ଏକଦା ଗୋଟିଏ ଦେଶରେ ଜଣେ ରାଜା ଥିଲେ ଏବଂ ତାଙ୍କର କେତୋଟି ଝିଅ ଥିଲେ । ସବା ସାନ ଝିଅଟି ଖୁବ୍ ସୁନ୍ଦରୀ ଥିଲା ଏବଂ ତାକୁ ସମସ୍ତେ ଛୋଟ ରାଜକୁମାରୀ ବୋଲି ଡାକୁଥିଲେ ।
ସେ ରାଜାଙ୍କ ପ୍ରାସାଦ ନିକଟରେ ଗୋଟିଏ ବଡ ଘଂଚ ଜଙ୍ଗଲଥିଲା । ଆଉ ସେଇ ଜଙ୍ଗଲ ଭିତରେ ଗୋଟିଏ ପୁରୁଣାବଡଗଛମୂଳେ ଗୋଟିଏ କୂଅ ଥିଲା । ଗ୍ରୀଷ୍ମ ଋତୁରେ ଛୋଟ ରାଜକୁମାରୀ ସେଇ କୂଅର ଫନ୍ଦ ଉପରେ ବସି ହାତରେ ଗୋଟିଏ ସୁନାର ବଲ୍ ଧରି ଖେଳୁଥିଲା । ଛୋଟ ରାଜକୁମାରୀର ଏଇ ଖେଳଟି ଥିଲା ଅତ୍ୟନ୍ତ ପ୍ରିୟ ଏବଂ ଏଇ ଖେଳକୁ ସେ ଯେତେ ଖେଳିଲେ ମଧ୍ୟ ଆଦୌ କ୍ଳାନ୍ତ ହେଉନଥିଲା । ଦିନେ ସେ ଛୋଟ ରାଜକୁମାରୀ ସୁନାର ବଲ ଧରି ଖେଳୁଖେଳୁ ବଲ୍ଟି ହଠାତ୍ ତା ହାତରୁ ଖସି ଗଡିଗଡି ଯାଇ କୂଅର ପାଣିମଧ୍ୟକୁ ଟବ୍କରି ଗଳି ପଡିଲା ।
ସେହି କୂଅଟି ଖୁବ୍ ଗଭୀର ହୋଇଥିବାରୁ କୂଅରୁ ବଲ୍ଟି ଆଣି ନପାରି ରାଜକୁମାରୀ ବଡପାଟିରେ ଖାଲି କାନ୍ଦିବାକୁ ଲାଗିଲା । ଠିକ୍ ଏହି ସମୟରେ ତା ପଛପଟୁ ଗୋଟିଏ କଣ୍ଠସ୍ୱର ଶୁଣାଗଲା । ‘କ’ଣ ହେଲା ଛୋଟ ରାଜକୁମାରୀ? ତମେ ଏମିତି କାନ୍ଦୁଛ ଯେ ତୁମ କାନ୍ଦ ଶୁଣି କଠିନ ପଥର ମଧ୍ୟ ତରଳି ଯିବ ।’ ରାଜକୁମାରୀ ଚାହିଁ ଦେଖିଲା ଯେ ଗୋଟିଏ ବେଙ୍ଗ ତାର ମୁଣ୍ଡ ଉପରକୁ ଟେକି ତାକୁ ଏଇ କଥା କହୁଛି ।
ରାଜକୁମାରୀ କହିଲା ‘ଓ ତୁ ସେଇ ପାଣିରେ ଚବ୍ ଚବ୍ ଶବ୍ଦ କରୁଥିବା ବେଙ୍ଗ? ମୋ ବଲ୍ କୂଅରେ ପଡିଗଲାତ ସେଥିପାଇଁ ମୁଁ କାନ୍ଦୁଛି ।’
ଏକଥା ଶୁଣି ସେ ବେଙ୍ଗ କହିଲା ‘ଓ ଏଇ କଥା ତ! ମୁଁ ତୁମ ବଲ୍ କୂଅରୁ ବାହାର କରି ତୁମକୁ ଦେବି । ହେଲେ ମୁଁ ତୁମକୁ ବଲ୍ଟି ଫେରାଇ ଦେଲେ ତୁମେ ମୋତେ କ’ଣ ଦେବ?
ରାଜକୁମାରୀ କହିଲା ‘ତୁମେ ଯାହା ଚାହିଁବ ମୁଁ ତାହା ଦେବି । ମୁଁ ମୋର ପୋଷାକ, ମୋ ବେକର ହାର, ଅଳଙ୍କାର ସବୁ ଦେବି । ତୁମେ ଯେବେ ଚାହିଁବ ତେବେ ମୁଁ ମୋ ସୁନାମୁକୁଟ ମଧ୍ୟ ତୁମକୁ ଦେଇ ଦେବି ।’