ସୀତାପୁରରେ ସୀତାରାମଙ୍କର ବିଶ୍ୱାସ ଯେ କୌଣସି ଯୁକ୍ତିତର୍କ, ଇତ୍ୟାଦିରେ ସେ ସମସ୍ତଙ୍କୁ ହରାଇ ଦେଇ ପାରିବେ, କିନ୍ତୁ ଗ୍ରାମବାସୀଙ୍କର ବିଶ୍ୱାସ ଯେ ସେହି ଗ୍ରାମର ରାଜାରାମ ଜିଦ୍ଖୋର୍ ହେଲେ ମଧ୍ୟ ଯୁକ୍ତିତର୍କରେ ଯାହାକୁ ହେଲେ ବି ସେ ହରାଇ ଦେଇ ପାରିବ ।
ଦିନେ ସୀତାରାମ ଓ ରାଜାରାମ କ୍ଷେତ ବାଡି ଦେଖିବାକୁ ଯାଇ ପରସ୍ପରକୁ ଭେଟିଲେ । କୌଣସି ପ୍ରକାରରେ ତର୍କ କରିବା ପାଇଁ ଉତ୍କଣ୍ଠିତ ସୀତାରାମ କହିଲେ, “ପ୍ରତ୍ୟହ ତୁମ ଛେଳି ଯେ କ୍ଷେତରେ ପଶି ଫସଲ ଖାଉଛନ୍ତି, ସେଥିପାଇଁ ତୁମକୁ କିଛି ଟଙ୍କା ଦେବାକୁ ହେବ ।”
ତାଙ୍କ କଥା ଶୁଣି ରାଜାରାମ କହିଲେ “ପଶୁ ତ ଘାସ ଚରନ୍ତି ବା ପତ୍ର ଖାଆନ୍ତି । ତୁମ ଜମିରେ ତ ଏହି ଦୁଇଟିହିଁ ନାହିଁ । ତେଣୁ ତୁମ ଅଭିଯୋଗର କୌଣସି ଅର୍ଥ ନାହିଁ ।”
ସୀତାରାମ ପୁଣି କହିଲେ, “ହେଇ ଦେଖ ସେଠାରେ ପଶୁମାନେ ଘାସ ଚରୁଛନ୍ତି ।” ରାଜରାମ ବି ଦେଖିଲେ କେତୋଟି ଗାଈ ଘାସ ଚରୁଛନ୍ତି ।
ରାଜାରାମ କହିଲେ, “ପଶୁଅର୍ଥ ମୁଁ ଛେଳି କଥା କହୁଛି । ଆମେ ତ ଛେଳିମାନଙ୍କ ବିଷୟରେ ଆଲୋଚନା କରୁଥିଲେ । ହେଲେ ସେଠାରେ ତ ଗାଈ ଚରୁଛନ୍ତି ।”
ସୀତାରାମ ଯିଦି କରି କହିଲେ, “ମୋ ସହିତ ଆସ ତୁମକୁ ମୁଁ ଛେଳି ମଧ୍ୟ ଦେଖାଇ ଦେବି;” ଦୁହେଁ କିଛିଦୂର ଗଲେ, ଗାଈମାନଙ୍କ ପଛରେ ଗୋଟିଏ ମାତ୍ର ଛେଳି ଥିଲା । ସୀତାରାମ ସଙ୍ଗେ ସଙ୍ଗେ କହିଲେ, “ଦେଖିଲ, ସେଠି ଗୋଟାଏ ଛେଳି, ସେ ଚରିବାକୁ ଆସିଛି ନା ନାହିଁ?”
ରାଜାରାମ କହିଲେ, “ତମେ କେମିତି ଜାଣିଲ ଯେ ସେ କ’ଣ ପାଇଁ ଆସିଛି । ଯେପର୍ଯ୍ୟନ୍ତ ମୁଁ ମୋ ନିଜ ଆଖିରେ ସେସବୁ ନ ଦେଖିଛି, ମୁଁ କାହା କଥାରେ ପରତେ ସୁଧା ଯିବି ନାହିଁ ।”
ତହୁଁ ସୀତାରାମ କହିଲେ, “ଠିକ୍ ଅଛି । ତୁମେ ନିଜେହିଁ ନିଜ ଆଖିରେ ଦେଖ ।” ଏତିକି କହି ସେ ଛେଳି ପାଖକୁ ଯାଇ ତାକୁ ବାଇଗଣ ଓ କାକୁଡିଗଛ ପାଖକୁ ଅଡେଇନେଲେ । ଛେଳି ଆରାମ୍ରେ ଚରିବାକୁ ଲାଗିଲା । ଏଥର ସୀତାରାମ ଗର୍ବସହକାରେ ପଚାରିଲେ, “ଏବେ କୁହ ତ କ’ଣ ଦେଖୁଛ?”
ରାଜାରାମ କହିଲେ, “ମୁଁ ତ ମୋ ଛେଳିମାନଙ୍କ ବିଷୟରେ କହୁଥିଲି । ଏଇଟା ତ ମୋ ଛେଳି ନୁହେଁ ।”