ଏକଦା ଗୋଟିଏ କୁଡିଆରେ ଜଣେ ବିଧବା ସ୍ତ୍ରୀଲୋକ ବାସ କରୁଥିଲା ଏବଂ ତା ଘର ଆଗରେ ଦୁଇଟି ଗୋଲାପ ଗଛ ଥିଲା । ସେଥିରୁ ଗୋଟିଏ ଗଛରେ ଧଳା ଗୋଲାପ ଫୁଟୁଥିଲାବେଳେ ଅନ୍ୟଟିରେ ଲାଲ ଗୋଲାପ ଫୁଟୁଥିଲା । ଠିକ୍ ଦୁଇଟି ଗୋଲାପ ଗଛ ଭଳି ସେ ବିଧବା ସ୍ତ୍ରୀଲୋକଟିର ବି ଦୁଇଟି ଝିଅ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ତୁଷାରଶୁଭ୍ରା ଏବଂ ଅନ୍ୟ ଜଣକ ନାମ ଲାଲଗୋଲାପୀ । ସେ ଦୁଇଜଣଯାକ ଅତିସୁନ୍ଦର ଏବଂ ଭଲ ପିଲା ଥିଲେ ।
ଲାଲଗୋଲାପୀ ଫୁଲ ବଗିଚା ଓ ଶସ୍ୟକ୍ଷେତ୍ରରେ ଧାଁ ଦଉଡ କରି ଫୁଲତୋଳିବା ଓ ପ୍ରଜାପତି ଧରିବା ପାଇଁ ଭଲ ପାଉଥିବାବେଳେ ତୁଷାରଶୁଭ୍ରା ତା ମା’ କୁ ଘର କାମରେ ସାହାଯ୍ୟ କରୁଥିଲା ଓ କିଛି କାମନଥିଲାବେଳେ ସେ ବସି କିଛି ପଢାପଢି କରୁଥିଲା । ସେମାନେ ପରସ୍ପରକୁ ଏତେ ଭଲପାଉଥିଲେ ଯେ ଯୁଆଡେ ଯାଉଥିଲେ ସେମାନେ ସାଙ୍ଗ ହୋଇ ଯାଉଥିଲେ ଓ ତୁଷାରଶୁଭ୍ରା କହୁଥିଲା ‘ଆମେ କେହି କାହାକୁ ଛାଡି ଯିବା ନାହିଁ ।’ ଏପରି କଥା ଶୁଣି ସେ ଲାଲ ଗୋଲାପୀ ବି କହୁଥିଲା ‘ଆମେ ବଂଚିଥିବା ପର୍ଯ୍ୟନ୍ତ ଏହା କରିବା ।’ ଏଣେ ମା’ ସେମାନଙ୍କ କଥା ଶୁଣି କହନ୍ତି, ‘ତୁମ ଭିତରୁ ଜଣେ ଯାହା ପାଇବ ତାକୁ ଦୁଇ ଭଉଣୀଯାକ ବାଂଟିନେବ ।’
ସେମାନେ ବଣରୁ ଫଳମୂଳ ଓ କୋଳି ପ୍ରଭୃତି ସଂଗ୍ରହ କରିବା ପାଇଁ ବଣକୁ ଯାଆନ୍ତି ଏବଂ ବଣର ପକ୍ଷୀମାନେ ସେମାନଙ୍କର କିଛି ବି କ୍ଷତି କରନ୍ତି ନାହିଁ ବରଂ ପଶୁମାନେ ସାହସର ସହିତ ସେମାନଙ୍କ ପାଖକୁ ଆସନ୍ତି । ଛୋଟ ଛୋଟ ଠେକୁଆମାନେ ତାଙ୍କ ହାତରୁ କୋବିପତ୍ର ଖାଆନ୍ତି, ହରିଣମାନେ ଆସି ସେମାନଙ୍କ ପାଖରେ ଠିଆ ହୁଅନ୍ତି ଓ ଆନନ୍ଦରେ ତାଙ୍କ ଚାରିପାଖରେ ଡିଆଁ ମାରନ୍ତି । ପାଖ ଡାଳରେ ପକ୍ଷୀମାନେ ବସି ସେମାନଙ୍କ ଉଦ୍ଧେଶ୍ୟରେ ଗୀତ ଗାଆନ୍ତି । ତେଣୁ ସେ ବଣରେ ସେମାନେ କେବେ ବି ବିପଦରେ ପଡନ୍ତି ନାହିଁ ଏପରିକି ବେଳେବେଳେ ଜାଣିନପାରି ରାତି ପର୍ଯ୍ୟନ୍ତ ମଧ୍ୟ ରହିଯାଆନ୍ତି । ରାତି ହୋଇଗଲେ ସେମାନେ ଘାସଉପରେ ସକାଳ ପର୍ଯ୍ୟନ୍ତ ଶୋଇ ପଡନ୍ତି । କିନ୍ତୁ ତାଙ୍କ ମା’ ଠିକ୍ ଜାଣିଥାଏ ଯେ, ସେମାନେ ବଣରେ ନିରାପଦରେ ଥାନ୍ତି ଓ ସେଥିପାଇଁ ସେ ଜମା ବ୍ୟସ୍ତ ହୁଅନ୍ତି ନାହିଁ ।