ବେପାରୀ ପରାମର୍ଶ ଦେଲେ “ହୋଇଥିବ । ତୁମେ ଏଇଟିକୁ ଆଉ କାହା ପାଖକୁ ନେଇଯାଅ ।”
“ଏହାର ଅର୍ଥ ହେଉଛି, ତୁମେ ଏହାକୁ ହୀରା ବୋଲି ସ୍ୱୀକାର କରୁନାହଁ । ମୁଁ ଏଇଟିକୁ ପ୍ରକୃତ ଜହୁରୀ ପାଖକୁ ନେଇ ଉଚିତ ଦାମ୍ରେ ବିକ୍ରୀ କରି ପାରନ୍ତି । କିନ୍ତୁ ତୁମେ କେବେ ବି ଏହି ହୀରାର ମହତ୍ୱ ଜାଣି ପାରିବ ନାହିଁ । ତୁମେ କେବଳ ଏଇଟିକୁ ଦୋକାନରେ ରଖ । ମୁଁ ତୁମକୁ ଏହାର ଦାମ୍ ମାଗୁନାହିଁ । ବିକ୍ରୀ ହୋଇଗଲେ ମୋତେ ତା’ର ମୂଲ୍ୟ ଦେଇଦେବ ।”
ବେପାରୀ ଯୁବକ ସାଙ୍ଗରେ ବେକାର କଥାବାର୍ତ୍ତା ହୋଇ ସମୟ ନଷ୍ଟ କରିବାକୁ ଚାହୁଁ ନ ଥିଲା । ତା’କୁ ଶୀଘ୍ର ବିଦା କରିବା ଉଦ୍ଧେଶ୍ୟରେ ସେ ରାଜି ହୋଇଗଲା ଓ ପଚାରିଲା: “କେତେ ଦାମ୍ ଡାକିବି?”
ଯୁବକ କହିଲା “ଏକହଜାର ରୁପା ମୁଦ୍ରା ।” ଗଲାବେଳେ କହିଗଲା ଯେ ସେ ପାଂଚ, ଛଅ ମାସ ପରେ ଆସି ହୀରା କଥା ବୁଝିବ ।
ବେପାରୀ ଏଥର ଶାନ୍ତିରେ ନିଃଶ୍ୱାସ ପକେଇଲେ ଓ ସେହି କାଚ ଖଣ୍ଡକୁ ନିଜ ଦୋକାନର ଗୋଟିଏ କୋଣରେ ପକାଇଦେଲେ ।
ପାଂଚମାସ ବିତିଗଲା । ଦିନେ ରାଜପରିବାରର ସଦସ୍ୟ ପରି ମନେ ହେଉଥିବା ଜଣେ ଯୁବକ ତାଙ୍କ ଦୋକାନକୁ ଆସିଲେ ।
ସେ କହିଲେ “ଶ୍ରୀନଗରୀର ରାଜକୁମାରୀ ମୋର ସମ୍ପର୍କୀୟ ଭଉଣୀ ହେବେ । ତା’ଙ୍କର ବିବାହ ଉତ୍ସବ ଉପଲକ୍ଷେ ମୁଁ ସ୍ୱତନ୍ତ୍ର କିସମର ହୀରା ଖୋଜୁଛି ।”
ବେପାରୀ ନିଜର ସର୍ବୋତ୍କୃଷ୍ଟ ହୀରାସବୁ ଆଣି ଦେଖାଇଲେ । କିନ୍ତୁ ସେହି ସୁପୁରୁଷ କୌଣସି ଗୋଟିକୁ ପସନ୍ଦ ନ କରି ଜଣାଇଲେ ଯେ ସେପରି ଅନେକ ହୀରା ଆଗରୁ ରାଜକୁମାରୀଙ୍କ ପାଖରେ ଅଛି ।
ଅଚାନକ ସେହି ସୁପୁରୁଷଙ୍କର ଆଖି ଯୁବକ ପ୍ରଦତ୍ତ କାଚଖଣ୍ଡ ଉପରେ ପଡିଲା । ଫଳରେ ତାଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ଦିଶିଲା । କୃତ୍ରିମ କ୍ରୋଧ ପ୍ରକାଶ କରି ଯୁବକ ସେ ବେପାରୀକୁ କହିଲା “ମୁଁ ଠିକ୍ ଏହିପରି ଅଭିନବ ହୀରା ଖୋଜୁଥିଲି । ଯାହାହେଉ ମୋତେ ଗୋଟିଏ ମିଳିଗଲା । ଏହାକୁ ତୁମେ ମୋତେ ଆଗରୁ ଦେଖାଇଲ ନାହିଁ କାହିଁକି?”
ବେପାରୀ ନିଜକୁ ଚତୁର ସାବ୍ୟସ୍ତ କରିବାକୁ ଯାଇ କହିଲେ, “ମୁଁ ଏଇଟିକୁ ଅନ୍ୟ ଜଣେ ଗ୍ରାହକଙ୍କୁ ଦେବାକୁ କଥା ଦେଇଥିଲି ।” ବେପାରୀ ଯୁବକଙ୍କ କଥାରେ ବିସ୍ମିତ ହୋଇ ଭାବିଲେ, ହୁଏତ ଏହି ଯୁବକ ଜଣକ ହୀରା ସମ୍ବନ୍ଧରେ କିଛି ହେଲେ ବି ଜାଣେ ନାହିଁ କିମ୍ବା ତାଙ୍କୁ ଏପରି ନୂତନ କିସମର ହୀରା ସମ୍ପର୍କରେ ଆଦୌ କିଛି ଜଣା ନାହିଁ ।
ଭଦ୍ର ଯୁବକ ପ୍ରଶ୍ନ କଲେ “ଆଜ୍ଞା, ଗ୍ରାହକଙ୍କୁ କେତେ ଟଙ୍କାରେ ବିକିବା ପାଇଁ କଥା ଦେଇଛନ୍ତି?”
ବେପାରୀ ଏହି ସୁଯୋଗର ଫାଇଦା ଉଠାଇବାକୁ ଚାହିଁ କହିଲେ, “ଦୁଇ ହଜାର ରୁପା ମୁଦ୍ରା ।”
ଭଦ୍ର ଯୁବକ ଜଣାଇଲେ “ଠିକ୍ ଅଛି! ମୁଁ ତିନି ହଜାର ରୂପା ମୁଦ୍ରା ଦେବି ।”
ବେପାରୀ ଆଗ୍ରହ ପ୍ରକାଶ କଲେ “ତେବେ ଆପଣ ଏହାକୁ କିଣି ନିଅନ୍ତୁ!”
ସେହି ଯୁବକ କହିଲେ – “ଏବେ ନୁହେଁ । ମୁଁ ଶହେ ମୁଦ୍ରା ଅଗ୍ରୀମ ଆକାରରେ ଦେଉଛି । ସପ୍ତାହକ ମଧ୍ୟରେ ସବୁ ଟଙ୍କା ଆଣି ଫେରିବି । ଯଦି ନ ଆସେ ତେବେ ମୁଁ ମୋର ଅଗ୍ରୀମ ଫେରସ୍ତ ମାଗିବି ନାହିଁ । ତୁମେ ଏହାକୁ ଅନ୍ୟ ଗ୍ରାହକକୁ ବିକି ଦେବ ।” ଏହା ଶୁଣି ବେପାରୀଙ୍କ ଖୁସିର ଆଉ ଠିକଣା ରହିଲା ନାହିଁ । ସେ ଭାବିଲେ ପ୍ରଥମ ଯୁବକକୁ ଏକ ହଜାର ମୁଦ୍ରା ଦେଲେ ବି ଦୁଇହଜାର ମୁଦ୍ରା ମୋର ଲାଭ ହେବ ।
ଠିକ୍ ତା’ପର ଦିନ ସେ ପ୍ରଥମ ଯୁବକ ଆସି ସେଠାରେ ପହଁଚିଗଲା । ସେ କହିଲା “ଯଦି ମୋ ହୀରା ବିକ୍ରୀ ହୋଇନାହିଁ, ତେବେ ଦୟା କରି ମୋତେ ତାହା ଫେରାଇ ଦିଅନ୍ତୁ । ମୁଁ ଜାଣିବାକୁ ପାଇଲି ଯେ ଜଣେ ରାଜପୁରୁଷ ଏହି ସହରକୁ ଆସିଛନ୍ତି । ସେ ନୂତନ ଧରଣର ହୀରାର ସନ୍ଧାନରେ ଅଛନ୍ତି । ମୁଁ ଆଶା କରୁଛି, ସେ ମୋ ହୀରାଟିକୁ ହଜାରେ ମୁଦ୍ରା ଦେଇ କିଣି ନେବେ ।”
“ଏଇ ନିଅ, ତୁମର ହଜାରେ ମୁଦ୍ରା!” ଏତିକି କହି ବେପାରୀ ବିନା ବାକ୍ୟ ବ୍ୟୟରେ ହଜାରେ ରୌପ୍ୟ ମୁଦ୍ରା ବଢାଇ ଦେଲେ ।
ଏହାପରେ ସେ ଯୁବକ ଚାଲିଗଲା । ବେପାରୀ ରାଜପୁରୁଷଙ୍କର ବାଟକୁ ଚାହିଁ ବସିଲେ । ଗୋଟିଏ ସପ୍ତାହ ପରେ, ପକ୍ଷ ଓ ମାସ ବିତିଗଲା ।
କିନ୍ତୁ ସେ ରାଜପୁରୁଷ ଆଉ ଫେରିଲେ ନାହିଁ । ଜଣେ ଯାତ୍ରୀଙ୍କ ମାଧ୍ୟମରେ ଗୋଟିଏ ପତ୍ର ଆସି ତାଙ୍କ ପାଖରେ ପହଁଚିଲା । ସେଥିରେ ଲେଖାଥିଲା, “ମୁଁ ଆପଣଙ୍କୁ ଯେଉଁ ହୀରା ବିକ୍ରୀ କଲି, ସେହି ହୀରା ଆପଣ ମୋ’ ଜେଜେବାପାଙ୍କୁ ପାଂଚବର୍ଷ ତଳେ ବିକିଥିଲେ । ସେ ଏବେ ଆଉ ଏ ଇହଧାମରେ ନାହାଁନ୍ତି । କିନ୍ତୁ ଏବେ ସେହି ହୀରା ବିକ୍ରୀ କରି ଲାଭ କମାଇ ଥିବାରୁ ସେ ସ୍ୱର୍ଗରେ ଥାଇ ଖୁବ୍ ଖୁସି ହେଉଥିବେ । ଆପଣ ନିଜର ଦାମିକା ହୀରା ଫେରି ପାଇ ଖୁବ୍ ଖୁସି ହେବେ ନିଶ୍ଚୟ ।”
ବେପାରୀ ଏହି ଚିଠି ପଢି କ୍ରୋଧ ଓ ଦୁଃଖରେ ମଥା କୋଡିଦେଲେ ।