ଅଗନାଅଗନି ବନସ୍ତ । ସେଇଠି ଥାଆନ୍ତି ଅନେକ ଜୀବଜନ୍ତୁ । ସେମାନଙ୍କ ଭିତରେ ହରିଣୀଟିଏ ତା’ର ଏକମାତ୍ର ଛୁଆକୁ ନେଇ ରହୁଥାଏ ।
ଦିନକର କଥା ହରିଣୀର ଛୁଆ ତା’ ମାଆ ପାଖରେ ଅଳି କଲା ବାହାରକୁ ଯାଇ ଟିକିଏ ବୁଲି ଆସିବ ବୋଲି । ହେଲେ ମାଆ ତାକୁ ବାରଣ କରି କହିଲା, “ଜଙ୍ଗଲଟା ସାରା ହିଂସ୍ରଜନ୍ତୁରେ ଭରପୂର । ତୋତେ ସେମାନେ ଖାଇ ଦେବାକୁ ମୁହୂର୍ତେ ବି ଲାଗିବ ନାହିଁ । ତେଣୁ ତୁ ଯାଆନା ।”
ହେଲେ ଅମାନିଆ ଛୁଆ ମାଆ କଥା ଜମା ଶୁଣିଲାନି । କହିଲା, “ସେ ବାହାରକୁ ଯାଇ ତା’ର ନୂଆ ସାଥୀମାନଙ୍କୁ ଭେଟିବ ଆଉ କେତେ ନୂଆ ନୂଆ କଥା ବି ଜାଣିବ ।”
ଯେତେବେଳେ ହରିଣୀଟି ଖାଦ୍ୟସଂଗ୍ରହ ପାଇଁ ବାହାରିଲା, ପୁଣିଥରେ ତା’ର ଛୁଆକୁ କହିଲା, “ଧନରେ! ତୁ ଏଇ ଘାସପଡିଆରେ ତୋର ଜାତିଭାଇ ସାଙ୍ଗଙ୍କ ସହିତ ଖେଳୁଥା । ସୁନାପିଲାମାନେ କ’ଣ ଦୁଷ୍ଟ ହୁଅନ୍ତି? ତୁ କୁଆଡେ ଯିବୁନି । ମୁଁ ତୋ ପାଇଁ ଭଲ ଖାଇବା ଜିନିଷ ନେଇ ଆସିବି ।”
ପାଖରେ ମାଆ ନାହିଁ, ଏବେ ହରିଣ ଛୁଆକୁ ମଉକା ମିଳିଗଲା । ସେ ଏକା ଏକା ଚାଲିଲା ଜଙ୍ଗଲ ଭିତରକୁ । ଛୋଟ ଛୁଆ ତ, ବଡ ଜଙ୍ଗଲ କେବେ ଦେଖିନଥିଲା । ସେ ଜଙ୍ଗଲର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରି ଚାଲୁଥିଲାବେଳେ ଏକ ଖଣି ଭିତରେ ପଡିଗଲା, ଯେତେ ଚେଷ୍ଟା କଲେ ମଧ୍ୟ ଉପରକୁ ଉଠିପାରିଲା ନାହିଁ । ମାଆ ମାଆ ଡାକି ତା’ର ତଂଟି ଶୁଖି ଯାଉଥିଲେ ମଧ୍ୟ ତାର ଡାକ କେହି ଶୁଣିଲେ ନାହିଁ । କାନ୍ଦି କାନ୍ଦି ତା’ ଆଖିରୁ ଲୁହ ବି ଶୁଖିଗଲା । ବଡ ଅସହାୟ ଅବସ୍ଥାରେ ସେଇଠି ପଡି ରହିଲା । ଆଖପାଖରେ କିଏ ଅଛି ଯେ, ତାକୁ ଉଦ୍ଧାର କରିବ?