ଏ ସଂସାରରେ ଯେତେ ରାଜା ଅଛନ୍ତି ସମସ୍ତଙ୍କ ଉପରେ ଚକ୍ରବର୍ତୀ ହୁଅନ୍ତେ । ମୁଁ କ୍ଷୁଦ୍ର ପକ୍ଷୀଟିଏ ଏ କ’ଣ ମୋ କଥାରେ ବିଶ୍ୱାସ କରିବେ । ଶୁକ କଥାଶୁଣି ଶାରୀ କହିଲା ଯେ ପରର ଉପକାରୀ ସେ ସ୍ୱର୍ଗକୁ ଯାଏ । ସେ ବଂଚିଥିବାଯାଏଁ ଲୋକେ ତାଙ୍କୁ ପ୍ରଶଂସା କରନ୍ତି । ପରର ମଙ୍ଗଳ ବହୁ ପୁଣ୍ୟ । ରାଜାଙ୍କର ଯେବେ ମଙ୍ଗଳ ହେବ ତୁମ୍ଭେ ତାଙ୍କର ମନ୍ତ୍ରୀ ହୁଅ । ଶୁକ ଥଟ୍ଟାକରି ଶାରୀକୁ କହିଲା ତୁ ମୋଠୁ ସ୍ନେହ ତୁଟାଇ ଆଉ କା ସାଙ୍ଗରେ ଗୁପ୍ତରେ ପ୍ରୀତି କଲୁଣି । ଏକଥା ଶୁଣି ଶାରୀ କ୍ରୋଧାନ୍ୱିତ ହୋଇ ଶୁକକୁ ଧିକ୍କାର କରି କହିଲା- ଏକଥା କହି ସ୍ୱାମୀ କୁଳରେ କିମ୍ପା କଳଙ୍କ ଲଗାଉଛ । ଯେବେ ଅନ୍ୟ ପୁରୁଷ କଥା ମୁଁ ଭାବୁଥିବି ଅକାଳରେ ବଜ୍ରପାତରେ ମୋର ପ୍ରାଣଯିବ । ଏପରି କହି ଶାରୀ ମୂର୍ଚ୍ଛା ଗଲା । ଶୁକ ତାଙ୍କୁ ଚେତା କଲା । ଶୁକ କହିଲା ପ୍ରିୟେ, ମୁଁ ତୁମ୍ଭର ମନ ବିଡୁଥିଲି । ମୁଁ ଜାଣେ ତୁ ପତିବ୍ରତା କୋପ ମନରୁ ତ୍ୟାଗକର । ମୁଁ ନିଶ୍ଚିତ ତାଙ୍କ ପାଖରେ ମନ୍ତ୍ରୀପଣ କରିବି ତୁ ଏଠାରେ ମୋ ବାଟକୁ ଚାହିଁ ବସିଥିବୁ ।
ଶୁକ ଶାରୀ ଦୁହେଁ ଏପରି କଥୋପକଥନ ହେବା ସମୟରେ ରାଜା ବିକ୍ରମାଦିତ୍ୟ ସେ କଥା ଶୁଣି ପାରିଲେ । ପ୍ରଭାତ ହେଲା । ରାଜା ବିକ୍ରମାଦିତ୍ୟ ଶୁକ ଓ ଶାରୀଙ୍କୁ କହିଲେ ମୁଁ ତୁମ୍ଭର କଥାବାର୍ତ୍ତା ଶୁଣିଛି । ଆଜିଠାରୁ ତୁମ୍ଭେ ମୋର ପ୍ରଧାନମନ୍ତ୍ରୀ ହେଲ । ରାଜ୍ୟର ଭାର ମୁଁ ତୁମ୍ଭ କରରେ ଦେଲି । ବିକ୍ରମାଦିତ୍ୟ କହିଲେ ତୁମ୍ଭେ ମୋ ସାଙ୍ଗରେ ଆସ । ଶୁକ କହିଲା ରାଜା ମୁଁ ନିଶ୍ଚିତ ଯିବି; ମାତ୍ର ମୋତେ ବନ୍ଦୀକରି ରଖିବ ନାହିଁ । ଶୁକପକ୍ଷୀ ଆସି ରାଜାଙ୍କ ହସ୍ତରେ ବସିଲା । ରାଜା ଆସି ସୈନ୍ୟ ସେନାଙ୍କ ପାଖରେ ପହଁଚିଲେ । ପାରିଧି ସାରୀ ଶୁକ ପକ୍ଷୀକୁ ଧରି ନିଜ ରାଜ୍ୟରେ ପହଁଚି ଗଲେ । ସେହିଦିନଠାରୁ ଶୁକ ସଙ୍ଗରେ ବିଚାର କରି ରାଜ୍ୟ ଶାସନ କରନ୍ତି ।
ଏକ ଦିନକର କଥା । ଶୁକପକ୍ଷୀ ସହିତ ରାଜା ବିକ୍ରମାଦିତ୍ୟ ରାଜସଭାରେ ବସିଥାନ୍ତି । ସହସା ଏକ ରାକ୍ଷସୀ ରାଜସଭାମଧ୍ୟରେ ପ୍ରବେଶ କରି ଅଟ୍ଟହାସ୍ୟ କରି ବିକ୍ରମାଦିତ୍ୟକୁ ଅନାଇ କହିଲା ହେ ଧର୍ମରାଜ ତୋର ସଭା ନବରତ୍ନ ପଣ୍ଡିତେ ମଣ୍ଡନ୍ତି । ଜଗତସାରା ପ୍ରଶ୍ନଟିଏ ପଚାରି ତା’ର ଉତ୍ତର ପାଇପାରିଲି ନାହିଁ । ମୋ ପ୍ରଶ୍ନର ଉତ୍ତର ଯେ ଦେଇ ନ ପାରିଛନ୍ତି, ସେମାନଙ୍କର ମୁଣ୍ଡ ମୋଡି ମୁଁ ଖାଇଦେଇଛି । ଯେବେ ମୋ ପ୍ରଶ୍ନର ଉତ୍ତର ନଦେବ ତୋ ସଙ୍ଗରେ ତୋ ରାଜ ପରିଷଦମାନଙ୍କୁ ଗୋଟି ଗୋଟି ଗିଳିଦେବି । ବିକ୍ରମାଦିତ୍ୟ କହିଲେ ହେ ରାକ୍ଷସୀ ତୁ କି ପ୍ରଶ୍ନ ପଚାରିବୁ ପଚାର । ନ କହି ପାରିଲେ ତୁ ଭକ୍ଷଣ କରିବୁ । ଯେବେ ପ୍ରଶ୍ନର ଉତ୍ତର ଦିଆଯିବ ତୁ କି ଦଣ୍ଡ ନେବୁ କହ ।