ରାଜା ବିକ୍ରମାଦିତ୍ୟ ମନେକଲେ ଦିନେ ମୃଗୟାକୁ ଯିବା ନିମିତ୍ତ ଆଦେଶ ପାଇ ସୈନ୍ୟମାନେ ପ୍ରସ୍ତୁତ ହେଲେ । ଶିକାରୀ ବେଶଧରି ରାଜା ବିକ୍ରମାଦିତ୍ୟ ଅଶ୍ୱପୃଷ୍ଠରେ ବସି ଚାଲନ୍ତେ ସୈନ୍ୟମାନେ ତାଙ୍କର ଅନୁଗମନ କଲେ । ନାନା ପ୍ରକାର ବାଦ୍ୟ ବଜାଇଣ ଅରଣ୍ୟ ମଧ୍ୟରେ ପ୍ରବେଶିଲେ । ବିକ୍ରମାଦିତ୍ୟଙ୍କ ଲକ୍ଷ୍ୟ ଅବ୍ୟର୍ଥ । ସମ୍ମୁଖରୁ ଭୟଭୀତ ହୋଇ ମୃଗଟିଏ ପବନ ବେଗରେ ପଳାଇଲା । ରାଜା ବାରମ୍ବାର ଶର ପ୍ରହାର କଲେ ମାତ୍ର ତା’ ଦେହରେ ଶର ବାଜିଲା ନାହିଁ । ମୃଗ ପଳାଇବା ବିକ୍ରମାଦିତ୍ୟ ଲଜ୍ଜାପାଇ ମୃଗର ପଶ୍ଚାତ୍ ଧାବନ କଲେ । ବହୁ ଦୂର ପଥ ଅତିକ୍ରମ କରିବାପରେ ନୃପ ଭାବିଲେ ଏ ମୃଗ ମାୟାବି ରାକ୍ଷସ କିମ୍ବା ମହାଗ୍ରହ ଶନିଶ୍ଚର ନୁହେଁତ । ତଥାପି ରାଜା ଚିନ୍ତାକଲେ ଏହାକୁ ବଧ ନକଲେ ମୋର ପ୍ରତିଜ୍ଞା ଅପୂର୍ଣ୍ଣ ରହିବ । ଏମନ୍ତ ବିଚାରି ରାଜା ବିକ୍ରମାଦିତ୍ୟ ପବନ ବେଗରେ ମୃଗର ପଶ୍ଚାତ୍ ଧାବନ କଲେ । ସନ୍ଧ୍ୟାକାଳ ଉପସ୍ଥିତ ହେଲା । ବିକ୍ରମାଦିତ୍ୟ ରାଜା ମନରେ ବିଚାର କଲେ ସୈନ୍ୟଙ୍କୁ ଛାଡି ମୁଁ ଏତେ ଦୂର ଅଇଲି ମୃଗ ତ ପଳାୟନ କଲେ । ଶର ମୋର ବ୍ୟର୍ଥ ହେଲା । ଅନ୍ଧାର ହେଲା । ପଥ ଦେଖାଯାଉନି । ଏ ବନସ୍ତରେ ନିଶ୍ଚୟ ପ୍ରାଣ ଚାଲିଯିବ ।
ଏପରି ମନ ମଧ୍ୟରେ ଚିନ୍ତାକରି ରାଜା ଶିଶଂପା ବୃକ୍ଷ ମୂଳରେ ରହିଲେ । କେହି ଅଙ୍ଗରକ୍ଷୀ ନଥିବାରୁ ରାଜା ନଶୋଇ ଉଜାଗର ରହିଲେ । ଶୁକଶାରୀ ଦୁଇଟି ସେ ବୃକ୍ଷରେ ରହନ୍ତି । ଖାଦ୍ୟ ଅନ୍ୱେଷଣରେ ସେ ଯାଇଥିଲେ ପ୍ରତ୍ୟାବର୍ତନ କଲେ । ସେ ଦୁହେଁ କଥାବାର୍ତ୍ତା ହେଉ ହେଉ ମଧ୍ୟରାତ୍ରି ହେଲା । ଶାରୀ ବୃକ୍ଷତଳକୁ ଅନାନ୍ତେ ମନୁଷ୍ୟ ଜଣେ ବସିଥିବାର ଦେଖିପାରିଲା । ଆଶ୍ଚର୍ଯ୍ୟ ହୋଇ ଶୁକପକ୍ଷୀକୁ ପ୍ରଶ୍ନକଲା । ବୃକ୍ଷ ମୂଳରେ ବସିଥିବା ଲୋକ ଜଣକ କିଏ? ସେ କାହିଁକି ଏଠି ଧନୁଶର ଧରି ବସିଛି । ଶୁକ କହିଲା ସହି ଭୟ କରନାହିଁ ମୁଁ ଏହାକୁ ଜାଣେ । ପରମ ଧାର୍ମିକ ନ୍ୟାୟବନ୍ତ ସତ୍ୟବାଦୀ ଏ ନୃପ ତାଙ୍କ ନାମ ବିକ୍ରମାଦିତ୍ୟ । ବୃହସ୍ପତି ସମ ବିଦ୍ୟାରେ ନିପୁଣ । ନବରତ୍ନ ପଣ୍ଡିତ ଏହାଙ୍କର ସଭାରେ ଅଛନ୍ତି । ଶତ୍ରୁଗଣଙ୍କୁ ଏ ରାଜା କାଳପରି, ଉଜ୍ଜୟିନୀ ନଗ୍ରରେ ଏ ରାଜା । ଏହିଙ୍କର ଭଣ୍ଡାର ଧନଧାନ୍ୟରେ ପୂର୍ଣ୍ଣ ମାତ୍ର ସୁଯୋଗ୍ୟ ମନ୍ତ୍ରୀଟିଏ ଏହାଙ୍କ ପାଖରେ ନାହିଁ । କିଏ ସେ ଏହାଙ୍କୁ ନୀତି ଉପଦେଶ ଦେବ । ଏ ରାଜା ଯେବେ ମୋତେ ମନ୍ତ୍ରୀ କରି ନିଅନ୍ତେ ଏହାଙ୍କର ଯଶ କୀର୍ତି ସଂସାରରେ ବ୍ୟାପି ଯାଆନ୍ତା ।