ରାକ୍ଷସ କହିଲା ହେ ନୃପ! ମୋର ପ୍ରଶ୍ନ କଥା ଶୁଣ । ମୃଗ ମୃଗୀ ଦୁଇଜଣ ସୁଖରେ ଏକ ବନରେ ବାସ କରୁଥିଲେ । ଦୁହିଁଙ୍କ ମଧ୍ୟରେ ଉତ୍ତମ ପ୍ରୀତି ଥିଲା । ଜଣେ ଜଣଙ୍କୁ ନ ଦେଖିଲେ ଦଣ୍ଡେ ରହିପାରନ୍ତି ନାହିଁ । ମୃଗୁଣୀର ଗର୍ଭ ପାଂଚମାସ । ଦିନେ ଭ୍ରମଣ କରୁ କରୁ ବହୁଦୂର ଚାଲିଗଲେ । ଉଭୟଙ୍କୁ ତୃଷା ହେଲା । ଜଳ ଖୋଜିଲେ କିନ୍ତୁ ପାଇଲେ ନାହିଁ । ଆତୁର ହୋଇ ଦୁହେଁ ଜଳ ଖୋଜିଲେ । ଗିରୀ କ୍ରୋଟରରେ ଅଳ୍ପ ଜଳ ଥିବାର ଦେଖିଲେ । ସେ ଚଳେ ଚଳୁଏ ବା ଦୁଇଚଳ ହେବ । ସେ ଜଳ ପାନ କଲେ ଜଣକର ଶୋଷ ମେଂଟିବ । ତେଣୁ ମୃଗ କହିଲା ତୁମ୍ଭେ ଜଳପାନକର । ତୁମ୍ଭ ଗର୍ଭରୁ ଶିଶୁ ଜାତ ହେଲେ ବଂଶରକ୍ଷା ହେବ । ମୁଁ ମଲେ କିଛି ନାହିଁ । କିନ୍ତୁ ତୁମ୍ଭେ ମଲେ ଶିଶୁହତ୍ୟା ଦୋଷ ଲାଗିବ । ମୃଗୀ କହିଲେ ନାଥ, ତୁମ୍ଭେ ବିନାଶ ହେବ ମୁଁ ଜଳପାନ କରି ବଂଚି ରହିବି । ମୁଁ ଯେବେ ଜଳ ପାନ କରେ କୋଟି ଜନ୍ମର ପାପ ଲାଗିବ । ପାପ କରି ନାରୀକୂଳେ ଜନ୍ମନେଲି ପୁଣି ପାପ କରିବି । ତୁମ୍ଭେ ଜଳ ପାନ କର । ପତିଥାଇ ପତ୍ନୀ ବିନାଶ ହେଲେ ଭଲ? ଏପରି ଦୁହେଁ ଦୁହିଁଙ୍କୁ ଜଳପାନ କରିବାକୁ କହିଲେ; ମାତ୍ର କେହି ଜଳ ପାନ କଲେ ନାହିଁ । ଏହି କଥାର ବିଚାର କର । ଧର୍ମ ଉପରୁ ସେ ଦୁହିଁଙ୍କ ମଧ୍ୟରେ କାହାର କା ଠାରେ ଅଧିକ ସ୍ନେହ ଥିଲା ।
ରାକ୍ଷସୀର ପ୍ରଶ୍ନ ଶୁଣି ବିକ୍ରମାଦିତ୍ୟ ତାଙ୍କର ପଣ୍ଡିତ ସଭାକୁ ଅନାଇ କହିଲେ ହେ ପଣ୍ଡିତ ମଣ୍ଡଳୀ ମୋର ପ୍ରଶ୍ନର ଉତ୍ତର ଦିଅ । ବରରୁଚି ଅଜାଙ୍କ ଆଦେଶ ଶୁଣି କହିଲେ ଉଭୟଙ୍କ ଠାରେ ଉଭୟଙ୍କର ସ୍ନେହ ଥିଲା । ରାକ୍ଷସୀ ଏକଥା ଶୁଣି ମନାକଲା । ଏହା ପ୍ରଶ୍ନର ସଠିକ୍ ଉତ୍ତର ନୁହେଁ । କବିଶ୍ରେଷ୍ଠ କାଳିଦାସ ରାକ୍ଷସୀର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, ମୃଗୁଣୀର ଅପେକ୍ଷା ମୃଗର ପ୍ରୀତି ଅଧିକ । ପୁରୁଷ ବିନା ନାରୀଙ୍କର ଗତି ନାହିଁ । ପୁରୁଷ ସ୍ତ୍ରୀଙ୍କପାଇଁ କଷ୍ଟ ସହନ୍ତି ନାହିଁ ଶାସ୍ତ୍ରର ଗାର । ମୃଗୀର ପ୍ରତି ମୃଗଠାରୁ ଅଧିକ । ରାକ୍ଷସୀ ଏ ଉତ୍ତରକୁ ନାପସନ୍ଦ କଲା । ଦଶଜଣ କରି ଉତ୍ତର ଦେଲେ ରାକ୍ଷସୀ, ଶୁଣିଲା କହିଲା, ଏ ସମସ୍ତ ପ୍ରଶ୍ନର ଉତ୍ତର ଠିକ୍ ନୁହେଁ । ରାକ୍ଷସୀ କହିଲା ହେ ନୃପବର ମୁଁ ସମସ୍ତଙ୍କୁ ଭକ୍ଷଣ କରିବି ।
ନବରତ୍ନ ପଣ୍ଡିତମାନଙ୍କ ଉତ୍ତରକୁ ନାପସନ୍ଦ କରନ୍ତେ ରାଜା ବିକ୍ରମାଦିତ୍ୟ ଶୁକ ପକ୍ଷୀକୁ କହିଲେ ମନ୍ତ୍ରୀବର ତୁମ୍ଭେ ଏବେ କୁହ । ଶୁକ ମନ୍ତ୍ରୀ କହିଲେ ହେ ରାକ୍ଷସୀ ଏ ଛାର ପ୍ରଶ୍ନ କହି ଏତେ ଦର୍ପ ଦେଖାଇ ହେଉଛୁ । ପରସ୍ପରଙ୍କ ମଧ୍ୟରେ ପ୍ରୀତି ନଥିବାରୁ ଦୁହେଁ ମରଣ ଲଭିଲେ । ରାକ୍ଷସୀ କହିଲା, ଶୁକ ମନ୍ତ୍ରୀ ପରସ୍ପରଠାରେ କିପରି ସ୍ନେହ ନଥିଲା ବୁଝାଇ ଦିଅ । ପରସ୍ପର ପ୍ରତି ଯଦି ସ୍ନେହ ଥାଆନ୍ତା ଉଭୟେ କିଛି କିଛି ଜଳପାନ କରି ତୃଷା ନିବାରଣ କରିଥାନ୍ତେ । ଏ ଦୁହେଁ ଯେବେ ପୁନଶ୍ଚ ଜନ୍ମ ନିଅନ୍ତି ଦୁହେଁ ପତିପତ୍ନୀ ହେବେ ନାହିଁ । ଶୁକ ମୁଖରୁ ପ୍ରଶ୍ନର ଉତ୍ତର ପାଇ ରାକ୍ଷସୀ ଗର୍ଜନ ତର୍ଜନ କରି ଚାଲିଗଲା । ଯିବାବେଳେ କହିଲା ଏ ଶୁକପକ୍ଷୀ ତତ୍ୱଜ୍ଞାନୀ, କିନ୍ତୁ କିପରି ପକ୍ଷୀ ଯୋନିରେ ଜନ୍ମଲାଭ କଲା? ଶୁକପକ୍ଷୀର ବିଚାର ଶୁଣି ସମସ୍ତେ ଧନ୍ୟ ଧନ୍ୟ କଲେ ।