ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୂମି କ’ଣ ସାଙ୍ଗରେ ଯିବ?

କୌଣସି ଏକ ରାଜ୍ୟରେ ଜଣେ ରାଜା ଥିଲେ । ନୂଆ ନୂଆ ଘର କରିବା, ସେ ରାଜାଙ୍କ ଏକ ସଉକ୍ । ଦିନକର କଥା, ଏକ ଘର କରିବା ପାଇଁ ଜାଗା ନିର୍ବାଚନ କରାଗଲା । ଘରର ନକ୍ସା ତିଆରି ପରେ ଜାଗାଟିଏ ମାପଚୁପ କରାଗଲା । ଜାଗାଟିଏ ମାପଚୁପ ବେଳେ ଦେଖାଗଲା ଯେ ସେହି ଜାଗାଟିରେ ଜଣେ ଗରିବ ନିରାଶ୍ରୟା ବିଧବା ବୁଢୀ କୁଡିଆଟିଏ କରି ରହିଛି ।

ରାଜା ତାଙ୍କ ମନ୍ତ୍ରୀଙ୍କୁ ଆଦେଶ ଦେଲେ । ସେ ବୁଢୀଟିକୁ ଏକ ଭଲ ଘର ଦିଅ ଓ ତାକୁ ସେ କୁଡିଆଟିକୁ ଛାଡିବାକୁ କୁହ । ରାଜାଙ୍କର ଆଦେଶକୁ ପୁଣି ଅମାନ୍ୟ ବା କିଏ କରିବ । ତହୁଁ ମନ୍ତ୍ରୀ ଯାଇ ସେ ବୁଢୀକୁ ବହୁତ ବୁଝାଇଲେ ତା କୁଡିଆଟିକୁ ଛାଡିବା ପାଇଁ । ମନ୍ତ୍ରୀଙ୍କ ସମସ୍ତ କଥା ବୁଢୀ ଶୁଣିଲା, କିନ୍ତୁ ସେ କୁଡିଆ ଛାଡିବାକୁ ଅମଙ୍ଗ ହେଲା । ଶେଷରେ ରାଜା ନିଜେ ସେ ବୁଢୀଟିକୁ ବୁଝାଇବାକୁ ଗଲେ ।

ରାଜାଙ୍କଠାରୁ କୁଡିଆ ଛାଡିବା କଥା ଶୁଣି ସେ ବୁଢୀ ରାଜାଙ୍କୁ କହିଲା, ମଣିମା ମୋର ଗୋଟାଏ ଅନୁରୋଧ ରଖିଲେ ହିଁ ମୁଁ ଏ କୁଡିଆଟିକୁ ଛାଡି ଦେବି । ରାଜା ସେ ବୁଢୀର ପ୍ରସ୍ତାବରେ ରାଜି ହେବାରୁ ବୁଢୀ ତା କୁଡିଆ ଭିତରେ ଥିବା ଗୋଟିଏ ମାଟିରେ ପୂର୍ଣ୍ଣ ହୋଇଥିବା ବସ୍ତା ରାଜାଙ୍କୁ ଦେଖାଇ, ତାହାକୁ ନଦୀରେ ଫୋପାଡିବା ପାଇଁ ଅନୁରୋଧ କଲା । ବୁଢୀର ଏପ୍ରକାର କଥା ଶୁଣି ରାଜା କହିଲେ ଏହାକୁ ତ ମୁଁ ଆଦୌ ଉଠାଇ ପାରିବି ନାହିଁ ।

ସଙ୍ଗେ ସଙ୍ଗେ ବୁଢୀ କହିଲା, ମଣିମା ଯଦି ଆପଣ ଏକ ମାଟି ଥିବା ବସ୍ତା ଉଠାଇ ପାରିବେ ନାହିଁ, ତେବେ ମଲା ପରେ ମୋର ଏତକ ଜମି ଆପଣ କିପରି ସାଙ୍ଗରେ ନେବେ? ବୁଢୀଟିର ଏପ୍ରକାର କଥା ଶୁଣି ରାଜା ଖୁବ୍ ଲଜ୍ଜିତ ହେଲେ । ତହୁଁ କୁଡିଆଟିକୁ ଛାଡିଦେଇ ସେ ନିଜର ଘର ତିଆରି କଲେ ।

ପ୍ରକୃତରେ କହିବାକୁ ଗଲେ ସାମାନ୍ୟ ମନୁଷ୍ୟଠାରେ ମଧ୍ୟ ଜ୍ଞାନର ସାଗର ବିଦ୍ୟମାନ ଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