ପୁରାଣ ଯୁଗର କଥା । ସେତେବେଳେ ଦକ୍ଷିଣ ଇଣ୍ଡିଆର ଗୋଟିଏ ଜଙ୍ଗଲରେ ଇଲୋଳ ଓ ବାତାପି ବୋଲି ଦୁଇଟି ଅସୁର ଥିଲେ । ସେମାନେ ଦୁହେଁ ଦୁଇଭାଇ । ମାୟାବଳରେ ସେମାନେ ଦୁହେଁ ନିଜ ନିଜ ରୂପ ବଦଳେଇ ଲୋକଙ୍କ ମନରେ ଲୋଭ ସୃଷ୍ଟି କରୁଥିଲେ । ବିଶେଷ କରି ଜଙ୍ଗଲ ଭିତରେ ତ ମୁନି ଋଷିମାନେ ରହୁଥିଲେ । ତେଣୁ ଏହି ଦୁଇ ଅସୁର ସେମାନଙ୍କୁ ନାନା ପ୍ରଲୋଭନ ଦେଖାଇ ମାରି ଦେଇ ସେମାନଙ୍କର ମାଂସ ଖାଉଥିଲେ ।
କୌଣସି ମୁନି ଋଷି କିମ୍ବା ବାଟୋଇଙ୍କୁ ସେ ଜଙ୍ଗଲ ପଥରେ ଯାଉଥିବାର ଦେଖିଲେ ଇଲୋଳ ବ୍ରାହ୍ମଣ ବେଶ ଧରୁଥିଲା ଏବଂ ବାଟୋଇଙ୍କ ପାଖକୁ ଯାଇ କହୁଥିଲା, ବାଟୋଇ ଭାଇ ଆପଣ ଜଙ୍ଗଲ ଭିତରେ ଆବଡା ଖାବଡା ରାସ୍ତାରେ ଚାଲି ଚାଲି କ୍ଳାନ୍ତ ହୋଇ ପଡିବେଣି । ଆଜି ରାତିକ ପାଇଁ ମୋ କୁଟୀରରେ ବିଶ୍ରାମ ନିଅନ୍ତୁ କାଲି ସକାଳୁ ଚାଲିଯିବେ । ବ୍ରାହ୍ମଣ ବେଶୀ ଇଲୋଳର କଥା ଶୁଣି ମୁନି ଋଷିମାନେ ସେଠାରେ ଆଶ୍ରୟ ନିଅନ୍ତି । ସଂଧ୍ୟା ହେଲେ ବାତାପୀ ମୃଗ ରୂପ ଧାରଣ କରେ । ଇଲୋଳ ତାକୁ ମାରି ଦେଇ ଆଣି ବିଶ୍ରାମ କୁଟୀରରେ ପହଁଚାଏ ଏବଂ ତାର ମାଂସ କାଟି ଯତ୍ନ ସହକାରେ ରାନ୍ଧେ । କୁଟୀରରେ ବିଶ୍ରାମ ନେଇଥିବା ମୁନି ଋଷିମାନଙ୍କୁ ଇଲୋଳ ଏହି ମୃଗ ମାଂସ ଭୋଜନ କରିବାକୁ ଖୁବ୍ ଅନୁରୋଧ କରେ । ଛଦ୍ମବେଶୀ ବ୍ରାହ୍ମଣର ଅନୁରୋଧ ରକ୍ଷାକରି ମୁନି ଋଷିମାନେ ମାଂସ ତରକାରୀ ଭୋଜନ କରନ୍ତି ।