ବାପାମାଆ ଛେଉଣ୍ଡ ପିଲାଟିଏ ତା’ର ଅଜାଘରେ ରହି ପାଠ ପଢୁଥାଏ । ଅଜା ଥିଲେ ଜଣେ ପେନସନ୍ ଭୋଗୀ କର୍ମଚାରୀ । ଖୁବ୍ କମ୍ ପେନସନ୍ ପାଉଥାନ୍ତି ସେ, ଯେଉଁଥିରେ ତାଙ୍କର ଘରଖର୍ଚ୍ଚ ଚଳିବା କଷ୍ଟ । ତଥାପି ନାତି ନବଘନକୁ ପାଖରେ ରଖି ପାଠପଢାଇବାକୁ ପରମ କର୍ତବ୍ୟବୋଲି ଧରି ନେଇଛନ୍ତି ଅଜା ।
ଦିନକର କଥା, ନବଘନ ସ୍କୁଲରୁ ମୁହଁ ଶୁଖାଇ ଫେରୁଥାଏ । ଆଈ ତାକୁ ଦେଖି ପଚାରିଲେ, “ଆରେ, ତୋ ମୁହଁ ଆଜି ଶୁଖିଲା ଦିଶୁଛି କାହିଁକିରେ? କ’ଣ ପାଠ ନ ଆସିବାରୁ ଗୁରୁଜୀ ତୋତେ ମାଡମାରିଲେ କି? ନା କୋଉ ପିଲା ତୋତେ ବାଟରେ ମାରିଲା?”
ଏବେ ନବଘନ ମନଦୁଃଖରେ କହିଲା, “ମୋର ସାଙ୍ଗ ପିଲାମାନେ ମୋତେ ଥଟ୍ଟା କରି ଏଣୁତେଣୁ କହିଲେ ।”
ନାତିଟୋକାର କଥା ଶୁଣି ଆଈ ରାଗରେ ଜଳିଗଲେ । କହିଲେ, “କିରେ କାହିଁକି? କାହାର ଏଡେ ସାହସ ହେଲା ମୋ ନାତିକୁ କହିବାକୁ? କାହାକୁ ତୁ କ’ଣ କହିଲୁ କି?”
ନାତି କହିଲା, “ମୋର ସାଥୀ ପିଲାମାନେ ପ୍ରତିଦିନ ପାଂଚଟଙ୍କା ଲେଖାଏଁ ଜଳଖିଆ ଖାଇବାକୁ ନେଉଛନ୍ତି । ସେମାନଙ୍କ ଆଗରେ ମୁଁ ଟଙ୍କାକର ଜଳଖିଆ ଖାଇଲାବେଳକୁ ମୋତେ ଚିଡାଉଛନ୍ତି । ଆଜିକାଲିଯୁଗରେ ଟଙ୍କାକର ଜଳଖିଆ ଦେଇ ହେବନି ବୋଲି ଦୋକାନୀ ବି କହୁଛି । ଏହା ଦେଖି ପିଲାମାନେ କହୁଛନ୍ତି, “ଦେଖରେ ପିଲାଏ ଦେଖ କୃପଣ ଅଜାର କୃପଣ ନାତିର ଜଳଖିଆ ଖିଆ ଦେଖ ।”
ଆଈ କହିଲେ, “ଆରେ ହେ, ଏଥିରେ କ’ଣ ଅଛି? ତୁ କାଲିଠାରୁ ସେମାନଙ୍କ ସାଥୀରେ ମିଶିବୁ ନାହିଁ । ଆମ ପାଖରେ ତ ଅନ୍ୟ ଲୋକଙ୍କ ଭଳି ଟଙ୍କା ପଇସା ବେଶୀ ନାହିଁ, ତେଣୁ ବେଶୀ ଖର୍ଚ୍ଚ କରିବା କେଉଁଠୁ?” ଆଈ ଏଭଳି ପରାମର୍ଶ ଦେଇ ବୁଝାଇ ଦେଲେ ସିନା, ନବଘନର ମନ ବୁଝିଲା ନାହିଁ ।
