ମୁଖ୍ୟ ପାରିଷଦଙ୍କର ଏଭଳି ପ୍ରତାରଣାପୂର୍ଣ୍ଣ କଥାଶୁଣି ସେ ବଂଶୀବାଦକ ଜଣକ ହଠାତ୍ ଭୀଷଣ ରାଗରେ ନିଆଁବାଣ ହୋଇଗଲା । ଫଳରେ ତାର ଆଖିଦୁଇଟି ନିଆଁ ପରି ଝଲସି ଉଠିଲା । ସେ କହିଲା ‘ତୁମେ ଯଦି ମୁଣ୍ଡ ଗୁଡିକ ଚାହଁ ତେବେ ସେଗୁଡିକୁ ନଦୀ ମଧ୍ୟରୁ ପାଇବ । ଏପରି କଥା ଶୁଣି ସେ ମୁଖ୍ୟପାରିଷଦ କହିଲେ, ଦେଖ ତୁମେ ତୁମ ସର୍ତ୍ତକୁ ସମ୍ମାନ ଦେଉନାହଁ, ଆମେ କିନ୍ତୁ ତୁମ ଉପକାର ପାଇଁ ତୁମକୁ କିଛି ପାରିତୋଷିକ ନଦେଇ ଛାଡିବୁ ନାହିଁ ।’ ଏହା କହି ସେ ମୁଖ୍ୟପାରିଷଦ ବଂଶୀବାଦକକୁ ମାତ୍ର ପଚାଶଟି ମୁଦ୍ରା ଦେଲେ ।
ଏହା ଦେଖି ସେ ବଂଶୀବାଦକ ବଡ ପାଟିରେ କହିଲେ ‘ତୁମେ ଏ ପାରିତୋଷକକୁ ତୁମ ପାଖରେ ରଖ । ତୁମେ ଯଦି ମୋର ପ୍ରାପ୍ୟ ନଦିଅ ତେବେ ତୁମ ଉତ୍ତରାଧିକାରୀ ମାନଙ୍କଠାରୁ ମୁଁ ମୋ ପ୍ରାପ୍ୟ ନିଶ୍ଚୟ ଆଦାୟ କରିନେବି । ଏହା କହି ସେ ବଂଶୀବାଦକ ନିଜ ଟୋପିଟିକୁ କାଢି ଦ୍ରୁତ ବେଗରେ ହଲ୍ ବାହାରକୁ ଯାଇ ଚୁପ୍ଚାପ୍ ହୋଇ ସେ ସହର ପରିତ୍ୟାଗ କରି ଚାଲିଗଲା । ଏହି ଘଟଣା ଚାରିଆଡେ ପ୍ରଚାରିତ ହେବାପରେ ହାମେଲିନ୍ ସହରର ଲୋକମାନେ ନଗରର ମୁଖ୍ୟପାରିଷଦଙ୍କ କାର୍ଯ୍ୟକୁ ବହୁତ ତାରିଫ୍ କରିବା ସହିତ ସେ ବଂଶୀବାଦକ ନିଜେ ବସାଇଥିବା ଯନ୍ତାରେ ନିଜେ ପଡିଯାଇଛି ବୋଲି କହି ତାକୁ ଖାଲି ବିଦ୍ରୂପ କରିବାକୁ ଲାଗିଲେ । ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ସେ ବଂଶୀବାଦକ ତାର ପ୍ରାପ୍ୟ ସେମାନଙ୍କ ଉତ୍ତରାଧିକାରୀଙ୍କଠାରୁ ଆଦାୟ କରି ନେବାର ଧମକ ଦେଇଛି ସେତେବେଳେ ସେମାନେ ନହସି ଆଉ ରହିପାରିଲେ ନାହିଁ । ମାତ୍ର ପରକ୍ଷଣରେ ସେମାନେ ଚିନ୍ତାକଲେ ଯେ, ସେ ବଂଶୀବାଦକ ସେମାନଙ୍କର ସାରା ଜୀବନପାଇଁ ଋଣଦାତା ଭାବରେ ରହିଗଲା ।
