ଦିନକର କଥା, ବିବେକାନନ୍ଦ ଏକ ସହରରେ ପହଁଚିଥାନ୍ତି । ତାଙ୍କର ପହଁଚିବା ଖବର ପ୍ରଚାର ହେବା କ୍ଷଣି ସେଠାରେ ପ୍ରବଳ ଜନସମାଗମ ହୋଇଗଲା । ସ୍ୱାମିଜୀ ଗୋଟିଏ ଗଛମୂଳେ ଏକ ମଣ୍ଡପ ଉପରେ ବସିଥାନ୍ତି । ଯିଏ ଯେତେବେଳେ ସାକ୍ଷାତ୍ ପାଇଁ ଆସୁଥାନ୍ତି ତାଙ୍କୁ କୌଣସି ବାଧାନଥାଏ । ସେମାନେ ସନ୍ଦେହମୋଚନ ପାଇଁ ନାନା ପ୍ରଶ୍ନ ପଚାରି ତାର ଉତ୍ତର ବି ପାଇଯାଆନ୍ତି । ଏପରିକି କେତେକ ଖଳପ୍ରକୃତିର ଲୋକଙ୍କ ବିତଣ୍ଡା ଯୁକ୍ତିରେ ସ୍ୱାମିଜୀ ଆଦୌ ବିଚଳିତ ନ ହୋଇ ଉତ୍ତର ଦେଉଥାନ୍ତି । ଏହିଭଳି ଦିନସାରା ଚାଲିଲାଣି ପଛେ ହେଲେ ତାଙ୍କର ଖାଇବା କଥା କେହି ବି ପଚାରିଲେ ନାହିଁ ।
ଏଣେ ସଂଧ୍ୟା ହେଲାଣି । ସ୍ୱାମିଜୀ ପୂର୍ବଭଳି ନିରବ ନିଶ୍ଚଳ ଭାବରେ ବସିରହିଥାନ୍ତି । ଏହି ଦୃଶ୍ୟ ଜଣେ ନୀଚଜାତିର ଲୋକ ବସି ଦେଖୁଥାଏ । ସ୍ୱାମିଜୀଙ୍କର ଏଭଳି ଦୁରବସ୍ଥା ଦେଖି ସେ ଅତ୍ୟନ୍ତ ବିଚଳିତ ହୋଇପଡିଲା । ତହୁଁ ସେ ସ୍ୱାମିଜୀଙ୍କ ପାଖରେ ପହଁଚି ତାଙ୍କର ପାଦତଳେ ପଡି ପ୍ରଣତି ଜଣାଇଲା ।
ଏଥର ସେଇ ନୀଚ ବ୍ୟକ୍ତିଜଣକ ଅତି ବିନମ୍ର ଭାବରେ କହିଲା, “ସ୍ୱାମିଜୀ! ଆପଣ ଖୁବ୍ କ୍ଷୁଧିତ ଓ କ୍ଳାନ୍ତ ହୋଇପଡିଲେଣି । ମୁଁ ସକାଳୁ ବସି ଦେଖୁଛି ଆପଣ ଅଖିଆ ଅପିଆ ଅନବରତ ଲୋକଙ୍କ ସାଥିରେ କଥାବାର୍ତ୍ତା ହେଉଛନ୍ତି । ହେଲେ ଆପଣଙ୍କ କଥା ଏଠି କେହି ବି ବୁଝୁ ନାହାନ୍ତି, ସୁତରାଂ ଆପଣଙ୍କୁ କିଛି ଖାଦ୍ୟ ପଦାର୍ଥ ଦେବା ପାଇଁ ମୋର ପ୍ରବଳ ଇଚ୍ଛା ହେଉଛି । ମାତ୍ର ମୁଁ ଜାତିରେ ଅଚ୍ଛବ ହୋଇଥିବାରୁ ସାହସ କରି ଏକଥା କହିପାରୁ ନ ଥିଲି । ଆପଣ ଅନୁମତି ଦେଲେ ଅନ୍ୟ କିଛି ନ ଖାଇଲେ ବି କ୍ଷୀର ଗ୍ଲାସଟିଏ ଦିଅନ୍ତି ।”
ତହୁଁ ସ୍ୱାମିଜୀ ଛିଣ୍ଡା ମଇଳା ଲୁଗା ପିନ୍ଧିଥିବା ସେଇ ଅଛୁଆଁ ଲୋକ ହାତରୁ ଖାଦ୍ୟ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକଟ କଲେ । ମନେ ମନେ ଭାବିଲେ, ଆହା! ଏ ଲୋକଟିର ହୃଦୟ କେଡେ ନିର୍ମଳ ଆଉ ପ୍ରେମପୂର୍ଣ୍ଣ? ଏହି କଥା ଭାବୁ ଭାବୁ ତାଙ୍କ ଆଖିରୁ ଦୁଇଧାର ଲୁହ ଗଡିଆସିଲାଣି । ସେ ସ୍ଥିର କରିନେଲେ ଯେ, ମଣିଷ ହୃଦୟରେ ଏଭଳି ଶୁଦ୍ଧ ଓ ନିଃସ୍ୱାର୍ଥପର ପ୍ରେମ ହିଁ ପ୍ରକୃତ ମଣିଷପଣିଆ । ଏଭଳି ଗୁଣ ଯାହାଠାରେ ଥାଏ, ସେ ନୀଚଜାତିର ହେଲେ ମଧ୍ୟ ମହାନ୍ ହୋଇଯାଏ ।
ତା’ପରେ ସ୍ୱାମିଜୀ ସେ ଲୋକଟିକୁ କହିଲେ, “ଭାଇ ଯାଅ! ଆଜି ମୁଁ ତୁମ ଘରେ ଆତିଥ୍ୟ ଗ୍ରହଣ କରିବି ।”
ସତକୁ ସତ ସ୍ୱାମିଜୀ ସେ ଲୋକଟିର ଘରେ ପହଁଚି ଖୁସିରେ ଭୋଜନ ଖାଇ ପ୍ରୀତ ହେଲେ । ଆଉ ଜଗତକୁ ଦେଖାଇଦେଲେ ଯେ, ମଣିଷ ନୀଚକୁଳରେ ଜନ୍ମହେଲେବି ସ୍ନେହ, ପ୍ରେମଯୁକ୍ତ ନିର୍ମଳ ହୃଦୟଧାରଣ କରି ମହାନ୍ ହୋଇଯାଏ ।
ସୁତରାଂ ଯଥାର୍ଥରେ କୁହାଯାଇଛି –
“ନୀଚ ଜାତି ଜନ ଅଟଇ ମହାନ ହୃଦେ ତା’ର ଥିଲେ ବିଶୁଦ୍ଧ ପ୍ରେମ
ଆବିଳତାପୂର୍ଣ୍ଣ ହୃଦୟ ଯାହାର ନ ଥାଏ ତା’ପାଶେ ମଣିଷପଣ ।”