ସଙ୍ଗୀତ ବିଷୟରେ ରାଣୀଙ୍କ ଏଭଳି ମନ୍ତବ୍ୟ ଶୁଣି ସୋମନାଥ ବଡ ଦୁଃଖିତ ହେଲେ । ତା’ପରେ ବିନମ୍ର ସ୍ୱରରେ ସେ କହିଲେ, “ମହାରାଣୀ, କ୍ଷମା କରନ୍ତୁ । ମୋର ସଙ୍ଗୀତ ଶାସ୍ତ୍ର ଉପରେ କୌଣସି ଦକ୍ଷତା ନାହିଁ ବୋଲି ଯାହା କହିଲେ ତାହା ମାନିବାକୁ ମୁଁ ଆଦୌ ପ୍ରସ୍ତୁତ ନୁହେଁ । କିନ୍ତୁ ଏକଥା ସତ ଯେ ମୁଁ ଆପଣଙ୍କୁ ସଙ୍ଗୀତ ଦ୍ୱାରା ସନ୍ତୁଷ୍ଟ କରି ପାରିନାହିଁ । ତେଣୁ ମୁଁ ମହାରାଜଙ୍କୁ ଅନୁରୋଧ କରିବି କି ସେ ମୋଠାରୁ ‘ସଙ୍ଗୀତାଚାର୍ଯ୍ୟ’ ପଦବୀ ବାହାର କରିନେବେ ।”ଏପରି କଥା ଶୁଣି ରାଜା କହିଲେ, “ଆପଣଙ୍କୁ ଦରବାର ଛାଡିଯିବାକୁ କିଏ କହୁଛି? ହଁ, ଆଉ ଗୋଟିଏ କଥା ମହାରାଣୀଙ୍କ ପସନ୍ଦ ଅନୁଯାୟୀ ସଙ୍ଗୀତ ଆରଥରକୁ ଆପଣ ନିଶ୍ଚୟ ଗାଇବେ । କିନ୍ତୁ ଦରବାର ଛାଡି କଦାପି ମଧ୍ୟ ଯିବେନାହିଁ ।”
ପ୍ରଥମଥର ପାଇଁ ସୋମନାଥ ପଶ୍ଚାତାପ ଅନୁଭବ କଲେ । ତାଙ୍କୁ ମନେହେଲା ତାଙ୍କର ସ୍ୱାଧିନତା ଯେପରି ନଷ୍ଟ ହୋଇଛି । ତା’ପରେ ସେ ସର୍ବଦା ସେଇକଥା ହିଁ ଭାବିଲେ । ଯାହାଦ୍ୱାରା ସେ ଆଉ ପୂର୍ବପରି ସଙ୍ଗୀତ ମଧ୍ୟ ଗାଇ ପାରିଲେ ନାହିଁ । ଏବେ ତାଙ୍କର ମନେହେଲା ସେ ଯେମିତି ରାଜାଶ୍ରୟ ସୁନାପଞ୍ଜୁରୀରେ ରଖା ହୋଇଥିବା ପକ୍ଷୀ ପରି । ସେ ଥରେ ନିଜର ଦୁଃଖ ଓ ଅସହାୟ ଭାବକୁ ମନ ଭିତରେ ଚାପି ରଖି ରାଜାଙ୍କୁ ପଚାରିଲେ, “ମୁଁ ଜାଣିବାକୁ ଚାହେଁ କି ମହାରାଣୀଙ୍କର କି ପ୍ରକାରର ସଙ୍ଗୀତ ପସନ୍ଦ?”
