ଛୋଟ ଗାଁଟିଏ । ସେହିଠାରେ ଜଣେ ଗରିବ ଚାଷୀ ବାସ କରୁଥାଏ । ତାର ସମ୍ପତ୍ତି କହିଲେ ଛୋଟ ଚାଳଘରଟିଏ, ଜମି ଦୁଇମାଣ ଓ ହଳୁଟିଏ ବଳଦ । ପରିବାର ଭିତରେ ତାର ସ୍ତ୍ରୀ ଓ ତିନୋଟି ପୁଅ । ସେ ଚାଷୀଟି ଚାଷ କରି ଯାହା ଅମଳ କରେ, ସେଥିରେ ତ ତା ପରିବାରକୁ ନିଅଂଟ ହୁଏ । ସେମାନେ ଦିନେ ଖାଇଲେ ଆଉ ଦିନେ ଉପବାସ ରହନ୍ତି । ଏଇମିତି ଦୁଃଖେ ସୁଖେ ଦିନ ଯାଉଥାଏ ।
ଦିନକର କଥା । ସେ ଚାଷୀ ଜଣକ ତାର ବଳଦ ନେଇ ବିଲରେ ହଳ କରୁଥାଏ । ତା ସାନପୁଅଟି ହିଡ ମୁଣ୍ଡରେ ବସି ଖେଳୁଥାଏ । ହଠାତ୍ ଆକାଶଟା ଅନ୍ଧାର ହୋଇଗଲା । ଅଦିନ ମେଘ ମାଡି ଆସିଲା ଭାବି ସେ ଚାଷୀଟି ହଠାତ୍ ଆକାଶକୁ ଚାହିଁଲା । ଆକାଶରେ ମେଘ ତ ନାହିଁ, ଅଥଚ କ’ଣ ଗୋଟାଏ ଆକାଶକୁ ଘୋଡାଇ ଉଡି ଆସିଲା; ଆଉ ତାରି ବିଲ ଉପରେ ବସି ପଡିଲା । ସେ ପକ୍ଷୀଟାର ଗୋଡ ଦୁଇଟା ଠିକ୍ ଯୋଡାଏ ବଡ ଖମ୍ବ ପରି । ତା’ରି ପେଟ ତଳେ ଏ ବାପ, ପୁଅ ଓ ବଳଦ ଦୁଇଟା ରହିଗଲେ ।
ସେ ଚାଷୀଟି ଏସବୁ ଦେଖି ପ୍ରଥମେ କିଛି ବି ଭାବି ପାରିଲା ନାହିଁ । ପିଲାଦିନରୁ ବୁଢୀ ମା’ଠାରୁ ସେ ଚାଷୀ ତ ଶୁଣିଥିଲା, ସେ ଗଣ୍ଡଭୈରବ ଚଢେଇ କଥା । ହେଲେ କେବେହେଲେ ତ ସେ ଚାଷୀଟି ଗଣ୍ଡଭୈରବ ଚଢେଇକୁ ଆଦୌ ଦେଖି ନଥିଲା । ତେଣୁ ସେ ମନେ ମନେ ବିଚାରିଲା, ଏ ଆଉ ସେ ଗଣ୍ଡଭୈରବ ଚଢେଇ ନୁହେଁ ତ! ଏହିପରି ସବୁ ଭାବି ଭାବି ଭୟରେ ଖାଲି ସେଚାଷୀଟିର ଦେହ ଥରୁଥାଏ ଓ ଝାଳ ମଧ୍ୟ ବୋହି ଯାଉଥାଏ ।
ସେ ଚାଷୀଟି ଆହୁରି ଡରିଗଲା, ଯେତେବେଳେ ସେ ଦେଖିଲା ତାର ଥଂଟଟା ଗୋଟାଏ ଗୁଆ ଗଛ ପରି ଲମ୍ବା । ସେ ପୁଣି ମଣିଷ ପରି କଥା କହିଲା, “ମୋର ପିଲାମାନେ ତ ଭୋକିଲା ଅଛନ୍ତି । ଏବେ କହ, ତୁ ତୋର ପୁଅକୁ ଦେବୁ ନାଁ ବଳଦ ଦୁଇଟାକୁ ଦେବୁ । ଚଂଚଳ ନିଷ୍ପତି କର । ମୋର ଆଉ ସମୟ ନାହିଁ ଅପେକ୍ଷା କରିବାକୁ ।”
ଚାଷୀଟି ଏପରି କଥା ଶୁଣି ସେ ବିଚରା ଆଉ କ’ଣ କରିବ? ବଳଦ ଦୁଇଟି ତ ତାର ଆଶ୍ରା । ଚାଷରେ ତ ସେମାନେ ତାକୁ ସାହାଯ୍ୟ କରନ୍ତି, ଜଙ୍ଗଲରୁ କାଠ ବୋହି ଆଣନ୍ତି । ସେମାନଙ୍କୁ ଦେଇଦେଲେ ସେ ଚଳିବ ବା କିପରି? ଏଣେ ତା’ର ତ ତିନି ପୁଅ । ଗୋଟିଏ ପୁଅ ଏ ଚଢେଇ ପେଟରେ ଗଲେ ଆଉ ଦୁଇ ପୁଅ ତ ଅଛନ୍ତି । ହେଲେ ସେ ସାନପୁଅ, ଭାରି ଗେଲବସର । ତାକୁ ଛାଡିଲେ ତା’ର ମା’ ତ ଆଦୌ ବଂଚିବ ନାହିଁ । ଏବେ ସେ କେଉଁ କୂଳକୁ ବା ହେବ? ଏପରି ଭାବି ଭାବି ସେ ଚାଷୀର ମନଟା ଖାଲି ଘାଂଟି ହେଉଥାଏ । ଶେଷରେ ସେ ବିଚାରିଲା, ‘ନାହିଁ ବଳଦ ଦୁଇଟି ଯାଆନ୍ତୁ । ଏଡେ ବଡ ଚଢେଇ ପାଇଁ ମୋ ସାନପୁଅଟା ଆଦୌ ଯଥେଷ୍ଟ ହେବ ନାହିଁ ।’ ତେଣୁ ସେ ଚାଷୀଟି ଅତ୍ୟନ୍ତ ଦୁଃଖରେ କହିଲା, “ତାହାହେଲେ ତୁମେ ମୋ ବଳଦ ଦୁଇଟି ନେଇପାର ।”