ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପ୍ରକୃତ ଜ୍ଞାନ

ଦିନକର କଥା । ଜଣେ ଭଦ୍ରବ୍ୟକ୍ତି ନିଜର ଦଶ ବର୍ଷର ପୁଅକୁ ଧରି ନଦୀକୁ ଗାଧୋଇବାକୁ ଯାଇଥିଲେ । ପୁଅ ନଦୀରେ ଗାଧେଇଲା ଓ ପରେ ସେଇ ନଦୀ ବାଲିରେ ସେ ଖେଳିବାକୁ ଲାଗିଲା । ନଦୀ ବାଲିରେ ସେ ପୁଅଟି ଏକ ସୁନ୍ଦର ଘର ତିଆରି କରୁଥିଲା । ଠିକ୍ ଏତିକି ବେଳେ ସେ ପିଲାଟିର ବାପା ନଦୀରୁ ଗାଧୋଇ ସାରି ଆସି ତାଙ୍କ ପିଲାଟିକୁ ଘରକୁ ଯିବାକୁ ଡାକିଲେ ।

ଘର ତିଆରିରେ ବ୍ୟସ୍ତ ଥିବା ସେ ପିଲାଟି, ତା ବାପାଙ୍କର କୌଣସି କଥାକୁ ଆଦୌ ଗୁରୁତ୍ୱ ଦେଲା ନାହିଁ, କି ଘର ତିଆରି ଖେଳରୁ ମଧ୍ୟ ବିରତ ହେଲା ନାହିଁ । ଏସବୁ ଦେଖି ଅତ୍ୟନ୍ତ ରାଗରେ ବିରକ୍ତ ହୋଇ ବାପା କହିଲେ, ତାହେଲେ ତୁ ଥଆ, ମୁଁ ଯାଉଛି । ଏତିକି ବେଳେ ସେ ପିଲାଟି ଟିକେ ଅନ୍ୟମନସ୍କ ହୋଇ ଗଲା ଓ ସେହି ସମୟରେ ଭୁଲ୍ ବଶତଃ ତା’ର ହାତ ବାଜି ଘରଟି ଭାଙ୍ଗିଗଲା । ଏଥୁଅନ୍ତେ ରାଗରେ ଗର ଗର ହୋଇ ସେ ପିଲାଟି ତା ବାପାଙ୍କୁ ଚାହିଁ କହିଲା, ଦେଖିଲ ତୁମ ଯୋଗୁଁ ମୋ କୋଠାଘର ଭାଙ୍ଗିଗଲା ।

ପିଲାଟିର ଏପ୍ରକାର କଥା ଶୁଣି ବାପା ହଠାତ୍ ଟିକେ ତଟସ୍ଥ ହେଲେ । ତାପରେ ସେ ପୁଣି ଚିନ୍ତା କଲେ, ବାଲିଘର ପାଇଁ ପୁଅ ମୋ ସହିତ କଥା ବି କହିବାକୁ ଆଗ୍ରହ କରୁନାହିଁ । ପରେ ବଡ ହୋଇ ସତରେ ଯେତେବେଳେ ସେ ଘର କରିବ ସେତେବେଳେ ମୋତେ ଆଉ ସେ ପଚାରିବ ତ?

ସେହିଦିନ ହିଁ ବାପାଙ୍କର ପ୍ରକୃତ ଜ୍ଞାନ ଉଦୟ ହେଲା । ତେଣୁ ତାପରେ ସେ ତାଙ୍କ ଅଧିକ ସମୟ ଈଶ୍ୱର ଚିନ୍ତନ ପାଇଁ ବ୍ୟୟ କରିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