ଗୋଟିଏ ମରୁଭୂମିରେ ଗୋଟିଏ ଓଟ ରହୁଥିଲା । ସେ ବହୁତ ସରଳ ବିଶ୍ୱାସୀ ଥିଲା । ହଠାତ୍ ତା ଶରୀର ଓ ମନ ଧିରେ ଧିରେ ଖରାପ ହେବାକୁ ଲାଗିଲା । ଭାବିଲା ଏ ମରୁଭୂମିରେ ମୁଁ ବା ଆଉ କେତେଦିନ ରହିବି । କେତେ ଦିନ ବଂଚିବି । ଜୀବନରେ ନା ଭଲ କରି ଟିକେ ଖାଇ ପାରିଲି ନା ଏ ମରୁଭୂମି ଛଡା ମୁଁ ଅନ୍ୟତ୍ର କିଛି ବି ଦେଖିପାରିଲି । ଏକଥା ଭାବୁ ଭାବୁ ସେ ନିଶ୍ଚୟ କଲା କାଲି ସକାଳ ହେବା କ୍ଷଣି ସେ ମରୁଭୂମି ଛାଡି ଚାଲିଯିବ । ସକାଳ ହେଲା । ତାପରେ ସେ ଓଟ ମରୁଭୂମି ଛାଡି ବାହାରକୁ ବାହାରିଲା । କିଛି ଦିନ ଚାଲିବା ପରେ ସେ ଓଟ ଯାଇ ଏକ ଜଙ୍ଗଲରେ ପହଁଚିଲା । ଜଙ୍ଗଲରେ ପହଁଚିବା କ୍ଷଣି ସେ ଓଟକୁ ବିଭିନ୍ନ ପ୍ରକାର ଘାସ ପତ୍ର ଖାଇବାକୁ ମିଳିଲା । ଗଛରେ ଝୁଲୁଥିବା ମିଠା ମିଠା ଫଳ ଖାଇ ବହୁତ ଆନନ୍ଦ ପାଇଲା ସେ ଓଟ । ଏହିପରି କିଛି ଦିନ ବିତିଗଲା ।
ସେ ଜଙ୍ଗଲରେ ଗୋଟିଏ ବିଲୁଆ ରହୁଥାଏ । ସେ ବହୁତ ଚତୁର ଓ ଦୁଷ୍ଟ ଥିଲା । ସେ ଓଟକୁ ପଚାରିଲା – ହେ ମିତ୍ର, ତୁମେ କ’ଣ ଏଠାକୁ ନୂଆ ଆସିଛ । ତହୁଁ ସେ ଓଟ କହିଲା – ହଁ ମିତ୍ର । ମରୁଭୂମିରେ ରହି ରହି ମୁଁ ତ କିଛି ବି ଖାଇପାରିଲିନି । ତେଣୁ ଭାବିଲି ଟିକେ ବାହାର ଦୁନିଆ ଦେଖି ଆସେ । ଏକଥା ଶୁଣି ସେ ବିଲୁଆ କହିଲା – ବହୁତ ଭଲ କଲ, ଏଠାରେ ତୁମର କିଛି ବି ଅସୁବିଧା ହବନି । ଆମ୍ଭେ ଦୁହେଁ ସାଙ୍ଗ ହୋଇ ରହିବା, ସାଙ୍ଗ ହୋଇ ଖାଇବା, ସାଙ୍ଗ ହୋଇ ଯିବା । ତୁମେ ଆଜିଠାରୁ ମୋର ଜଣେ ପ୍ରକୃତ ଭଲ ମିତ୍ର ହେଲ । ଏକଥା ଶୁଣି ସେ ଓଟ ବି କହିଲା – ହଁ ବିଲୁଆ ଭାଇ, ମୁଁ ତୁମ ଭଳି ଜଣେ ମିତ୍ରକୁ ହିଁ ଖୋଜୁଥିଲି । ଏମିତି ହସି ଖେଳି ସେମାନେ ସମୟ କଟାଇଲେ ।