ଏଥର ନବଘନ ଆଈଙ୍କ କଥାମାନି କାହା ସାଥୀରେ ସିନା ମିଶିଲା ନାହିଁ, ହେଲେ ଖେଳପଡିଆରେ କି ସ୍କୁଲରେ ବିନାସାଙ୍ଗରେ ତାକୁ ଆଦୌ ଭଲ ଲାଗିଲା ନାହିଁ । ଶେଷରେ ସେ ଠିକ୍ କଲା ପ୍ରତିଦିନ ପାଂଚ ଟଙ୍କା ନେଇ ଜଳଖିଆ ଖାଇବ ଓ ସାଙ୍ଗସାଥୀ ମେଳରେ ହସି ଖେଳି ସମୟ କଟାଇଦେବ । ଦରକାର ହେଲେ ପଇସା ପାଇଁ ଚୋରି କରିବ ସିନା ସାଙ୍ଗମେଳ କଦାପି ଛାଡିବ ନାହିଁ ।
ତାହାହିଁ କଲା ନବଘନ । ପ୍ରଥମେ ପ୍ରଥମେ ଆଈଙ୍କ ବାକ୍ସରୁ ପାଂଚଟଙ୍କା ଲେଖାଏଁ ଦୈନିକ ଚୋରିକରି ଜଳଖିଆ ଖାଇଲା । ଆଈ ଏକଥା ଜାଣି ପାରିଲେ ନାହିଁ । କାରଣ ସେ ଲୋଡା ନ ହେଲେ ବାକ୍ସ ଖୋଲନ୍ତି ନାହିଁ ।
ଦିନକର କଥା ନବଘନ ବାର୍ଷିକ ପରୀକ୍ଷାରେ ଉତୀର୍ଣ୍ଣ ହେଲା । ପରବର୍ତୀ ଶ୍ରେଣୀରେ ନାମ ଲେଖା ପାଇଁ ମୋଟା ଅଙ୍କର ଟଙ୍କା ଦରକାର ହେଲା । ଅଜାଙ୍କର ପେନସନ୍ ମିଳି ନଥାଏ । ସୁତରାଂ ଏଥିଲାଗି ଆଈ ବାକ୍ସ ଖୋଲିଲେ । ଦେଖିଲା ବେଳକୁ ସେଥିରେ ଟଙ୍କା ନାହିଁ । ଏହା ଦେଖି ଆଈଙ୍କ ମୁଣ୍ଡ ବିଗିଡି ଗଲା । ସେ ପ୍ରଚଣ୍ଡ ରାଗିଯାଇ ଥରିବାକୁ ଲାଗିଲେ । ଆଈଙ୍କର ଏଭଳି ବିକଟାଳ ରୂପ ଦେଖି ନାତି ସତକଥା କହିଦେଲା ।
ଏଥର ଆଈ ଆଉ କରିବେ କ’ଣ? ନାତି ତ, ବାପାମାଆ ଛେଉଣ୍ଡ । ସୁତରାଂ ନାତି ଉପରେ ଦୟା ଆସିଲା । ତହୁଁ ସେ ନାତିକୁ ବୁଝେଇ ଦେଲା ଭଳି କହିଲେ, “ବୁଝିଲୁ ନାତି, ଚୋରି କରିବାଠାରୁ ଖରାପ କାମ ଏ ଦୁନିଆରେ ଆଉ କିଛି ନାହିଁ । ତୁ ଦେଖିଲୁତ ଏ ଟଙ୍କାକ ନେଇ ତୁ ଜଳଖିଆ ସିନା ଖାଇଦେଲୁ ହେଲେ ତୋ’ ପାଠପଢା ପାଇଁ ଟଙ୍କାଟିଏ ନାହିଁ । ଏବେ ତୁ କହ କେଉଁଟା ବଡକାମ, ତୋ’ ଜଳଖିଆ ଖିଆ ନା ପାଠପଢା?”
ପାଖରେ ଥାଇ ଅଜା ସବୁ ଶୁଣୁଥିଲେ । ତହୁଁ ସେ ନାତି ଉଦ୍ଧେଶ୍ୟରେ କହିଲେ, “ଆମର ଯାହା ଅଛି ଆମେ ସେତିକିରେ ଚଳିବା ଉଚିତ୍ । ଅଯଥା ବଡପଣ ଦେଖେଇ ହେଲେ ଆମେ ଦୁଃଖ ଭୋଗିବାନି ତ ଆଉ କିଏ ଭୋଗିବ?”
ଏଥର ନବଘନ ଏବେ ନିଜ ଭୁଲ୍ ବୁଝିପାରିଲା । ସେ ଏଥିର ଜାଣିଲା ଯେ, ଆୟ ଦେଖି ବ୍ୟୟ କଲେ ମଣିଷ ଦୁଃଖ ଭୋଗ କରେ ନାହିଁ କି ଅସୁବିଧାରେ ପଡେନାହିଁ ।