(ସତ୍ୟ ଘଟନା)
କାହିଁ କେଉଁ ଆବହମାନ କାଳରୁ ବାଲେଶ୍ୱରରେ ପଙ୍ଗାଲୁଣ ପ୍ରସ୍ତୁତ ହୋଇଆସୁଥିଲା । ସରକାର ବାହାଦୁର କେଉଁ ସମୟରୁ ଏହି ବ୍ୟାପାରରେ ହସ୍ତକ୍ଷେପ କଲେ, ତାହା ନିର୍ଣ୍ଣୟ କରିବା ଏତେ ସହଜ କଥା ନୁହେଁ, ଏ କଥା ଅନୁମାନ କରାଯାଇପାରେ ଯେ, ୧୮୦୩ ଖ୍ରୀଷ୍ଟାବ୍ଦରେ ଇଷ୍ଟଇଣ୍ଡିଆ କମ୍ପାନୀ ଦେଶାଧିକାର କରିବା ପୂର୍ବରୁ ଏହି ବ୍ୟବସାୟରେ ଲିପ୍ତ ଥିଲେ, କାରଣ ତତ୍ପୂର୍ବେ ଇଂରେଜମାନେ ବାଲେଶ୍ୱରୀ ବାଣିଜ୍ୟ ସମ୍ପର୍କରେ ଥିବାର ନିଶ୍ଚୟରୂପେ ଜଣାଯାଏ । ଦେଶାଧିକାର ସମୟରୁ ପୋକ୍ତାନି କାର୍ଯ୍ୟ ସାକ୍ଷାତ୍ ସମ୍ବନ୍ଧରେ ବନ୍ଦୋବସ୍ତ କରିଥିବେ ।
୧୮୬୧ ଖ୍ରୀଷ୍ଟାବ୍ଦଠାରୁ ପୋକ୍ତାନି କାର୍ଯ୍ୟ ରହିତ ହୋଇଯାଇଅଛି । ଲେଖକ ଅଳ୍ପ ବୟସରେ ସରକାର ତରଫ ଲବଣ ମାହାଲ ସିରସ୍ତାରେ ଅଳ୍ପକାଳ ମାତ୍ର କର୍ମଚାରୀ ଥିଲା । ପୋକ୍ତାନ ସମ୍ବନ୍ଧରେ ତାହାର ଯେଉଁ ଅଭିଜ୍ଞତା ଅଛି, ବର୍ତ୍ତମାନ ସ୍ମରଣ ଶକ୍ତି ପ୍ରତି ନିର୍ଭର କରି ସେଥିରେ ସଂକ୍ଷିପ୍ତ ବିବରଣୀ ଲିପିବଦ୍ଧ କରୁଅଛି ।
ଲବଣ ମାହାଲର ସରକାର ତରଫର ପ୍ରଧାନ କର୍ମଚାରୀଙ୍କ ଉପାଧି ସଲ୍ଟ ଏଜେଂଟ । ଏହି କର୍ମଚାରୀ ସ୍ୱତନ୍ତ୍ର ବ୍ୟକ୍ତି ନୁହଁନ୍ତି । ଜିଲ୍ଲାର କଲେକ୍ଟର ସାହେବ ସଲ୍ଟ ଏଜେଂଟ । ତାହାଙ୍କ ଅଧୀନରେ ଆଉ ଦୁଇଜଣ ଇଂରେଜ ଆସିଷ୍ଟାଂଟ ସଲ୍ଟ ଏଜେଂଟ ରୂପେ ନିଯୁକ୍ତ ଥିଲେ । ପୋକ୍ତାନ ରହିତ ହେବା ବର୍ଷରେ (ବୋଧକରୁଁ) ମିଷ୍ଟର କର୍ଣ୍ଣେଲ ସଲ୍ଟ ଏଜେଂଟ, ମିଷ୍ଟର ବଣ୍ଡ ଓ ମିଷ୍ଟର ମୁଫଟ ଆସିଷ୍ଟାଂଟ ସଲ୍ଟ ଏଜେଂଟ ଥିଲେ ।
ଏଜେଂଟ ସାହେବଙ୍କ ଅଧୀନରେ ସଦର କଚେରିରେ ଦୁଇଗୋଟି ସିରସ୍ତା ଥିଲା- ପ୍ରଥମ ମୁନ୍ସିଖାନା, ଦ୍ୱିତୀୟ ହିସାବଖାନା । ମୁନ୍ସିଖାନାରେ ନିଯୁକ୍ତ (କ୍ରମନିମ୍ନ) କର୍ମଚାରୀମାନଙ୍କ ଉପାଧି ଦେବାନ, ପେସ୍କାର, ମୁନ୍ସି, ରୋଜନାମଚାନବିସ, ପରବାନାନବିସ, ନକଲନବିସ, ନାଜର ଏବଂ ଏମାନଙ୍କ ସହକାରୀ ମୋହରରମାନେ । ହିସାବଖାନାରେ ନିଯୁକ୍ତ କର୍ମଚାରୀମାନଙ୍କ ଉପାଧି ସିରସ୍ତାଦାର, ମୁନ୍ସି ଓ ମୋହରିରମାନେ । ଆମ୍ଭେମାନେ ଦେଖିଅଛୁ, ସଦର କଚେରିରେ ଅନ୍ୟାନ୍ୟ ମହକୁମାର ନିଯୁକ୍ତ କର୍ମଚାରୀଠାରୁ ନିମକୀ ମାହାଲରେ ନିଯୁକ୍ତ ଅମଲା ସଂଖ୍ୟା ଅଧିକ । ନିମକୀ ମାହାଲ କଚେରି ସର୍ବଦା ଜନତାରେ ପୂର୍ଣ୍ଣ ଥାଏ ।