ଦିନେ ଗୋଟେ ବିଦ୍ୟାଳୟକୁ ଜଣେ ପରିଦର୍ଶକ ଆସିଥାନ୍ତି । ସେ ପ୍ରତ୍ୟେକ ଶ୍ରେଣୀ ବୁଲି ପିଲାଙ୍କର ପାଠ ପରୀକ୍ଷା କରୁଥାନ୍ତି । ସେତେବେଳେ ତ ଗୋଟିଏ ଶ୍ରେଣୀରେ ପରୀକ୍ଷା ଚାଲିଥାଏ । ଶିକ୍ଷକ ବି ପରିଦର୍ଶକଙ୍କ ସାଥିରେ ଥାଆନ୍ତି । ହଠାତ୍ ପରିଦର୍ଶକଙ୍କର ପଛ ବେଂଚ ଆଡକୁ ନଜର ପଡିଗଲା । ସେଠାରେ ଗୋଟିଏ ପିଲା ବସି ଖୁଜୁରୁ ମୁଜୁରୁ ହେଉଛି । ପାଖ ପିଲାଙ୍କ ସହିତ ବେଳେବେଳେ ସେ ଟୁପୁରୁ ଟାପର ହେଉଛି ।
ସେହି ପିଲାଟିକୁ ଚାହିଁ ପରିଦର୍ଶକ ଶିକ୍ଷକଙ୍କୁ ପଚାରିଲେ, “ପଛ ବେଂଚରେ ବସି ଦୁଷ୍ଟାମି କରୁଥିବା ପିଲାଟି କିଏ? ତା’ର ପାଠରେ ମନ ନାହିଁ ନା କ’ଣ?”
ତାଙ୍କ କଥା ଶୁଣି ଶିକ୍ଷକ କହିଲେ, “ତା’ କଥା କୁହନ୍ତୁନି କୁହନ୍ତୁନି ଆଜ୍ଞା । ସେ ଗୋଟାଏ ମୋଟା ବୁଦ୍ଧିଆ ପିଲା । ତା’ଦ୍ୱାରା ପାଠଶାଠ କିଛି ବି ହୁଏନି । ତେଣୁ ତା’କୁ ଆମେ ଛାଡି ଦେଇଛୁ ।”
ସେ ପିଲାଟି ଏତେ ବୋକା ଥିଲା ଯେ, ସେଦିନ ସେ ମୋଟା ବୁଦ୍ଧିଆର ଅର୍ଥ କିଛି ବି ବୁଝିପାରିଲା ନାହିଁ । ସେ ଘରକୁ ଫେରିବା ପରେ ତାର ମା’ଙ୍କୁ ପଚାରିଲା, “ମା’, ମୋଟା ବୁଦ୍ଧିଆର ଅର୍ଥ କ’ଣ?”
ମାଆ କହିଲେ, “କାହିଁକି, କ’ଣ ହେଲା କିରେ?”
ଏବେ ସେ ପିଲାଟି ବିଦ୍ୟାଳୟରେ ଘଟିଥିବା ସମସ୍ତ ଘଟଣା ଗୋଟି ଗୋଟି କରି ତାର ମା’କୁ ସବୁ କହିଦେଲା । ନିଜ ପୁଅ ପ୍ରତି ଶିକ୍ଷକ ଏଭଳି ମନ୍ତବ୍ୟ ଦେଇଥିବାରୁ ପରଦିନ ପୁଅକୁ ସାଙ୍ଗରେ ନେଇ ତାର ମା ସ୍କୁଲକୁ ଗଲେ । ଶିକ୍ଷକଙ୍କୁ କଡା କଡା କଥା କହି ସବୁଦିନ ପାଇଁ ପୁଅକୁ ସେଠାରୁ ନେଇଆସିଲେ ।