ଏକ ସହରରେ ଜଣେ ଶେଠ୍ ଥିଲେ । ଦାତାମାନଙ୍କ ମଧ୍ୟରେ ସବୁଠୁ ଆଗରେ ଥିଲେ ସେ । ହେଲେ ତାଙ୍କର ଦାନଦେବାର ଢଙ୍ଗ ସମ୍ପୂର୍ଣ୍ଣ ଅଲଗା ଥିଲା । ତାଙ୍କର ନାଁ ପ୍ରଚାରପାଇଁ ବଡ ବଡ ମନ୍ଦିର, ଧର୍ମଶାଳା, ଡାକ୍ତରଖାନା ଆଦି ନିର୍ମାଣ କରି ଖବର କାଗଜରେ ଫଟୋଚିତ୍ର ଦେଖିବାକୁ ଖୁସି ହେଉଥିଲେ । ତାଙ୍କ କୀର୍ତିରାଜି ନିକଟରେ ନିଜର ଦାନ ଫଳକକୁ ଦେଖି ଅତ୍ୟନ୍ତ ବିମୋହିତ ହୋଇଯାଉଥିଲେ । ଏସବୁ ତାଙ୍କ ମନରେ ଅପାର ଗର୍ବ ଆଣି ଦେଇଥିଲା ।
ଅପରପକ୍ଷରେ ଶେଠ୍ ଙ୍କର ଦୁଃଖୀ ରଙ୍କୀ କି ଭିକାରିଙ୍କ ପ୍ରତି ଆଦୌ ଦରଦ ନଥିଲା । ଅସହାୟ ଲୋକଙ୍କୁ ଭିକ୍ଷା ଦେବା ତ ଦୂରର କଥା, ସେମାନଙ୍କୁ ଗାଳିବେଜିତ୍ କରି ଦୁଆରୁ ଘଉଡାଇ ଦେଉଥିଲେ ।
ଦିନକର ଘଟଣା, ସହରରେ ଭୟଙ୍କର ଶୀତ ଲହରୀ ପ୍ରବାହିତ ହେଉଥାଏ । ଧନୀ ଲୋକମାନେ ତାଙ୍କର ନିବୁଜ ଘରଭିତରେ ସିନା ସୁଖରେ ଥିଲେ, ମାତ୍ର ଗରିବମାନେ ଶୀତ ରେ ଥରୁଥିଲେ । ଶେଷରେ ଉପାୟଶୂନ୍ୟ ହୋଇ କେତେଜଣ ନିଃସ୍ୱବ୍ୟକ୍ତି ଶୀତ କଷ୍ଟରୁ ରକ୍ଷା ପାଇବା ପାଇଁ ଖଣ୍ଡିଏ ଲେଖାଏଁ କମ୍ବଳ ପାଇବା ଆଶାରେ ଶେଠ୍ ଙ୍କ ପାଖରେ ପହଂଚିଗଲେ ।
ଦ୍ୱାର ଦେଶରେ ଗରିବ ଲୋକଙ୍କ ଭିଡ ଦେଖି ଶେଠ୍ ପୂରାପୂରି ବିଗିଡି ଗଲେ । ସେମାନଙ୍କୁ କମ୍ବଳ ଦେବେ କ’ଣ ଗଳା ଧକ୍କା ଦେଇ ବିଦା କରିଦେଲେ । ଶେଠ୍ ଙ୍କର ଏଭଳି ଆଚରଣ ତାଙ୍କର ଗୁମାସ୍ତାଙ୍କୁ ଆଦୌ ଭଲ ଲାଗିଲା ନାହିଁ । ହେଲେ ତାଙ୍କର ଚାରା କ’ଣ ଅଛି? ସେ କାହାକୁ କମ୍ବଳ ଖଣ୍ଡେ ଦେଇପାରୁଛନ୍ତି ନା ଶେଠ୍ ଙ୍କୁ ମୁହଁ ଖୋଲି କିଛି କହିପାରୁଛନ୍ତି ।