ତାପରଦିନ ତ ରବିବାର ହୋଇଥାଏ । ସହରର ଲୋକମାନେ ଆନନ୍ଦରେ ଗୀର୍ଜାକୁ ପ୍ରାର୍ଥନା କରିବାକୁ ଯାଇଥିଲେ ଏବଂ ସେମାନେ ଖୁସିରେ ଭାବିଲେ ଗୀର୍ଜାରୁ ଫେରିବାପରେ ସବୁ ରବିବାର ଭଳି ଅନ୍ତତଃ ସେମାନଙ୍କୁ ଆଉ ମୂଷା ଅଇଁଠା କରିଥିବା ଖାଦ୍ୟକୁ ଖାଇବାକୁ ପଡିବ ନାହିଁ । ମାତ୍ର ସେମାନେ କେବେବି ଚିନ୍ତା କରିନଥିଲେ ଯେ ଘରକୁ ଫେରିବାପରେ ସେମାନଙ୍କୁ ଏକ ଭୟଙ୍କର ପରିସ୍ଥିତି ଅପେକ୍ଷା କରିଛି ବୋଲି । ସେମାନେ ଦେଖିଲେଯେ ସେମାନଙ୍କର ସମସ୍ତ ପିଲାମାନେ ଆଉ ସେ ସହରରେ ନାହାଁନ୍ତି ଯେମିତି କୁଆଡେ ଉଭାନ୍ ହୋଇ ଯାଇଛନ୍ତି । କାହିଁକିନା ସେଦିନ ସହରରେ ଗୋଟିଏ ହେଲେ ବି ପିଲାଙ୍କୁ ଦେଖିବାକୁ ମିଳିନଥିଲା ।
ସହରର ଗଳିକନ୍ଦି ଚାରିଆଡେ ଲୋକମାନେ ଖାଲି ହାହାକାର କରି କହିବାକୁ ଲାଗିଲେ ‘ଆମ ପିଲାମାନେ ସବୁ କୁଆଡେ ଗଲେ?’ ମାତ୍ର ସେ ସହରର ପୂର୍ବ ଦିଗରୁ ତିନୋଟି ଛୋଟ ପିଲା ବିକଳ ଭାବରେ କାନ୍ଦି କାନ୍ଦି ଆସି ଘଟଣା ସମ୍ପର୍କରେ ବର୍ଣ୍ଣନା କଲେ । ସେ ଘଟଣାଟି ଏହିପରି –
ଯେତେବେଳେ ସେ ସହରର ଲୋକମାନେ ଗୀର୍ଜାରେ ଥିଲେ ଠିକ୍ ସେତେବେଳେ ସହରର ଚାରିଆଡେ ଏକ ସୁମଧୁର ସଂଗୀତର ସ୍ୱର ପ୍ରତିଧ୍ୱନିତ ହେବାକୁ ଲାଗିଲା । ସହରର ଛୋଟ ଛୋଟ ପୁଅ ଝିଅମାନେ ଏହି ସଂଗୀତର ସୁରରେ ଆକର୍ଷିତ ହୋଇ ସହରର ମଧ୍ୟସ୍ଥଳକୁ ଗଲେ । ସେଠାରେ ସେମାନେ ଦେଖିଲେ ସେଇ ବଂଶୀବାଦକଟି ମଧୁର ସ୍ୱରରେ ତାର ବଂଶୀ ବାଦନ କରୁଛି । ପିଲାମାନଙ୍କୁ ଦେଖି ସେ ବଂଶୀବାଦକ ଦ୍ରୁତ ବେଗରେ ଚାଲିବାକୁ ଲାଗିଲା ଏବଂ ସମସ୍ତ ପିଲାମାନେ ବି ଗୀତ ଗାଇ ଗାଇ ଆଉ ନାଚି ନାଚି ସେହି ବଂଶୀବାଦକକୁ ଅନୁସରଣ କରି ହାମେଲିନ୍ ସହରର ଉପକଣ୍ଠରେ ଥିବା ପର୍ବତର ପାଦଦେଶ ଆଡକୁ ଧାଇଁବାକୁ ଲାଗିଲେ । ସେମାନେ ସେଠାରେ ପହଁଚିବା ପରେ ପରେ ଉକ୍ତ ପର୍ବତର ଏକ କ୍ଷୁଦ୍ରଅଂଶ ଖୋଲିଗଲା ଏବଂ ବଂଶୀବାଦକ ସହ ପିଲାମାନେ ସେ ପର୍ବତମଧ୍ୟରେ ପଶି ଯିବାପରେ ତାହା ପୁଣି ବନ୍ଦ ହୋଇଗଲା ।
