ନଦୀ ପଠାରେ ଗୋଟିଏ ବଡ ବରଗଛ ଚାରିଆଡକୁ ତାର ଓହଳ ଲମ୍ବାଇ ବଢିଥାଏ । ତେଣୁ ବଡ ଆକାରର ଛାୟା ସୃଷ୍ଟି କରିଥାଏ ସେହି ଗଛଟି । ବହୁତ ପଥିକ ସେଠି ବିଶ୍ରାମ ନିଅନ୍ତି । ଗଛରେ ଚଢେଇ, ଗୁଣ୍ଡୁଚି ମୂଷା, ସାପ, ଗୋଧି, ନେଉଳ ଇତ୍ୟାଦି ବସା କରିଥାନ୍ତି । ସେ ନଦୀ ପଠାର ନାଳତଳକୁ ଗୋଟିଏ ଦରିଦ୍ର ବସ୍ତି ରହିଥାଏ । ସେଠାରେ ବଡ ଦୁସ୍ଥ ଓ ଅସହାୟ ଭାବରେ ବାସ କରିଥାଏ ପ୍ରେମୀ ନାନୀ । ତା’ର ତ ପୁଅଝିଅ ବୋଲି କେହିବି ନଥିଲେ । ବୁଢା ସ୍ୱାମୀ ମଧ୍ୟ ତାକୁ ଛାଡି ଶେଷରେ ଆରପାରିକୁ ଚାଲିଯାଇଛି, ତାକୁ ବୟସ ପାଖାପାଖି ଷାଠିଏ ହେବ । କାମ କରିବାକୁ ସେ ବି ଅକ୍ଷମ । ଭିକ ମାଗିବା ପାଇଁ ମଧ୍ୟ ସେ ଦୂରକୁ ମୋଟେ ଯାଇପାରେନି । ସେ ବସ୍ତିର ଲୋକମାନେ ଦୂରକୁ ଯାଇ କାମ କରି ଯାହା ଆଣନ୍ତି, ସେଥିରେ ତ ସେମାନଙ୍କ ଗୁଜୁରାଣ ମେଂଟିବା ଭାରି କଷ୍ଟ । ତେଣୁ ସେ ପ୍ରେମୀନାନୀର ଦୁଃଖ କିଏ ବା ହରଣ କରିପାରିବ ।
ସବୁଦିନେ ସେ ପ୍ରେମୀ ନାନୀ ନଈରେ ଗାଧୋଇ ବରଗଛ ମୂଳେ ପାଣିଦେଇ କହେ –
“ବକ୍ଷ ଦେବତା ହେ ବକ୍ଷ ଦେବତା
ଜାଣି ପାରୁଥିବୁ ମୋର ଅବସ୍ଥା ।
ନାହିଁ ପିଲାପିଲି ନାହିଁ ଗେରସ୍ତ ।
ବାର୍ଦ୍ଧକ୍ୟ ବୟସେ ଲାଗଇ ବ୍ୟସ୍ତ
ଦାନା କନା କାହୁଁ ପାଇବି ମୁହିଁ
ପୁଅ ବୋଲି ଭାବି ପାରୁଛି କହି ।”
ଏତିକି କହି ଆଖିରୁ ଲୁହ ପୋଛି ପ୍ରେମୀ ନାନୀ ତା’ଘରକୁ ଆସେ । ଯାହା ହାଣ୍ଡିରେ ପେଜପାଣି ରଖିଥାଏ, ତାକୁ ଖାଇସାରି ବାହାରେ ଟିକେ ଗୁମ୍ ମାରି ସେ ବସେ । ସେହି ସମୟରେ ବହୁତ ଘଟଣା ତା ଆଖିଆଗରେ ନାଚିଯାଏ । କେତେ ଦିନ ଆଉ ସେ ଏମିତି ହଇରାଣ ହୋଇ ଚଳିବ? ବରଗଛ ମୂଳରେ ଥଣ୍ଡା ଛାଇରେ ବସି ସେ ପ୍ରେମୀନାନୀ ତା ଆଖିରୁ ଲୁହ ଗଡାଇ ତା ଦେହର ଦୁର୍ବଳତାକୁ ଖାଲି ନିନ୍ଦା କରେ । ଅଳସୁଆ ନ ହେଲେ ବି ଖଟିବାକୁ ତା ଶରୀରରେ ଏବେ ଆଦୌ ଶକ୍ତି ନାହିଁ । କ’ଣ ବା ସେ କରିପାରିବ?