ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୁଖିଆଙ୍କର କୁକାର୍ଯ୍ୟ

ଦିନେ ଜଣେ ବୃଦ୍ଧା ବିରବଲଙ୍କୁ ସାକ୍ଷାତ କରିବାପାଇଁ ଆସିଲେ । ତାଙ୍କ ସମସ୍ୟାର ସମାଧାନ ବିରବଲ କରନ୍ତୁ ବୋଲି ସେ କହୁଥିଲେ । ବିରବଲ ପ୍ରଥମେ ବୃଦ୍ଧାଙ୍କର ସମସ୍ୟା ସଂପର୍କରେ ଜାଣିବାକୁ ଚାହିଁଲେ । ବୃଦ୍ଧା କହିଲେ, “ମୋର ଝିଅର ଶାଶୁ ଘର ଏଇ ପାଖ ଗାଁରେ । ମୋର ଝିଅ ପାଇଁ ଜୀବନ ସାରା ସଂଚି ସଂଚି କିଛି ଗହଣା ତିଆରି କରିଥିଲି । ସେହି ଗହଣା ଗୁଡିକ ମୁଁ ଆମ ଗାଁର ମୁଖିଆଙ୍କ ପାଖରେ ରଖିଥିଲି । ମୁଁ ଯେତେବେଳେ ଝିଅ ଘରକୁ ଯିବାକୁ ବାହାରିଲି ତାଙ୍କ ପାଖକୁ ଯାଇ ଗହଣା ଗୁଡିକ ଦେବାପାଇଁ କହିଲି । ହେଲେ ସେ ମୋ ଗହଣା ଗୁଡିକ ଫେରାଇବା ବଦଳରେ ମୋତେ ନାନାଦି କଥା କହି ଗାଳି ଦେଲେ । ଦୟାକରି ଆପଣ ମୋତେ ସାହାଯ୍ୟ କରନ୍ତୁ ।

         ବୃଦ୍ଧାଙ୍କର କଥା ଶୁଣି ବିରବଲ ତାଙ୍କୁ ପ୍ରଥମେ ଆଶ୍ୱାସନା ଦେଲେ । ପ୍ରଥମେ ଗ୍ରାମ ମୁଖିଆଙ୍କ ନାମ ଠିକଣା ମାଗି ତାଙ୍କ ପାଖକୁ ପତ୍ର ଲେଖିଲେ । ପତ୍ରଟିକୁ ଜଣେ କର୍ମଚାରୀଙ୍କ ହାତରେ ପଠାଇଦେଲେ । ତହିଁ ଆରଦିନ ବୃଦ୍ଧା ଜଣକ ମନ ଦୁଃଖରେ ପୁଣି ବିରବଲଙ୍କ ପାଖକୁ ଆସିଲେ । ବୃଦ୍ଧାଙ୍କୁ ଦେଖି ବିରବଲ କହିଲେ, “ମାଉସୀ! ତୁମେ ଆଉ ଚିନ୍ତା କର ନାହିଁ । ଏଥରକ ମୁଖିଆଙ୍କ ପାଖକୁ ଯାଇ ଅଳଂକାର ଗୁଡିକ ନେଇ ଆସ ।” ବିରବଲଙ୍କ କଥା ଶୁଣି ବୁଢୀ ସଂଗେ ସଂଗେ ମୁଖିଆଙ୍କ ପାଖରେ ଯାଇ ପହଁଚିଗଲେ । ମୁଖିଆ ମଧ୍ୟ ଖୁସି ମନରେ ଗହଣା ଗୁଡିକ ବୁଢୀକୁ ଫେରାଇ ଦେଲେ । ଗହଣ ଆଣିବା ପରେ ବୁଢୀ ଖୁସି ମନରେ ବିରବଲଙ୍କ ନିକଟକୁ ଆସି ତାଙ୍କୁ ଧନ୍ୟବାଦ ଜଣାଇଲା । ଏହା ଦେଖି ଜଣେ ସଭ୍ୟ ବିରବଲଙ୍କୁ ପଚାରିଲେ, “ମହାଶୟ! ମୁଖିଆ ପ୍ରଥମେ ବୃଦ୍ଧାଙ୍କୁ ଅଳଂକାର ଦେଉନଥିଲେ । ହେଲେ ଆପଣଙ୍କ ପତ୍ରରେ ଏମିତି କ’ଣ ଥିଲା ଯେ ମୁଖିଆ ପତ୍ର ପାଇବା ମାତ୍ରକେ ବୃଦ୍ଧାଙ୍କୁ ଅଳଂକାର ଫେରାଇ ଦେଲେ ।” ସଭ୍ୟଜଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ କହିଲେ, “ମୁଁ ପତ୍ରରେ ମୁଖିଆଙ୍କୁ ପଦୋନ୍ନତି ଦେବାକଥା ଲେଖିଥିଲି । ଯଦି ସେ ବୁଢୀ ମାଉସୀଙ୍କୁ ଗହଣା ନ ଫେରାନ୍ତି ତା’ହେଲେ ତାଙ୍କର ପଦୋନ୍ନତି ହୋଇପାରିବ ନାହିଁ ବୋଲି ଲେଖିଥିଲି । ପଦୋନ୍ନତି ପାଇବା ଆଶାରେ ସେ ମାଉସୀଙ୍କର ଗହଣା ଫେରାଇ ଦେଲେ ।” ଗ୍ରାମର ମୁଖିଆମାନେ ସାଧାରଣତଃ ସଚ୍ଚୋଟ ସ୍ୱଭାବର ହେବା ଆବଶ୍ୟକ । ହେଲେ ଏହି ମୁଖିଆ ଜଣକ ଠକ ସ୍ୱଭାବର । ତେଣୁ ସେ ଗ୍ରାମର ମୁଖିଆ ହେବାର ଯୋଗ୍ୟ ନୁହଁନ୍ତି । ତେଣୁ ତାଙ୍କୁ ବର୍ତ୍ତମାନ ମୁଁ ଦରବାରକୁ ଡକାଇ ତାଙ୍କଠାରୁ ମୁଖିଆ ପଦ ପ୍ରତ୍ୟାହାର କରିନେବି ।


ଗପ ସାରଣୀ

ତାଲିକାଭୁକ୍ତ ଗପ