ଛାତ୍ରାବାସରେ ତ ଅନେକ ପିଲା ରହି ପାଠ ପଢୁଥାନ୍ତି । ଦିନକର କଥା । କଲେଜ ଅଧ୍ୟକ୍ଷ ବିଳମ୍ବିତ ରାତିରେ ପିଲାମାନେ କ’ଣ କରୁଛନ୍ତି ବୋଲି ସେମାନଙ୍କୁ ଦେଖିବାକୁ ବାହାରିଲେ । ସେତେବେଳେକୁ ତ ସେ କଲେଜର ସେମିଷ୍ଟାର ପରୀକ୍ଷା ଶେଷ ହୋଇଯାଇଥାଏ । ଫଳରେ ସେ ପିଲାଙ୍କର ଆଉ ବିଳମ୍ବିତ ରାତି ଯାଏଁ ପାଠ ପଢିବା ନ ଥାଏ । ତେଣୁ ପିଲାମାନେ ରାତି ଦଶଟା ପରେ ଶୋଇଯାଇଥାନ୍ତି ।
ଅଧ୍ୟକ୍ଷ ଦେଖିଲେ ଜଣେ ପିଲା ତା’ର ପ୍ରକୋଷ୍ଠରୁ ବାହାରିଆସି ବାରଣ୍ଡାରେ କିଛି ସମୟ ବୁଲିଲା, ଓ ତା’ପରେ ସେ ପୁଣି ପ୍ରକୋଷ୍ଠ ଭିତରକୁ ପଶିଗଲା । କିଛି ସମୟ ପରେ ସେ ପୁଣି ବାହାରିଲା ଓ ପଶିଲା । ସେ ପିଲାଟିର ଏଭଳି ହାବଭାବରୁ ଅଧ୍ୟକ୍ଷ ଜାଣିପାରିଲେ ଯେ, ବୋଧହୁଏ ତାକୁ ନିଦ ଲାଗୁନି ।
ତା’ପରଦିନ ସକାଳୁ ଅଧ୍ୟକ୍ଷ ସେ ପିଲାଟିକୁ ଡାକି ପଚାରିଲେ, “ତୁମର କିଛି ସମସ୍ୟା ଅଛି କି?” ପିଲାଟି ମନା କରିବାରୁ ସେ ପୁନଶ୍ଚ ପଚାରିଲେ, “ଗତକାଲି ବିଳମ୍ବିତ ରାତିରେ ମୁଁ ତୁମର ଛାତ୍ରାବାସକୁ ଯାଇଥିଲି । ଦେଖିଲି, ତୁମେ ଶୋଇ ପାରୁନଥିଲ । ବାରମ୍ବାର ଖାଲି ଘରୁ ବାରଣ୍ଡା ଓ ବାରଣ୍ଡାରୁ ଘର ବୁଲାବୁଲି କରୁଥିଲ । ତେଣୁ ମୁଁ ଭାବିଲି ବୋଧହୁଏ ତୁମର କିଛି ଅସୁବିଧା ଥିବାରୁ ତୁମକୁ ନିଦ ଲାଗୁ ନଥିଲା?”