ଜଣେ ଅତିଥି ସଙ୍ଗୀତଜ୍ଞଙ୍କ ମୁହଁରୁ ଏପରି ଶୁଣିବାଟା ରାଜାଙ୍କୁ ଘୋର୍ ଅପମାନଜନକ ଲାଗିଲା । ସୋମନାଥ ଶାସ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ରାଜା ତାଙ୍କ ଆଡକୁ ଚାହିଁଲେ ତାଙ୍କର ମତ କ’ଣ ବୁଝିବା ପାଇଁ । ପ୍ରତିଯୋଗିତା ହେବ ଶାସ୍ତ୍ରୀୟ ସଙ୍ଗୀତରେ । ଯଦିଓ ରାଜାଙ୍କ ଆଦେଶ ଥିଲା ଦରବାରରେ ଏଣିକି ଲୋକଗୀତର ପ୍ରଚଳନ ହେବ, ଆଗରୁ ତ ସେ ରାଗିକରି ଥିଲେ । ପ୍ରଜାଙ୍କର ଏପରି କଥାରେ ତାଙ୍କ ମନ ମଧ୍ୟରେ ବହୁତ ଆଲୋଡନ ସୃଷ୍ଟି ହେଲା । ଜଣେ ଦକ୍ଷ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀଙ୍କୁ ଲୋକଗୀତ ଗାଇବାକୁ କହିବାହିଁ ଅପମାନଜନକ । ତା’ଠାରୁ ଆଉ ଅଧିକ ଦଣ୍ଡ କ’ଣ ବା ଥାଇପାରେ । ସଙ୍ଗୀତର ସମ୍ମାନ ଯେଉଁଠି ନାହିଁ, ସେପରି ଅବୁଝାମଣା ରାଜ୍ୟରେ ରହିବା ବିପଜ୍ଜନକ । କିନ୍ତୁ ଏଠାରେ ରାଜ୍ୟର ସମ୍ମାନର ପ୍ରଶ୍ନ ଉଠୁଛି । ତେଣୁ ସେ ପ୍ରତିଯୋଗିତାରେ ଅଂଶ ନେବାକୁ ନିଜର ସ୍ୱୀକୃତି ଦେଲେ ।
ପ୍ରତିଯୋଗିତା ହେଲା । ଅନେକ ସମୟ ଧରି ସେ ଦୁଇଜଣ ଶାସ୍ତ୍ରୀୟ ସଙ୍ଗୀତ ଗାନ କଲେ । ଶାସ୍ତ୍ରୀୟ ସଙ୍ଗୀତ କେତେ ମଧୁର ଓ ଉଚ୍ଚକୋଟିର ହୋଇପାରେ ସେହିଦିନଠୁଁ ରାଜା ଉପଲବ୍ଧି କଲେ । ଦରବାରର ଅନ୍ୟାନ୍ୟ ସଦସ୍ୟମାନେ ମନ୍ତ୍ରମୁଗ୍ଧ ହୋଇ ବସିଥା’ନ୍ତି ।
ପ୍ରତିଯୋଗିତା ଶେଷ ହେବା ପରେ ଅତିଥି ସଙ୍ଗୀତଜ୍ଞ ନିଜର ସମସ୍ତ ସୁବର୍ଣ୍ଣ କଙ୍କଣ ଓ ବଳାସବୁ ସୋମନାଥଙ୍କ ପାଦ ପାଖେରେ ରଖି କହିଲେ, “ମୁଁ ଏବେ ଆପଣଙ୍କର ଦାସ । ଆପଣଙ୍କର ହିଁ ଏଥିରେ ବିଜୟ ହେଲା । ଏବେ ଆପଣ ମୋତେ ଯାହା ବି କିଛି ଆଦେଶ ଦେବେ ତାହାହିଁ ମୋର ଶିରୋଧାର୍ଯ୍ୟ ।” ଏତିକି କହି ସେ ଦରବାର ଛାଡି ଚାଲିଗଲେ ।
ରାଜା ଓ ସାରା ଦରବାରର ଲୋକେ ସୋମନାଥ ଶାସ୍ତ୍ରୀଙ୍କର ପ୍ରଶଂସା କରି ଚାଲିଲେ । ରାଜା କହିଲେ, “ଶାସ୍ତ୍ରୀଜୀ, ଆପଣ ମହାନ୍ । ଆଜିଠାରୁ ଆପଣ କେବଳ ଶାସ୍ତ୍ରୀୟ ସଙ୍ଗୀତ ଗାନ କରିବେ । ଲୋକଗୀତ କଥା ଭୁଲିଯା’ନ୍ତୁ ।”
କିନ୍ତୁ ଏସବୁ ପ୍ରଶଂସାରେ ସେ ବେଶି ଆନନ୍ଦିତ ହୋଇ ପାରିଲେ ନାହିଁ । ତାଙ୍କର ବାରମ୍ବାର ରାଣୀଙ୍କର ଆକ୍ଷେପପୂର୍ଣ୍ଣ କଥା ଓ ସମାଲୋଚନା ମନେ ପଡିବାରୁ ସେ ତାଙ୍କ ଭିତରେ ଭିତରେ ବିଚଳିତ ବୋଧ କରୁଥିଲେ । ସେ ଭାବୁଥିଲେ ଯେଉଁ ରାଜା ରାଣୀଙ୍କ କଥାରେ ଆଜି ଗୋଟାଏ କଥା, ପୁଣି ଅନ୍ୟମାନଙ୍କ କଥାରେ କାଲି ଗୋଟାଏ କଥା କୁହନ୍ତି ସେଠାରେ ମୋ ପରି ସଙ୍ଗୀତଜ୍ଞ ରହିବାର କୌଣସି ପ୍ରଶ୍ନ ବି ଉଠୁନାହିଁ ।
ପରଦିନ ପ୍ରତ୍ୟୁଷରୁ ଉଠି କାହାକୁ କିଛି ନ କହି ସେ ଚିରଦିନ ପାଇଁ ରାଜ୍ୟ ଛାଡି ଚାଲିଗଲେ । ହେଲେ କେହି ବି ବୁଝିପାରିଲେ ନାହିଁ ଯେ ସେ ଏପରି କାହିଁକି କଲେ ।