ଧାଡିବାନ୍ଧି ସେ ବଂଶୀ ସୁର ଶୁଭୁଥିବା ଟାଉନ୍ହଲ୍ ଆଡକୁ ଦୌଡିବାକୁ ଲାଗିଲେ । ମୂଷାମାନେ ଉପରକୁ ଉପର ଏପରି ଧାଡି ବାନ୍ଧି ଯାଉଥିଲେ ଯେମିତି ଜଣାପଡୁଥିଲା ମୂଷାମାନଙ୍କର ଏକ ସ୍ରୋତ ତରଙ୍ଗାୟିତ ହୋଇ ଧାବମାନ ହେଉଛି ।
ଯେତେବେଳେ ସେ ହାମେଲିନ୍ ସହରର ରାସ୍ତାଘାଟ ମୂଷାମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇଗଲା ବଂଶୀବାଦକ ବଂଶୀ ବଜାଇ ସହରର ପାଦଦେଶରେ ପ୍ରବାହିତ ହେଉଥିବା ନଦୀ ଆଡକୁ ଆଗେଇ ଚାଲିଲା । ଏଣେ ଏ ମୂଷାମାନେ ମଧ୍ୟ ସେ ବଂଶୀ ବାଦକକୁ ଅନୁସରଣ କରି ଚାଲିବାକୁ ଲାଗିଲେ । ନଦୀ ନିକଟରେ ପହଁଚିବା ପରେ ନଦୀରେ କାହାଳୀ ଭଳି ସୃଷ୍ଟି ହେଉଥିବା ଜଳ ଭଉଁରୀ ମଧ୍ୟକୁ ଲମ୍ପ ପ୍ରଦାନ କରିବାକୁ ବଂଶୀବାଦକ ମୂଷାମାନଙ୍କୁ ନିର୍ଦେଶ ଦେଲା । ମୂଷାମାନେ ବଂଶୀବାଦକଙ୍କର ନିର୍ଦେଶ ମାନି ଜଳଭଉଁରୀ ମଧ୍ୟକୁ ଖପ୍ଖାପ୍ କରି ଲମ୍ପ ପ୍ରଦାନ କରି ସେ ନଦୀଜଳରେ ହଠାତ୍ କେଉଁଆଡେ ଅଦୃଶ୍ୟ ହୋଇଗଲେ । ମୂଷାମାନଙ୍କର ଏହି ଲମ୍ପ ପ୍ରଦାନକାର୍ଯ୍ୟ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଶେଷରେ ଗୋଟିଏ ବଡ ଧଳା ବୁଢାମୂଷା ବହୁ କଷ୍ଟରେ ଘୁଷୁରି ଘୁଷୁରି ଆସି ସେ ନଦୀବଂଧ ଉପରେ ସ୍ଥିର ହୋଇରହିଗଲା । ସେଇ ମୂଷାଟି ହେଉଛି ଏହି ମୂଷାମାନଙ୍କର ରାଜା ।
ତହୁଁ ସେ ବଂଶୀବାଦକ ସେଇ ବୁଢା ମୂଷାଟିକୁ ପଚାରିଲା ‘ବଂଧୁ ବ୍ଲାକେଟ୍ ସମସ୍ତେ ନଦୀ ମଧ୍ୟକୁ ଲମ୍ପପ୍ରଦାନ କରିଲେତ? ତା’ପରେ ସେ ଧଳାମୂଷାଟି ଉତ୍ତର ଦେଲା, ‘ହଁ ସମସ୍ତେ ଲମ୍ପ ପ୍ରଦାନ କରି ସାରିଛନ୍ତି । ବଂଶୀବାଦକ ପଚାରିଲା ସେମାନଙ୍କ ସଂଖ୍ୟା କେତେ ବୁଢାମୂଷାଟି ଉତ୍ତର ଦେଲା ‘ନଅକୋଟି, ନଅଲକ୍ଷ, ନବେହଜାର ନଅଶହ ଅନେଶୋତ’ । ବଂଶୀବାଦକଟି ପଚାରିଲା ଠିକ୍କରି ଗଣିଛତ? ବୁଢାମୂଷାଟି ଉତ୍ତର ଦେଲା ‘ହଁ ଠିକ୍ କରି ଗଣା ହୋଇଛି ।’ ତାପରେ ସେ ବଂଶୀ ବାଦକ କହିଲା ‘ହେ ମୂଷାମାନଙ୍କ ପିତା, ତୁମେ ମଧ୍ୟ ଯାଇ ସେମାନଙ୍କ ସହ ମିଳିତ ହୁଅ ।’ ବଂଶୀବାଦକର କଥା ଶୁଣି ସେ ବୁଢାମୂଷାଟି ବି ନଦୀମଧ୍ୟକୁ ଲମ୍ପ ପ୍ରଦାନ କରି ମୁହୂର୍ତକ ମଧ୍ୟରେ ଜଳଭଉଁରୀ ମଧ୍ୟରେ କେଉଁଆଡେ ଅଦୃଶ୍ୟ ହୋଇଗଲା ।
ଏଥର ସେ ବଂଶୀବାଦକ ଜଣକ ତା’ର ସମସ୍ତ କାର୍ଯ୍ୟସାରି ପାନ୍ଥନିବାସରେ ବିଶ୍ରାମ ନେଲା ଏବଂ ଗତ ତିନିମାସ ମଧ୍ୟରେ ପ୍ରଥମଥର ପାଇଁ ହାମେଲିନ୍ ସହରର ଲୋକମାନେ ସେଇ ରାତିରେ ଅତ୍ୟନ୍ତ ଶାନ୍ତିରେ ଶୋଇପାରିଥିଲେ ।
ତା’ପରଦିନ ସକାଳ ନଅଟା ବେଳକୁ ବଂଶୀବାଦକ ଟାଉନ୍ହଲ୍ଠାରେ ପହଁଚିଲାବେଳକୁ ସେଠାରେ ତାକୁ ମୁଖ୍ୟପାରିଷଦ ଅପେକ୍ଷା କରିଥିଲେ । ବଂଶୀବାଦକ ମୁଖ୍ୟ ପାରିଷଦଙ୍କୁ କହିଲା ‘ଆପଣମାନଙ୍କୁ ହଇରାଣ କରୁଥିବା ମୂଷାମାନେ ନଦୀମଧ୍ୟକୁ ଲମ୍ପପ୍ରଦାନ କରିଛନ୍ତି ଏବଂ ମୁଁ ପ୍ରତିଶ୍ରୁତି ଦେଉଛି ସେଇ ମୂଷାମାନେ ଆଉ କେବେବି ଏ ସହରକୁ ଫେରିଆସିବେ ନାହିଁ । ସେମାନଙ୍କ ସଂଖ୍ୟା ହେଉଛି ନଅକୋଟି, ନଅଲକ୍ଷ, ନବେହଜାର ଓ ନଅଶହ ଅନେଶୋତ । ତେଣୁ ଆପଣ ମୋତେ ସେମାନଙ୍କ ମୁଣ୍ଡପିଛା ଗୋଟିଏ କରି ମୁଦ୍ରା ଦିଅନ୍ତୁ ।
ଏକଥା ଶୁଣି ମୁଖ୍ୟପାରିଷଦ କହିଲେ, ‘ଠିକ୍ ଅଛି ପ୍ରଥମେ ସେ ମୂଷାମାନଙ୍କ ମୁଣ୍ଡଗୁଡିକୁ ଗଣାଯାଉ ତାପରେ ମୁଣ୍ଡପିଛା ଗୋଟିଏ କରି ମୁଦ୍ରା ଦିଆଯିବ । ହେଲେ ମୁଣ୍ଡଗୁଡିକ କେଉଁଠି ଅଛି?’