ଜାମ୍ଲା ଗାଁ’ରେ ଜଣେ ଗରିବ ଲୋକଟିଏ ରହୁଥାଏ । ହେଲେ ସେ କଥା କହିପାରୁ ନଥାଏ । ତା’ର ଥାଆନ୍ତି ଯୋଡିଏ ଗାଈ । ସବୁଦିନ ସେ ଲୋକଟି ତା ଗାଈମାନଙ୍କୁ ଚରାଇବାକୁ ପାହାଡ ନିକଟକୁ ନିଏ । ଆଉ ସେଇ ପାହାଡର ଗୁମ୍ଫାରେ ରହୁଥାଆନ୍ତି ଜଣେ ସାଧୁ । ସେ ଏ ଗାଈ ଦୁଇଟିଙ୍କୁ ବେଶ୍ ଭଲ ପାଉଥାନ୍ତି । ଏପରିକି ଗାଈମାନେ ଚରୁଥିବା ବେଳେ ସେ ସାଧୁଜଣକ ସେମାନଙ୍କ ଉପରେ ଆଖି ରଖିଥାନ୍ତି ।
ସମୟକ୍ରମେ ସେ ଲୋକଟିର ଗାଈ ସଂଖ୍ୟା ବଢିବାରେ ଲାଗିଲା । କ୍ଷୀର ବିକ୍ରି କରି ସେ ଲୋକଟି ବେଶ୍ ଟଙ୍କା ଅର୍ଜନ କଲା । ଏହା ଦେଖି ତା’ର ପଡୋଶୀମାନେ ତାକୁ ଖୁବ୍ ଈର୍ଷା କଲେ ।
ଦିନେ ସେ ଲୋକଟିର ଦୁଇଜଣ ପଡୋଶୀ ତା’ ପଛେ ପଛେ ପାହାଡଯାଏଁ ଆସିଲେ । ପାହାଡ ପାଖରେ ପହଁଚି ସେମାନେ ଦେଖିଲେ – ସେ ଲୋକକୁ ସାହାଯ୍ୟ କରୁଥିବା ସାଧୁ ଜଣକ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ନିଜେ ଭଗବାନ ।
ସେହି ଲୋକମାନେ ସାଧୁଙ୍କ ନିକଟକୁ ଯିବାରୁ ସାଧୁ ସେ ପାହାଡ ଉପରେ ଆହୁରି ଉଚ୍ଚକୁ ଚାଲିଗଲେ । ଲୋକ ଦୁଇଜଣ ଯେତେ ସେ ସାଧୁଙ୍କ ପାଖକୁ ଯାଉଥାନ୍ତି, ସାଧୁ ବି ସେତେସେତେ ଉପରକୁ ଉଠି ଯାଉଥାନ୍ତି ।
ସଞ୍ଜ ହେବାରୁ ସାଧୁ ଗୋଟିଏ ପ୍ରକାଣ୍ଡ ପଥର ଉପରେ ବିଶ୍ରାମ କଲେ । ତାପରେ ସେ ଲୋକ ଦୁଇଜଣ ପଥର ତଳେ ରାତ୍ରି କଟାଇଲେ ।