ଘଂଚଜଙ୍ଗଲରେ କୁଳୁକୁଳୁ ନାଦ କରି ବହିଚାଲିଛି ପାହାଡି ଝରଣାଟିଏ । ସେଇ ଝରଣା କୂଳରେ ଏକ ଝଙ୍କାଳିଆ ବୃକ୍ଷମୂଳେ ଏକାଠି ହୁଅନ୍ତି ତିନିବନ୍ଧୁ । ସେମାନେ ହେଲେ – ଚତୁର ବିଲୁଆ, ବୁଦ୍ଧିଆ ଠେକୁଆ ଓ ହୁଣ୍ଡାଳିଆ ପ୍ରକୃତିର ଏକ ମାଙ୍କଡ । ତିନି ବନ୍ଧୁଙ୍କର ବନ୍ଧୁତ୍ୱ ଖୁବ୍ ନିବିଡ ଥିଲା । ସେମାନେ ପ୍ରତିଦିନ କିଛି ସମୟ ଏକାଠି ବସି ବେଶ୍ ହସଖୁସି ହୁଅନ୍ତି ।
ଦିନକର କଥା । ତିନିବନ୍ଧୁଙ୍କର ଏଭଳି ନିବିଡ ବନ୍ଧୁତ୍ୱ କଥା ସ୍ୱର୍ଗର ଏକ ପରୀ ଦେଖିଲା । ମନରେ ପ୍ରଶ୍ନ ଉଙ୍କିମାରିଲା, ଏଭଳି ନିବିଡ ବନ୍ଧୁତ୍ୱର କାରଣ କ’ଣ ହୋଇପାରେ? ପୁଣି ମନରେ ଭାବିଲା, ସେମାନେ ନିଶ୍ଚୟ ଉତ୍ତମ ସ୍ୱଭାବର ହୋଇଥିବେ । ମନରେ ସେମାନଙ୍କର ସ୍ନେହ, ଶ୍ରଦ୍ଧା, ଦୟା ଭାବ ପରସ୍ପର ପ୍ରତିଥିବ । ହେଲେ ଏହିସବୁ ଭଲଗୁଣ ତିନିବନ୍ଧୁଙ୍କ ଭିତରେ କାହାର ବେଶୀ ଜାଣିବାକୁ ତା’ର ଆଗ୍ରହ ସୃଷ୍ଟି ହେଲା ।
ଆଉଦିନେ ସେଇ ତିନିବନ୍ଧୁଙ୍କୁ ପରୀକ୍ଷା କରିବା ପାଇଁ ପରୀ ଗୋଟିଏ ବୁଢୀ ବେଶ ଧାରଣ କଲା । ତିନିବନ୍ଧୁ ଏକତ୍ରବସି ଗପସପ ହେଉଥିଲା ବେଳେ ସେମାନଙ୍କ ପାଖକୁ ଯାଇ କହିଲା, “ମୁଁ ବୁଢୀ ହୋଇଗଲିଣି । ମୋ’ ଆଖିକୁ ଭଲ ଦେଖାଯାଉନାହିଁ କି କାନକୁ ବି ଶୁଣାଯାଉନି । ଭଲଭାବରେ ବାଟ ବି ଚାଲିପାରୁନି । ମୋର ନିଜର ବୋଲି କେହି ନାହାନ୍ତି । ପ୍ରତିଦିନ ମୁଁ ଭିକ ମାଗି ଚଳେ । ଯେଉଁଦିନ କିଛି ନମିଳେ, ମୁଁ ଉପବାସ ରହିଯାଏ । ଏବେ ତିନି ଦିନ ହେଲା ମୋ ପେଟକୁ କିଛି ଯାଇନାହିଁ । ମୁଁ ଭାବୁଛି ତୁମେମାନେ ବଡ ଦୟାଳୁ । ସେଥିପାଇଁ ମୁଁ ଆସିଛି । ଦୟାକରି ମୋତେ କିଛି ଖାଇବାକୁଦିଅ, ଭଗବାନ ତୁମର ମଂଗଳ କରିବେ ।”