ଦିନେ ଜଣେ ବୋକା ବ୍ରାହ୍ମଣ ବିରବଲଙ୍କ ନିକଟରେ ଆସି ପହଁଚିଲେ । ବ୍ରାହ୍ମଣ ଜଣକ ବିଦ୍ୟାବୁଦ୍ଧିରେ ପ୍ରବୀଣ ନଥାଇ ମଧ୍ୟ ସେ ସମସ୍ତଙ୍କ ନିକଟରେ ନିଜକୁ ମହାପଣ୍ଡିତ ବୋଲି ପରିଚୟ ଦିଅନ୍ତି । ସମସ୍ତେ ତାଙ୍କୁ ପଣ୍ଡିତ ବୋଲି ଜ୍ଞାନ କରି ସମ୍ମାନ ପ୍ରଦର୍ଶନ କରନ୍ତୁ, ଏହା ତାଙ୍କର ଇଚ୍ଛା ଥିଲା । କିନ୍ତୁ କେହି ତାଂକୁ ପଣ୍ଡିତର ମର୍ଯ୍ୟାଦା ପ୍ରଦାନ କରୁନଥାନ୍ତି । ପ୍ରକୃତରେ ତ’ ସେ ଜଣେ ମୂର୍ଖ ଓ ବୋକା । ତାଙ୍କୁ ବା’ କିଏ କାହିଁକି ପଣ୍ଡିତର ସମ୍ମାନ ପ୍ରଦାନ କରିବ । ତେଣୁ ବ୍ରାହ୍ମଣଟି ବିରବଲଙ୍କ ନିକଟରେ ପହଁଚି ନିଜର ମନକଥା ପ୍ରକାଶ କଲା । ବିରବଲ ମଧ୍ୟ ବ୍ରାହ୍ମଣଟି ଏକ ମୂର୍ଖ ତାହା ଜାଣିପାରିଲେ ।
ମନେ ମନେ ବିରବଲ ଏକ କଥା ଚିନ୍ତା କଲେ । ବ୍ରାହ୍ମଣଙ୍କୁ ପାଖକୁ ଡାକି କହିଲେ – “ଆପଣ ଏଇ ଗୋଟେ ସାମାନ୍ୟ କଥା ପାଇଁ ଏମିତି ବ୍ୟସ୍ତ ହେଉଛନ୍ତି । ମୁଁ ଯାହା କହିବି ମୋ କଥା ମାନିଲେ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ । ଏହା କହି ବିରବଲ କହିଲେ – “ତୁମକୁ ଯେତେବେଳେ ଯିଏ ପଣ୍ଡିତ ବୋଲି ସମ୍ବୋଧନ କରିବ, ତୁମେ ତାକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ୍ ଆରମ୍ଭ କରିଦେବ । ତା’ ସଂଗେ ସଂଗେ ଇଟା, ପଥର ଯାହା ପାଇବ ଉପରକୁ ଫୋପାଡିବ ।
ଏହାପରେ ବିରବଲ ତାଙ୍କର କର୍ମଚାରୀମାନଙ୍କୁ ବ୍ରାହ୍ମଣଙ୍କୁ ‘ପଣ୍ଡିତ’ ବୋଲି ସମ୍ବୋଧନ କରିବାକୁ କହିଲେ । କର୍ମଚାରୀମାନେ ଯେମିତି ବ୍ରାହ୍ମଣଙ୍କୁ ‘ପଣ୍ଡିତ’ ବୋଲି କହିଲେ, ସେ ମନେ ମନେ ଖୁସି ହୋଇଗଲେ । ସଂଗେ ସଂଗେ କର୍ମଚାରୀମାନଙ୍କୁ ଗାଳି ଗୁଲଜ୍ କରିବା ଆରମ୍ଭ କରିଦେଲେ ଓ ଇଟା ପଥର ଫିଙ୍ଗିବା ଆରମ୍ଭ କରିଦେଲେ । ଏହି କଥାଟି ଚାରିଆଡେ ବ୍ୟାପିଗଲା । ସହରରେ ସମସ୍ତେ ସେହି ବ୍ରାହ୍ମଣଙ୍କୁ ‘ପଣ୍ଡିତ’ ବୋଲି ସମ୍ବୋଧନ କଲେ । ସେ ମଧ୍ୟ ବିରବଲ କହିଥିବା କଥା ଅନୁଯାୟୀ ତା’ର କାର୍ଯ୍ୟ ଆରମ୍ଭ କରିଦେଉଥିଲା । ବ୍ରାହ୍ମଣ ତ’ ମୂର୍ଖ, ବୋକା, ସେ ବା’ କାହିଁକି ଏକଥାର ଅର୍ଥ ବୁଝିପାରିବ । ସେ ମନେ ମନେ ଖୁସ୍ ଯେ ତାକୁ ଲୋକମାନେ ପଣ୍ଡିତ ବୋଲି ସମ୍ବୋଧନ କରୁଛନ୍ତି । ଦିନେ ବ୍ରାହ୍ମଣ ବିରବଲଙ୍କ ନିକଟରେ ପହଁଚି ଏଥିପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କଲେ ।