ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନ୍ୟାୟ ବିଚାର

ଗୋଟିଏ ଗଛରେ କାଉଟିଏ ଓ ବଗଟିଏ ବସାକରି ରହିଥାନ୍ତି । କାଉ ଦେଖିବାକୁ କଳା; ଏବଂ ବଗଟି ଦେଖିବାକୁ ଧଳା । ସେଥିପାଇଁ ବଗ ସବୁବେଳେ ସେ କାଉକୁ ଡାକୁଥାଏ ‘କାଳିଆ’ । ଫଳରେ ସେ କାଉ ମନରେ ଭୀଷଣ କଷ୍ଟ ହେଉଥାଏ । ସୁବିଧା ଜୁଟିଲେ ବଗକୁ ସେ କିପରି ଉଚିତ୍ ଶିକ୍ଷା ଦେବ ବୋଲି କାଉ ଭାବୁଥାଏ ।

                ଥରେ କାଉ ଓ ବଗ ଏକ ସମୟରେ ନିଜ ନିଜ ବସାରେ ଅଣ୍ଡା ଦେଲେ । କାଉ କ’ଣ କଲାନା ବଗ ତା’ ବସାରେ ନଥିବା ବେଳେ ବଗର ଅଣ୍ଡାସବୁ ନିଜ ବସାକୁ ନେଇଆସିଲା ଓ ତା’ ଅଣ୍ଡାସବୁ ବଗ ବସାରେ ରଖିଦେଲା । ଅଣ୍ଡା ଫୁଟି ଛୁଆ ହେଲାବେଳକୁ ଦେଖାଗଲା – କାଉର ଛୁଆ ସବୁ ଧଳା; ଆଉ ସେ ବଗର ଛୁଆ ସବୁ କଳା ।

                ବଗ ଏଥିରେ କାଉର ଚାଲାକି ଠିକ୍ ବୁଝିପାରିଲା । ଦୁହିଁଙ୍କ ଭିତରେ ଖୁବ୍ ଝଗଡା ହେଲା । ତା’ପରେ ସେମାନେ ନ୍ୟାୟ ବିଚାର ପାଇଁ ଜଣେ ବିଚାରପତିଙ୍କ ନିକଟକୁ ଗଲେ ।

                କାଉଟା ତ ଅତି ବୁଦ୍ଧିଆ । ତେଣୁ ବିଚାର ହେବା ଆଗରୁ ସେ କାଉ ବିଚାରପତିଙ୍କୁ ଭେଟି କହିଲା – ‘ଆପଣ ଯଦି ମୋ ସପକ୍ଷରେ ରାୟ ଦେବ, ତେବେ ମୁଁ ଆପଣଙ୍କୁ ଗୋଟିଏ ସ୍ଥାନ ଦେଖାଇ ଦେବି । ସେଠାରେ ଆପଣଙ୍କ ବାପା ଗୁଡାଏ ଧନସମ୍ପତ୍ତି ପୋତିଛନ୍ତି । ଆପଣ ତାହା ପାଇ ପାରିବେ ।’ ବିଚାରପତି ଭାବିଲେ, ତାଙ୍କ ବାପା କେଉଁଠି ଧନ ସମ୍ପତ୍ତି ପୋତିଛନ୍ତି, ମରିବା ଆଗରୁ ତାଙ୍କୁ ତ କହି ନାହାଁନ୍ତି । ତେଣୁ ସେ ବିଚାରପତି କାଉ ସପକ୍ଷରେ ରାୟ ଦେଇ କହିଲେ, ‘କଳା ରଙ୍ଗର ଗାଈ ଯଦି ଧଳା ବାଛୁରୀ ଜନ୍ମ କରିପାରୁଛି, ତେବେ କାଉ ଧଳା ଛୁଆ ଜନ୍ମ କରି ନ ପାରିବ କାହିଁକି?’ ବିଚରା ବଗ ଏଣେ ମନ କଷ୍ଟ କରି ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