ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନଲତା କୁମାରୀ ଚରିତ

ବନଲତା ଯାଇ ଯେଉଁ କିନ୍ନର ରଥରେ ପଡିଲା ତା’ର ନାମ  ସୁନନ୍ତକ । ସେ ଏଭଳି ମୋହିନୀ ବିଦ୍ୟା ଜାଣେ ଯେ ଯାହାକୁ ପାରେ ତାକୁ ସେ ଆଖି ପିଛୁଳା ମାତ୍ରେ ବଶ କରିଦିଏ । ଘରେ ତା’ର ସ୍ତ୍ରୀ ଅଛି । ସତୀ ମାନଙ୍କ ମଧ୍ୟରେ ଜଣେ ଶ୍ରେଷ୍ଠା ନାରୀ ସେ । ସେ ମାଛିକୁ ମ ବୋଲି କହେନି କି ହଲିଲା ପାଣିରେ ଗୋଡ ମଧ୍ୟ ପୁରାଏନି । ପରର ଦୁଃଖ ଦେଖିଲେ ସତେ ଯେମିତି ତା’ ଆଖିରୁ ଲୁହ ଗଡି ପଡେ । ନ୍ୟାୟ ଛଡା ଅନ୍ୟାୟ ଦିଗକୁ ସେ ମୋଟେ ତା’ ପାଦ ବଢାଏନି । ତା’ ଦୁଃଖରେ ସେ ଗୋଡି ମାଟି ବାଛି ଚଳେ । ସେ ତା’ ସ୍ୱାମୀକୁ ଦେବତା ଭଳି ପୂଜା କରେ । ତାରି ଧର୍ମ ଏବଂ ପୁଣ୍ୟ ବଳରେ ସୁମନ୍ତକ କିନ୍ନର ଖୁବ୍ ଆନନ୍ଦରେ ଚଳିଯାଏ । ଅଗ ଗୋଡରେ ତା’ର କଂଟାଟିଏ ବି ବାଜେନି ।

ଦୈବର ବିଡମ୍ବନା ହେତୁ ଆଜି ସେ ରୂପ ମୋହରେ ଭ୍ରମ ହୋଇ ସେହି ବନଲତାକୁ  ଘେନି ଆସିଛି । କାହିଁକିନା ସୁନନ୍ତକର ଭାରି ଇଚ୍ଛା ଥାଏ ସେହି ବନଲତାକୁ ବିବାହ କରିବା ପାଇଁ । ତେଣେ ଭୟ ବି ଅଛି ନିଜ ସ୍ତ୍ରୀ ପ୍ରତି । ଏହି କନ୍ୟାକୁ ଘରକୁ ନେଲେ କନ୍ଦଳ ଉଠିବ ।  ଶୁଖିଲାଟାରେ ଲାଗିଯିବ ମହାଭାରତ ସମର । ତେଣୁ ସେ କ’ଣ କରିବ, କ’ଣ କରିବ ଭାବି ଭାବି ସେହି କନ୍ୟା ତଥା ବନଲତାକୁ ଗୋଟିଏ ଶାରୀ କରିଦେଇ ଟାଙ୍ଗି ରଖିଲା ନିଜ ବୈଠକ ଖାନାରେ ।

ସେହି ଶାରୀଟିକୁ ସୁନନ୍ତକ ଗୋଟିଏ ମନୋରମ ସୁନା ପଞ୍ଜୁରୀରେ ରଖିଥାଏ । ଭଲ ଭଲ ପଦାର୍ଥ ଆଣି ତାକୁ ସେ ନୀତି ଖାଇବାକୁ ଦେଉଥାଏ। ଶାରୀ ସେସବୁ ପଦାର୍ଥକୁ ଗୋଡରେ ଆଡେଇ ଦିଏ । ଅନଶନକାରୀ ଯେପରି ଅନ୍ନ ଜଳ ସ୍ପର୍ଶ ନକରି ସର୍ବଦା ଅନାହାର ରହିବାକୁ ଇଚ୍ଛା କରେ, ଶାରୀଟି ବି ଠିକ୍ ସେହିପରି ରହିବାକୁ ଇଚ୍ଛା କରୁଥାଏ ।

ସୁନନ୍ତକର ସ୍ତ୍ରୀର ନାମ ଲବଙ୍ଗଲତା । ଏହି ଶାରୀ କଥା ବିନ୍ଦୁ ବିସର୍ଗ ପର୍ଯ୍ୟନ୍ତ ତାକୁ ତ କିଛି ଜଣା ନଥାଏ । କାହିଁକି ବା ଜାଣନ୍ତା ସେ । ସୁମନ୍ତକ ତ ସେହି ଶାରୀକୁ ଆଣିଛି ଲବଙ୍ଗର ଅଞ୍ଜାତରେ ତାକୁ ବିଭା ହେବାପାଇଁ । ସୁନନ୍ତକ ତ ତା ମନେ ମନେ ଭାବିଛି, ସେହି ଶାରୀ ପାଇଁ ଖଣ୍ଡେ ଅଲଗା ଘର କରିବ । ଯେମିତିକି ଲବଙ୍ଗ ସଙ୍ଗେ ତା’ର କିଛି ସମ୍ପର୍କ ରହିବନି କି ପରସ୍ପର ମଧ୍ୟରେ ଦେଖାସାକ୍ଷାତ କେବେବି ହେବନି ।

କାରଣ କଥାରେ ଅଛି – ଦଇବ ଦଉଡି ମଣିଷ ଗାଈ,

ଯେଣିକି ଟାଣଇ ତେଣିକି ଯାଇ ।

ମଣିଷର ଭାବନାଯାକ ସବୁ ତ ସେହି ଦଇବ ହାତରେ ବନ୍ଧା । ସୁମନ୍ତକ ଗୋଟିଏ ବାଳରେ ଯୁଡା ପାରିବାକୁ ଯେତେ ଚେଷ୍ଟା କଲେ କ’ଣ ପାରନ୍ତା? ତା’ର ଅଯଥା ଓ ଅସାର କଳ୍ପନା ଦେଖି ଦଇବ କେବଳ ହସୁଥାଏ । ହେଲେ ସେ ସୁମନ୍ତକ କ’ଣ ଜାଣୁଛି? ସେ କେବଳ ତା ମନେ ମନେ ବିଚାର କରୁଛି, ରାଜା ହେବି ଖଜା ଖାଇବି, ମଜା ଦେଖିବି, ପ୍ରଜା ପାଳିବି, ଗଞ୍ଜା ବି ଗିଳିବି । ପଞ୍ଝା ଚାଲିବି । ମାତ୍ର ବିଧାତା କହୁଛି – ତୋତେ ମୁଁ ଉଚିତ୍ ସଜା ଦେବି, ଅଜାକୁ ବୋପା ଡକାଇବି । ଥୟଧର, ଅଥୟ କାହିଁକି?


ଗପ ସାରଣୀ

ତାଲିକାଭୁକ୍ତ ଗପ