ଏକଥା ଶୁଣି ରାଣୀ ନିଜେ କହିଲେ, “ଯଦି ସମ୍ଭବ ହୁଏ ତ ମୋତେ ଏପରି କିଛି ଲୋକଗୀତ ଶୁଣାଇବେ ଯେଉଁଥିରେ କି ରାଗରାଗିଣୀ ଆଦୌ ନଥିବ ।”
ରାଣୀଙ୍କ ଅଭିଳାଷ ଜାଣି ସୋମନାଥ କହିଲେ, “ମୋତେ ଗୋଟିଏ ସପ୍ତାହ ସମୟ ଦିଅନ୍ତୁ । ମୁଁ ଚେଷ୍ଟା କରି ଦେଖିବି ।” ତା’ପରେ ସେ ରାଜା ଓ ରାଣୀ ସୋମନାଥଙ୍କ କଥାରେ ସ୍ୱୀକୃତି ଦେଲେ ।
ଠିକ୍ ସପ୍ତାହ ପରେ ସଙ୍ଗୀତସଭା ଅନ୍ତଃପୁରରେ ହେଲା । ଏଥର ସେ ସୋମନାଥ କେବଳ ଲୋକଗୀତ ହିଁ ଗାଇଲେ । ରାଣୀ ଆନନ୍ଦ ବିଭୋର ହୋଇ ବାରମ୍ବାର ତାଳି ବଜାଇ ଚାଲିଥା’ନ୍ତି । ଏଥିରୁ ସଙ୍ଗୀତଜ୍ଞ ଜାଣିନେଲେ ରାଣୀଙ୍କର ସଙ୍ଗୀତଜ୍ଞାନ କେତେଦୂର ।
ରାଜା କହିଲେ, “ଆଜିଠାରୁ ଆପଣ କେବଳ ରାଣୀଙ୍କ ପସନ୍ଦ ମୁତାବକ ଗୀତ ହିଁ ଗାଇବେ । ଏବେ ତ ବୁଝିଗଲେ ରାଣୀ କି ପ୍ରକାରର ସଙ୍ଗୀତ ପସନ୍ଦ କରନ୍ତି । ଆଗରୁ ଆମେ ଜାଣିଥିଲୁ କେବଳ ଶାସ୍ତ୍ରୀୟ ସଙ୍ଗୀତରେ ଆପଣ ପାରଙ୍ଗମ । ମାତ୍ର ଏବେ ପ୍ରମାଣ କରିଦେଲେ ଯେ ଲୋକଗୀତରେ ମଧ୍ୟ ଆପଣ ପାରଙ୍ଗମ ।” ସବୁ ଶୁଣି ସଙ୍ଗୀତଜ୍ଞ ନୀରବରେ ସେଠାରୁ ଚାଲି ଆସିଲେ ।
କିଛିଦିନ ପରେ ପଡୋଶୀ ରାଜ୍ୟରୁ ଜଣେ ସଙ୍ଗୀତଜ୍ଞ ଆସି ପହଁଚିଲେ ଓ ରାଜାଙ୍କୁ କହିଲେ, “ମହାରାଜ, ମୁଁ ଶାସ୍ତ୍ରୀୟ ସଙ୍ଗୀତର ଅନେକ ପ୍ରତିଯୋଗିତାରେ ଭାଗ ନେଇଛି ଓ ପ୍ରତ୍ୟେକ ଥର ପୁରସ୍କାର ଲାଭ କରିଛି । ସଙ୍ଗୀତଜ୍ଞମାନେ ମୋ ପାଖରେ ହାରିଯାଇ ସେମାନଙ୍କର ସୁବର୍ଣ୍ଣ କଙ୍କଣ ଓ ବଳା ମୋତେ ଦେଇ ଦେଇଛନ୍ତି । ମୁଁ ଚାହେଁ ଆପଣଙ୍କର ଏଠାରେ ଏକ ପ୍ରତିଯୋଗିତା ହେଉ । ଯଦି କେହି ମୋତେ ହରାଇ ଦିଏ ତେବେ ମୁଁ ସାରା ଜୀବନ ପାଇଁ ତା’ର ଦାସ ହୋଇ ରହିବି ଏବଂ ମୁଁ ପାଇଥିବା ସମସ୍ତ କଙ୍କଣ ଓ ପାଦର ବଳା ଗୁଡିକ ତାଙ୍କୁହିଁ ଦେଇଦେବି । ଯଦି ମୋତେ କେହି ହରାଇ ନ ପାରିବ ତେବେ ଅନ୍ୟ ରାଜ୍ୟପରି ଆପଣ ଯଥୋଚିତ ଭାବରେ ମୋତେ ସମ୍ମାନିତ କରିବେ ।”