ଜଣେ ଭାରି କଡା ଓ ରାଗି ମିଞ୍ଜାସର ଗୁରୁ ଥାଆନ୍ତି । ସବୁବେଳେ ବହିପାଠକୁ ମୁଖସ୍ଥ କରିବାକୁ ଶିଷ୍ୟମାନଙ୍କୁ ପରାମର୍ଶ ଦେଉଥାନ୍ତି । କାହାରିକୁ ବୁଲିବା କି ପାଠ ବିଷୟରେ ଚିନ୍ତା କରିବାକୁ ପ୍ରଶ୍ରୟ ଦେଉନଥିଲେ । ଏହାଦ୍ୱାରା କେବଳ ସମୟ ଅପଚୟ ହେଉଛି ବୋଲି କହି ଏଭଳି କରୁଥିବା ଶିଷ୍ୟଙ୍କ ଉପରେ ବିଗୁଡୁଥିଲେ । ଯେଉଁ ଶିଷ୍ୟ କୌଣସି ବିଷୟ ଠିକ୍ ରେ ବୁଝିପାରୁ ନଥିଲା, ତାକୁ ପୁନର୍ବାର ନ ବୁଝାଇ ବହିରେ ଅଛି ପଢିଲେ ବୁଝିଯିବୁ କହି ବାରମ୍ବାର ବହି ପଢିବାକୁ କହୁଥିଲେ । ସୁତରାଂ ତାଙ୍କର ଶିଷ୍ୟମାନଙ୍କର ବହିଜ୍ଞାନ ବ୍ୟତୀତ ବାହାରର ସାଧାରଣ ଜ୍ଞାନ ବିଷୟରେ ଧାରଣା ନ ଥିଲା ।
ଦିନକର କଥା । ଗୁରୁ ଶିଷ୍ୟମାନଙ୍କୁ ନେଇ କୌଣସି ଏକ ସ୍ଥାନକୁ ଯାଉଥିଲେ । ସେମାନେ ପାହାଡିଆ ରାସ୍ତାଦେଇ ଗଲାବେଳେ ଏକ ଅଘଟଣ ଘଟିଲା । ସେମାନେ ରାସ୍ତାର ଏକ ସରୁ ପୋଲ ଉପରେ ଗଲାବେଳେ ହଠାତ୍ ଗୁରୁଙ୍କର ପାଦ ତଳକୁ ଖସିଗଲା । ସେ ନଦୀଗର୍ଭରେ ପଡି ପାଣିରେ ଉବୁଟୁବୁ ହେଲେ । ଖୁବ୍ ଉଚ୍ଚସ୍ୱରରେ ବଂଚାଅ ବଂଚାଅ ବୋଲି ଚିତ୍କାର କରୁଥାନ୍ତି । ଶିଷ୍ୟମାନେ ବଡ ବ୍ୟସ୍ତ ହୋଇ ପଡୁଥିଲା ବେଳେ ପୋଥିପତ୍ରର ବୋଝ ବୋହି ଗଧଗୁଡିକ ନିର୍ବାକ୍ ଭାବରେ ଠିଆ ହୋଇଥାନ୍ତି ।
ଶିଷ୍ୟମାନେ କ’ଣ କରିବେ କିଛି ଠିକ୍ କରିପାରିଲେ ନାହିଁ । ଜଣେ ନଦୀରେ ବୁଡିଯାଉଥିଲେ କ’ଣ କରିବାକୁ ହୁଏ ସେମାନେ ଜାଣି ନଥିଲେ । ହଠାତ୍ ଗଧ ପିଠିରେ ଲଦା ହୋଇଥିବା ବହିଗୁଡିକୁ ଖୋଲି ପଢିବାକୁ ଲାଗିଲେ ଶିଷ୍ୟମାନେ । ମାତ୍ର କୌଣସି ସମାଧାନର ବାଟ ସେମାନେ ହଠାତ୍ ପାଇଲେ ନାହିଁ ।