ଅନେକ ବର୍ଷ ତଳର କଥା । ଗୋଟିଏ ଗାଆଁରେ ଜଣେ ମହାଜନ ଥିଲେ । ତାଙ୍କର ତିନୋଟି ପୁଅ ଥିଲେ । ତନ୍ମଧ୍ୟରୁ ବଡ ପୁଅର ନାମ ସୁରେଶ, ମଝିଆଁ ପୁଅର ନାମ ଦିନେଶ ଏବଂ ସାନ ପୁଅର ନାମ ଅବିନାଶ । ସେ ମହାଜନଙ୍କର ପୁଣି ଅଚଳାଚଳ ଧନ ସମ୍ପତ୍ତି ଥିଲା । ଗୋରୁ ଗାଈ, ଘୋଡା, ଛେଳି ସବୁ ମହାଜନ ପାଳିଥିଲେ । କିନ୍ତୁ, ଅତି ଦୁଃଖର ବିଷୟ ଯେ, ସେ ତିନି ଭାଇମାନଙ୍କ ମଧ୍ୟରେ କାହାର ବି କାହା ସହିତ ଭଲ ଭାବରେ ପଡୁନଥିଲା । ସେ ଯାହାବିହେଉ, ସେ ମହାଜନ ତାଙ୍କର କୁଟୁମ୍ବ ଅତି ସୁଖରେ ପ୍ରତିପୋଷଣ କରୁଥିଲେ ।
ଏକଦା ସେ ମହାଜନ ଏକ ଅଜଣା ରୋଗରେ ଶଯ୍ୟାଶାୟୀ ହେଲେ । ତାଙ୍କ ଜୀବନ ସଙ୍କଟାପନ୍ନ, ଏମିତିକି କୌଣସି ବଇଦ ମଧ୍ୟ ସେ ମହାଜନଙ୍କ ରୋଗକୁ ଆଦୌ ଚିହ୍ନି ପାରିଲେ ନାହିଁ । ଯେତେ ଔଷଧ ଦେଲେ ବି ମହାଜନଙ୍କର ସେ ରୋଗ ମୋଟେ ଭଲ ହେଲା ନାହିଁ । ଏଥର ସେ ମହାଜନ ଘୋର ଚିନ୍ତାରେ ପଡିଲେ, ମୃତ୍ୟୁ ତ ନିଶ୍ଚିନ୍ତ । ତହୁଁ ସେ ମହାଜନ ମୃତ୍ୟୁ ନିଶ୍ଚିନ୍ତ ବୋଲି ଜାଣିପାରି ଖାଲି ଚିନ୍ତା କରିବାକୁ ଲାଗିଲେ । ତାଙ୍କ ମୃତ୍ୟୁପରେ ପୁତ୍ରମାନେ ସମ୍ପତ୍ତି ଭାଗବଂଟାରେ କାଳେ ଝଗଡା ଲାଗିବେ । ତେଣୁ ସେ ମହାଜନ ଖଣ୍ଡିଏ ସାଧା କାଗଜରେ ଲେଖି ଦେଲେ ଯେ, ସେ ତାଙ୍କ ପରେ ତାଙ୍କର ପୁଅମାନଙ୍କୁ କିପରି ଭାବରେ ସମ୍ପତ୍ତି ବଂଟନ କରିପାରିବେ ।