ଷାର୍ଣ୍ଣାସିକ ପରୀକ୍ଷା ପରେ ପରେ ପ୍ରତି ସ୍କୁଲ୍ରେ ପିକ୍ନିକ୍ କରି ଥାନ୍ତି । ଏପରି ସ୍ଥଳେ ଶିଲା ଏବଂ ମୀରା ନିଜ ସ୍କୁଲ୍ ତରଫରୁ ପିକ୍ନିକ୍ କରିବାକୁ ଗୋଟିଏ ସୁନ୍ଦର ଦ୍ୱୀପକୁ ଯାଇ ଥାନ୍ତି । ସେହି ଦ୍ୱୀପରେ ପହଁଚିବା ପରେ ସେଠାରେ ଗୋଟିଏ ବୃଦ୍ଧ ଲୋକଙ୍କୁ ବୁଲୁ ଥିବାର ଦେଖିଲା ଶିଲା । ସେହି ବୃଦ୍ଧ ଲୋକଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସେମାନେ ବୃଦ୍ଧ ଲୋକଟିର ପଛେ ପଛେ ଚାଲିଲେ । ଗୋଟିଆ ନିଛାଟିଆ ସ୍ଥାନରେ ସେମାନେ ଦେଖିଲେ ଯେ ଗୋଟିଏ ଜଳ ପରୀ ଗୋଟିଏ ପଥର ଉପରେ ବସିଛି । ଶିଲା ଏବଂ ମୀରା ଆସ୍ତେ ଆସ୍ତେ ଜଳ ପରୀ ପାଖରେ ପହଁଚି ଗଲେ । ଏପରି ସ୍ଥଳେ ହଠାତ୍ ମୀରାର ଗୋଡ ଗୋଟିଏ ପଥର ଚଟାଣ ଉପରେ ବାଜି ସେ ଝୁଂଟି ପଡିଗଲା । ମୀରା ପଡିଯିବାର ଶବ୍ଦ ଶୁଣି ଜଳ ପରୀ ପାଣିରେ କୁଦି ପଡିଲା ।
ପାଖରେ ଥିବା ଡଙ୍ଗାରେ ସେମାନେ ଜଳ ପରୀର ପିଛା କରିବାକୁ ଲାଗିଲେ । ଜଳ ପରୀ ଗୋଟିଏ ପାହାଡର ଗୁମ୍ଫା ଭିତରେ ପଶି ଗଲା । ଶିଲା ଡଙ୍ଗାରେ ଥିବା ଗୋଟିଏ ଦଉଡି ସାହାଯ୍ୟରେ ଡଙ୍ଗାକୁ ଗୁମ୍ଫାରେ ଥିବା ଗୋଟିଏ ପଥର ଚଟାଣ ସହିତ ବାନ୍ଧି ଗୁମ୍ଫା ଭିତରେ ପଶି ଗଲା । ଏଥିରେ ଗୁମ୍ଫା ଭିତରେ ହଜି ଯିବାରୁ ରକ୍ଷା ପାଇବାର ସହଜ ଉପାୟ ସେମାନେ ପାଇ ଗଲେ । କିନ୍ତୁ କିଛି ଦୂର ଯିବା ପରେ ତାଙ୍କୁ ଜଣା ଗଲା ଯେ କେହି ଜଣେ ଦଉଡିକୁ କାଟି ଦେଇଛି । କିନ୍ତୁ ଏ କ’ଣ? କିଏ ଏହି କାର୍ଯ୍ୟ କଲା? ସେମାନେ ଗୁମ୍ଫା ଭିତରେ ହଜି ଯାଇ ଥିଲେ । ସେମାନେ ଭାବିଲେ ଯେ ଗୁମ୍ଫା ଭିତରୁ ସେମାନେ ଆଉ କେବେ ବାହାରକୁ ବାହାରି ପାରିବେ ନାହିଁ । ଏହି ସମୟରେ ଜଳ ପରୀ ପାଣି ଭିତରୁ ବାହାରି ମୀରାକୁ ପାଣି ଭିତରେ ରାସ୍ତା କଡେଇ ନେଇ ଗଲା । ପୁଣି ପାଣି ଭିତରେ ବୁଡି ଗଲା । ଗୁମ୍ଫା ଭିତରୁ ବାହାରି ସେମାନେ ସିଧା ଚାଲି ଗଲେ ନିଜ କ୍ୟାମ୍ପ ପାଖକୁ । ସେହି ସମୟରେ ସେହି ବୁଢା ଲୋକଟିକୁ ଆସିବାର ଦେଖି ସେମାନେ ଗୋଟିଏ ବୁଦା ମୂଳରେ ଲୁଚି ଗଲେ ।