ଦିନେ ସିଂହ ଓ ବରାହ ପାଣି ପିଇବାକୁ ଜଙ୍ଗଲର ଗୋଟିଏ ଝରଣା ପାଖକୁ ଗଲେ । ସିଂହ ପ୍ରଥମେ କହିଲା “ଯେହେତୁ ମୁଁ ରାଜା, ତେଣୁ ମୁଁ ଆଗ ପାଣି ପିଇବି ।” ଆଉ ଏଣେ ବରାହ ମଧ୍ୟ ତା’ ଜିଦିରେ ଅଟଳ । ସେ ବି କହିଲା, “ତୁ ରାଜା ହେଲେ କ’ଣ ହେବ ମୋତେ ତ ଭାରି ଶୋଷ ହେଉଛି, ତେଣୁ ମୁଁ ଆଗ ପାଣି ପିଇବି ।” ଏଥିରେ ସେ ଦୁଇ ଜଣଙ୍କର ଝଗଡା ହେଲା ଓ କ୍ରମଶଃ ଲଢେଇ ବି ଆରମ୍ଭ ହୋଇଗଲା । ଲଢେଇରେ ଯିଏ ଜିଣିବ ସେ ହିଁ ଆଗ ପାଣି ପିଇବ ।
ଏମିତି ଲଢେଇ କରୁ କରୁ ସିଂହ ଓ ବରାହ ଦେଖିଲେ ଯେ, ଆକାଶରେ ଶାଗୁଣା ଓ କାଉ ଉଡିବା ଆରମ୍ଭ କଲେଣି । ଏସବୁ ଦେଖି ଶାଗୁଣା ଓ କାଉମାନେ ମନରେ ଖୁବ୍ ଲୋଭ କଲେ । ଲଢେଇରେ ଯିଏ ମରିବ ତାକୁ ସେମାନେ ଖାଇବେ । କାଉ, ଶାଗୁଣାଙ୍କର ଉଡାଣକୁ ଦେଖି ସିଂହ ଓ ବରାହର ହେତୁ ପଶିଲା; ତାପରେ ସେମାନେ କହିଲେ – ଏ ଲଢେଇରେ କେବଳ ଶାଗୁଣା ଓ କାଉଙ୍କର ହିଁ ଲାଭ ହେବ; ଏଣୁ ଆମ ଭିତରେ ଲଢେଇ କରି କୌଣସି ଲାଭ ନାହିଁ । ତାପରେ ସେମାନେ ଏକା ସାଙ୍ଗରେ ପାଣି ପିଇଲେ ।
ଦଇ ଜଣଙ୍କର ଝଗଡାରେ ସର୍ବଦା ତୃତୀୟ ଜଣଙ୍କର ହିଁ ଲାଭ ହୁଏ ।