ବିଲୁଆଟିଏ କିଆବୁଦାରେ ବସା ବାନ୍ଧିଥାଏ । ସେ କେତେବେଳେ ଖାଇବାକୁ ପାଏ ତ କେତେବେଳେ ପାଏ ନାହିଁ । ଏବେ ସେ ରହୁଥିବା ଅଂଚଳରୁ ଖାଦ୍ୟ ସରିଆସିବାରୁ ତାକୁ ଖାଦ୍ୟ ପାଇବା କଷ୍ଟ ହେଲା । ତେଣୁ ସେ ଆଉ ଖାଦ୍ୟ ନ ଖୋଜି ଘରେ ଚୁପ୍ ହୋଇ ବସିଗଲା । ଦିନକୁ ଦିନ ତା’ର ଶରୀର କ୍ଷୀଣ ହେବାରେ ଲାଗିଲା ।
କିଛି ଦିନ ପରେ ବିଲୁଆ ବାଧ୍ୟହୋଇ ଅନ୍ୟ ଏକ ଅଂଚଳକୁ ଖାଦ୍ୟ ଅନ୍ୱେଷଣରେ ବାହାରିଥାଏ । ବାଟରେ ଦେଖିଲା ଗୋଟିଏ ଘର । ସେଠାରେ ଏକ ମୋଟାସୋଟା କୁକୁର ସହିତ ତା’ର ଭେଟ ହୋଇଗଲା । କିଛି ସମୟ କଥାବାର୍ତ୍ତା ପରେ ବିଲୁଆ ତା’ କାମରେ ଚାଲିଗଲା ।
ନିତି ଏହିଭଳି ବିଲୁଆ – କୁକୁର ଭେଟ ହୁଏ । ଫଳରେ ଦୁହିଁଙ୍କ ଭିତରେ ବନ୍ଧୁତା ବଢିଗଲା । ଦିନେ କଥାଛଳରେ କୁକୁର ବିଲୁଆକୁ ପଚାରିଲା, “ଭାଇ! ତୁମର ଏଭଳି ଦୁର୍ବଳ ଅବସ୍ଥା କାହିଁକି?”
ଏହା ଶୁଣି ବିଲୁଆ ଖାଦ୍ୟାଭାବରୁ ଏଭଳି ଅବସ୍ଥାବୋଲି କହିଦେବାରୁ କୁକର କହିଲା, “ତୁମେ ସତରେ ବଡ ମୂର୍ଖ । ଏଭଳି ଅବସ୍ଥାରେ ତୁମେ ଗାଡ ଭିତରେ ପଡି ରହିଛ କାହିଁକି? ଆସ ମୋ ମାଲିକ ପାଖକୁ ତୁମକୁ ନେଇଯିବି । ତୁମେ ବି ଦିନ କେଇଟାରେ ମୋ ଭଳି ମୋଟାସୋଟା ହୋଇଯିବ । ମୋ ମାଲିକ ଭାରି ଭଲ ଲୋକ । ତୁମର ସେଠାରେ କିଛି ଅସୁବିଧା ହେବ ନାହିଁ ।”
ଏବେ ବିଲୁଆ କହିଲା, “ତୁମ ମାଲିକ ମୋତେ ଖାଇବାକୁ ଦେଲେ ତା’ବଦଳରେ ମୋତେ କି କାମ କରିବାକୁ ହବ?”