“ଅଳପ ହେଲେ ବି ଖୋଲା ମନେ ଦାନ ସୁମହତ ମଣି ଆପଣା ମନ
ମଦର ଟେରେସା ପିଲାଟି ହାତରୁ ଏକ କପ୍ ଚିନି କଲେ ଗ୍ରହଣ ।
ଭିକାରିଠୁ ମଧ୍ୟ ଦିନକର ଭିକ୍ଷା ଗ୍ରହଣ କରି ସେ ଖୁସି ମନରେ
କହିଲେ ଏଭଳି ଦାନହିଁ ଅସଲ ଅଟଇ ନିଶ୍ଚୟ ମହୀମଣ୍ଡଳେ ।”
ଦାନ ଅଳପ ହେଲେ ବି ଖୋଲାମନରେ ତାହା ଦାନ କଲେ, ତାକୁ ସୁମହତ ଦାନ କୁହାଯିବ । ଏକଥା ଦୟା ଓ କ୍ଷମାର ଅବତାର ନୋବେଲ ପୁରସ୍କାର ବିଜେତା ମା’ ଟେରେସା କହିଥିଲେ । ଏ ସମ୍ବନ୍ଧରେ ତାଙ୍କ ଜୀବନର ଦୁଇଟି ଘଟଣା ଉଲ୍ଲେଖଯୋଗ୍ୟ ।
ବହୁ ବର୍ଷ ପୂର୍ବେ କଲିକତାରେ ଚିନିର ଘୋର ଅଭାବ ପଡିଲା । ସୁତରାଂ ମଦର ଟେରେସାଙ୍କ ବିଭିନ୍ନ ସେବା ଅନୁଷ୍ଠାନ ଘୋର ଅସୁବିଧାର ସମ୍ମୁଖୀନ ହେଲା । ଏଭଳି ପରିସ୍ଥିତିରେ ବିଭିନ୍ନ ଖବର କାଗଜ ମାଧ୍ୟମରେ ମାଆ ଟେରେସା ଜନସାଧାରଣଙ୍କୁ ତାଙ୍କର ବ୍ୟବହାର ଚିନିରୁ କିଛି ଦାନ କରିବା ପାଇଁ ଅନୁରୋଧ ଜଣାଇଲେ । ସେତେବେଳେ ଟେରେସାଙ୍କର ଖ୍ୟାତି ବେଶ୍ ବଢିଯାଇଥିବାରୁ ବହୁ ପରିମାଣରେ ଚିନି ଦାନସ୍ୱରୂପ ଆସି ତାଙ୍କ ନିକଟରେ ପହଁଚିଗଲା ।
ବଦାନ୍ୟ ବ୍ୟକ୍ତିମାନେ ମା’ଙ୍କୁ ସାକ୍ଷାତ କରି ଚିନି ଦେଇଯାଉଥାନ୍ତି । ସେମାନଙ୍କ ମେଳରେ କୁନିପିଲାଟିଏ ହାତରେ କପେ ଚିନି ଧରି ଯାଇ ସେଠାରେ ପହଁଚିଲା । ସେହି କୁନିପିଲାଟିକୁ ଦେଖି ମାଆ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ହାତରେ ତା’ର କପ୍ଟିକୁ ଦେଖି ସେ ତାକୁ ପଚାରିଲେ, “ବାବା! ଇଏ କ’ଣ?”