ଏହି ଚମକପ୍ରଦ ଘଟଣା ବର୍ଣ୍ଣନା କରୁଥିବା ସେହି ତିନିଜଣ ପିଲା ଅତି ଆଶ୍ଚର୍ଯ୍ୟ ଭାବରେ ପର୍ବତ ବାହାରେ ରହିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଛୋଟା ଥିବାରୁ ଶୀଘ୍ରଯାଇ ପାରିନଥିଲା, ଆଉ ଜଣେ ଘରୁ ଶୀଘ୍ର ଯାଉ ଯାଉ ଗୋଟିଏ ଗୋଡର ପଟେ ଯୋତା ଏକ ଅନ୍ୟ ଗୋଡଟି ଖାଲିଥିବାରୁ ପଥରରେ ବାଜିଯିବାରୁ ଧୀରେ ଧୀରେ ଯାଇଥିଲା ଏବଂ ଅନ୍ୟ ଜଣକ ପ୍ରଥମରୁ ଧୀରେ ଧୀରେ ଶେଷ ବେଳକୁ ଦ୍ରୁତ ବେଗରେ ଯାଇ ପର୍ବତ ପାଖରେ ପହଁଚିଲାବେଳକୁ ତାର ସାଙ୍ଗମାନେ ସେ ପର୍ବତ ଭିତରକୁ ଯାଇସାରି ଥିବାରୁ ପର୍ବତର ସେଇ ଖୋଲା ଅଂଶଟି ବନ୍ଦ ହୋଇଯାଇଥିଲା ।
ଏଇ କଥାଶୁଣି ସେ ପିଲାମାନଙ୍କ ବାପ ମାମାନଙ୍କ ଶୋକ ଦ୍ୱିଗୁଣିତ ହୋଇଗଲା । ତାପରେ ସେମାନେ ହାତରେ ବର୍ଚ୍ଛା ଓ ଗଇଁତି ଧରି ସେ ପର୍ବତ ଆଡକୁ ପିଲାମାନେ ଯାଇଥିବା ବାଟରେ ସେମାନଙ୍କୁ ଖୋଜି ଖୋଜି ଯିବାକୁ ଲାଗିଲେ ମାତ୍ର ସେମାନେ କେହିବି ପିଲାମାନଙ୍କୁ ପାଇବାରେ ଆଦୌ ସଫଳ ହେଲେନାହିଁ ।
ସେ ବଂଶୀବାଦକ ସହିତ ଯୁକ୍ତି କରି ତାକୁ ପ୍ରତାରିତ କରିଥିବା ନଗର ମୁଖ୍ୟପାରିଷଦ ସେ ତାଙ୍କର ତିନୋଟି ପୁଅ ଓ ଦୁଇଟି ଝିଅଙ୍କୁ ହରାଇ ଯେ କେବଳ ଦୁଃଖରେ ନଥିଲା ବରଂ ସେ ବଂଶୀବାଦକକୁ ପ୍ରତାରିତ କରୁଥିବା ବେଳେ ଯେଉଁ ଲୋକମାନେ ତାଙ୍କୁ ସମର୍ଥନ କରିଥିଲେ ସେମାନେ ବି ସେକଥା ଭୁଲିଯାଇ ଓଲଟି ସେ ମୁଖ୍ୟପାରିଷଦଙ୍କୁ ପ୍ରବଳ ଭାବରେ ଭର୍ତ୍ସନା କରୁଥିଲେ । ଦୁଃଖ ଏବଂ ଶୋକରେ ସେମାନେ ଖାଲି କହୁଥିଲେ ‘ଏ ହତଭାଗ୍ୟ ପିଲାମାନଙ୍କର କ’ଣ ହେବ କେଜାଣି?’