‘ହରିନାଥ’ ନାମକ ଜଣେ ଚିତ୍ରକର ଆଗ୍ରା ସହରରେ ବାସ କରୁଥିଲେ । ସେ ତାଙ୍କର ଜୀବିକାକୁ ନେଇ ଖୁବ୍ ଖୁସିଥିଲେ ଏବଂ ଯାହା କିଛି ରୋଜଗାର କରୁଥିଲେ, ସେଥିରେ ସେ ଖୁସିରେ ଚଳି ଯାଉଥିଲେ । କିନ୍ତୁ ତାଙ୍କର ଗୋଟିଏ ଦୋଷ ଥିଲା ଯେ, ସେ ଗୋଟିଏ ଚିତ୍ର କରିବାପାଇଁ ବହୁତ ସମୟ ନେଉଥିଲେ । ତେଣୁ ସେ ଅଧିକ ଧନ ରୋଜଗାର କରିପାରୁନଥିଲେ । ଯେତିକି ଧନ ରୋଜଗାର କରୁଥିଲେ ତାହା ତାଙ୍କର ଚିତ୍ରପାଇଁ ବିଭିନ୍ନ ସାମଗ୍ରୀ କିଣିବାରେ ବ୍ୟୟ ହୋଇଯାଉଥିଲା ।
ଦିନେ ସେ ବଜାରକୁ ଯିବା ସମୟରେ ଜଣେ ଧନୀ ବ୍ୟକ୍ତିଙ୍କ ଘର ଦେଖି ତାଙ୍କୁ ଦେଖା କରିବାକୁ ଇଚ୍ଛା ପ୍ରକାଶ କଲେ । ସେ ଜାଣି ନଥାନ୍ତି ଯେ, ଧନୀ ବ୍ୟକ୍ତି ଜଣକ ଜଣେ କୃପଣ ବ୍ୟକ୍ତି । ହରିନାଥ ଧନୀବ୍ୟକ୍ତିଙ୍କୁ ତାଙ୍କର ଏକ ଚିତ୍ର ଆଙ୍କିବା ପାଇଁ ରାଜି କରାଇଲେ ହରିନାଥ ମନେ ମନେ ଭାବିଥାଆନ୍ତି, ଧନୀ ବ୍ୟକ୍ତି ତାଙ୍କର ଚିତ୍ର ଦେଖିବା ପରେ ଖୁସି ହେବେ ତେଣୁ ତାଙ୍କୁ ଦେଖାଇବା ପାଇଁ ବାହାରିଲେ । ଧନୀ ବ୍ୟକ୍ତି କିନ୍ତୁ ସଂଗେ ସଂଗେ ସେହି ଚିତ୍ରରୁ ଦୋଷ ବାହାର କଲେ । ଧନୀ ବ୍ୟକ୍ତି କହିଲେ, ତୁମେ ଏପରି ଚିତ୍ର ଆଙ୍କିଛ ଯେ, ମୁଁ ଜଣେ ଯୁବକ ପରି ଦେଖାଯାଉଛି । ତେଣୁ ମୁଁ ତୁମକୁ ତୁମର ପାଉଣା ଦେଇ ପାରିବି ନାହିଁ ।”
ଧନୀ ବ୍ୟକ୍ତିଙ୍କ କଥା ଶୁଣି ହରିନାଥ କହିଲେ, “ମହାଶୟ! ମୁଁ ଚିତ୍ରଟିକୁ ପୂର୍ଣ୍ଣ ରୂପ ଦେଇ ନାହିଁ । ମୁଁ ତୁମକୁ ଯେଉଁ ଚିତ୍ରଟି ଦେଖାଇଲି ଏହା ପ୍ରାରମ୍ଭିକ ଅବସ୍ଥା । ମୁଁ ଆସନ୍ତା କାଲି ଆପଣଙ୍କର ଅବିକଳ ଚିତ୍ର ଆଙ୍କି ଆଣିବି ।” ଏହାକହି ହରିନାଥ ଧନୀ ବ୍ୟକ୍ତିଙ୍କ ଠାରୁ ବିଦାୟ ନେଲେ । ପରଦିନ ଚିତ୍ର ଆଙ୍କି ଧନୀ ବ୍ୟକ୍ତିଙ୍କ ଘରେ ପହଁଚିଗଲେ । ଧନୀ ବ୍ୟକ୍ତି ପୁଣି ଥରେ ମଧ୍ୟ ଚିତ୍ରର ଦୋଷଗୁଣ ବାହାର କଲେ ଏବଂ ହରିନାଥଙ୍କୁ ପାଉଣା ଦେବାକୁ ମନା କଲେ । ଧନୀ ବ୍ୟକ୍ତି ଯେମିତି ପୁଣି ଥରେ ମନା କଲେ, ହରିନାଥ ତାଙ୍କୁ ଆଉ କିଛି ନକହି ମନମାରି ଫେରି ଆସିଲେ । ମନେ ମନେ ଠିକ୍ କଲେ ବିରବଲଙ୍କ ନିକଟକୁ ଯାଇ ସବୁ କଥା କହିବେ । ଏହା ସ୍ଥିର କରି ବିରବଲଙ୍କ ପାଖରେ ଯାଇ ପହଁଚିଲେ ଏବଂ ସମସ୍ତ ଘଟଣା ବର୍ଣ୍ଣନା କଲେ ।