ଜଣେ ଜମିଦାର ଥିଲେ । ଦୀର୍ଘପ୍ରସ୍ଥ ଚଉଦକୋଶ ତାଙ୍କର ଜମିଦାରୀ । ତାଙ୍କ ଜମିଦାରୀରେ କେତେ ଜମିଜମା, ଜଙ୍ଗଲ, ନଈ, ନାଳ, କୂଅ, ପୋଖରୀ ଓ ବାମ୍ଫୀ । ତେଣୁ ପ୍ରଜାମାନେ ଅତି ଆଦରରେ ସେ ଜମିଦାରକୁ ‘ରାଜା’ ବୋଲି ଡାକନ୍ତି । ରାଜା ଥିଲେ ବଡ ଦୟାଳୁ ଓ ଉପକାରୀ । କାହାରି ଦୁଃଖ ସେ ଆଦୌ ସହିପାରନ୍ତି ନାହିଁ । ସେ ଥିଲେ ପ୍ରଜାମାନଙ୍କର ବାପା’ ମା’ । ପ୍ରଜାମାନଙ୍କ ପାଇଁ ସେ ରାଜମହଲରେ ଫାଟକ ସବୁବେଳେ ଖୋଲା ଥାଏ । ଅସମୟରେ ମଧ୍ୟ ପ୍ରଜାମାନେ ତାଙ୍କ ରାଜାଙ୍କ ପାଖରେ ନିଜ ଦୁଃଖ ଜଣାନ୍ତି ।
ସେ ରାଜାଙ୍କର ଗୋଟିଏ ବୋଲି ପୁଅ ମହେନ୍ଦ୍ର କୁମାର । ପିଲାଦିନୁ ତ ସେ ଖୁବ୍ ଅଲିଅଳିରେ ବଢିଥିଲେ । ସବୁବେଳେ ବିଳାସବ୍ୟସନରେ ସେ ଦିନ କାଟୁଥିଲେ । ତାଙ୍କ ସାଙ୍ଗରେ ମଉଜମଜଲିସ୍ କରିବା ପାଇଁ ସାଙ୍ଗସାଥୀ ମଧ୍ୟ ଜୁଟି ଯାଉଥିଲେ । ରାଜକାର୍ଯ୍ୟ ବୁଝିବା ପାଇଁ ସେ କେବେହେଲେ ବି ଆଗ୍ରହୀ ହେଉନଥିଲେ । ତାଙ୍କୁ ଅବା ଫୁରସତ୍ କାହିଁ?
ହଠାତ୍ ଦିନେ ସେ ଜମିଦାର ଅସୁସ୍ଥ ହୋଇ ପଡିଲେ । କେତେ ଡାକ୍ତର କବିରାଜ ତାଙ୍କ ପିଛା ଲାଗି ପଡିଲେ । ହେଲେ ପ୍ରଜାମାନଙ୍କର ପ୍ରିୟ ରାଜାଙ୍କୁ କେହି ବି ଆଉ ବଂଚାଇ ରଖିପାରିଲେ ନାହିଁ । ଶେଷରେ ସେ ଜମିଦାର ଚିରଦିନ ପାଇଁ ଆଖି ବୁଜିଦେଲେ ।
ତାପରେ ଜମିଦାରୀର ଉତ୍ତରାଧିକାରୀ ହେଲେ ମହେନ୍ଦ୍ରକୁମାର । ଅକଳନ ଧନସମ୍ପତ୍ତି, ଜମି ବାଗ ବଗିଚାର ମାଲିକ ସେ । ରାଜା ଯେ ପ୍ରଜାଙ୍କର ସେବକ, ତାଙ୍କର ସୁଖ ଦୁଃଖର ସାଥୀ, ଏହି କଥା ମହେନ୍ଦ୍ରକୁମାର ପୁରାପୁରି ଭୁଲିଗଲେ । ଖୁସାମୋଦିଆ ଲୋକମାନଙ୍କ ଗହଣରେ ସେ ମହେନ୍ଦ୍ରକୁମାର କେବଳ ଭୋଗ ବିଳାସରେ ମାତି ରହିଲେ । ଏଇମିତି ଚାହୁଁ ଚାହୁଁ ବରଷଟିଏ ବିତିଗଲା । ସେ ମହେନ୍ଦ୍ରକୁମାର ତା ବାପାଙ୍କର ଶ୍ରାଦ୍ଧ ଦେବାପାଇଁ ମଧ୍ୟ ଭୁଲିଗଲେ ।
ବାପା ବୋଉ କେତେ ସ୍ନେହରେ ତାଙ୍କ ପିଲାଙ୍କୁ ପାଳନ କରନ୍ତି, ଉପଯୁକ୍ତ ମଣିଷ ହେବା ପାଇଁ ତାକୁ ସମସ୍ତ ପ୍ରକାର ସାହାଯ୍ୟ ବି କରନ୍ତି । ସେଇ ବାପା ବୋଉଙ୍କ ମୃତ୍ୟୁ ପରେ ତାଙ୍କ ଅର୍ଜିତ ସମ୍ପତ୍ତିର ଅଧିକାରୀ ହୁଅନ୍ତି ତାଙ୍କରି ସନ୍ତାନ ମାନେ । ସେମାନେ ଜୀଇଥିଲାବେଳେ ବାପାବୋଉଙ୍କର ଯେପରି ସେବା କରିବା ଉଚିତ୍, ମରିଗଲା ପରେ ତାଙ୍କର ଆତ୍ମାର ଶାନ୍ତି ପାଇଁ ମଧ୍ୟ ଶ୍ରାଦ୍ଧ ଓ ଦାନ-ପୁଣ୍ୟ କରିବା ଆବଶ୍ୟକ । ନୂତନ ରାଜପଦରେ ରହି ମହେନ୍ଦ୍ରକୁମାର ନିଜର ସମସ୍ତ କର୍ତ୍ତବ୍ୟ ଭୁଲିଗଲେ । ତେଣେ ପରଲୋକରେ ବୃଦ୍ଧ ଜମିଦାରଙ୍କ ଆତ୍ମାକୁ ଶାନ୍ତି ଆଦୌ ମିଳିଲା ନାହିଁ । ତାଙ୍କ ଆତ୍ମାର ଶାନ୍ତି ପାଇଁ ପୁଅ ମହେନ୍ଦ୍ର କୁମାର ଶ୍ରାଦ୍ଧ ଓ ଦାନ, ପୁଣ୍ୟ କରିବାକୁ ଭୁଲିଗଲେ ।