ହଜାରେ ବର୍ଷ ତଳର କଥା । ସେତେବେଳେ ବ୍ରହ୍ମପୁତ୍ର ନଦୀ କୂଳରେ ଏକ ବନପ୍ରଦେଶ ଥିଲା । ସେହି ବନପ୍ରଦେଶରେ ଜଣେ ବଣୁଆ ରାଜା ଶାସନ କରୁଥାଆନ୍ତି । ବଣ ଜଙ୍ଗଲ ପରିପୂର୍ଣ୍ଣ ହୋଇଥିବାରୁ ସେହି ରାଜ୍ୟ ଉପରେ ଅନ୍ୟ କୌଣସି ଦେଶର ରାଜା ଆକ୍ରମଣ କରିବା ପାଇଁ କଦାପି ମଧ୍ୟ ସାହସ କରନ୍ତି ନାହିଁ । ଏହି ବଣୁଆ ରାଜାଙ୍କ ସେନାରେ ବଣୁଆ ହାତୀ, ବଣୁଆ କୁକୁର, ସାପ ଆଦି ଜୀବଜନ୍ତୁ ଥାଆନ୍ତି । ବଣୁଆ ରାଜା ଏହି ଜୀବଜନ୍ତୁମାନଙ୍କ ବଳରେ ବହୁତ ବଳବାନ ହୋଇଥାଆନ୍ତି ।
ଦିନେ ସେ ବଣୁଆ ରାଜାଙ୍କ ଭାରି ଇଚ୍ଛା ହେଲା ନିଜ ପ୍ରଦେଶର ସୀମା ରେଖା ବଢାଇବା ପାଇଁ । ତେଣୁ ବଣୁଆ ରାଜା ନିଜର ଏକ ଦୂତ ପଡୋଶୀ ରାଜାଙ୍କ ପାଖକୁ ପଠାଇଲେ । ଦୂତ ଆସି ପଡୋଶୀ ରାଜାଙ୍କ ଦରବାରରେ ପହଁଚି କହିଲା – “ମହାରାଜ, ବନପ୍ରଦେଶର ବଣୁଆ ରାଜା ଆପଣଙ୍କ ପାଇଁ ଏକ ସନ୍ଦେଶ ପଠାଇଛନ୍ତି । ଆପଣ ଆମ ରାଜାଙ୍କ ଅଧୀନକୁ ଆସନ୍ତୁ ଓ ତାଙ୍କ ନିକଟରେ ନିଜକୁ ସମର୍ପଣ କରନ୍ତୁ; ନଚେତ୍ ଯୁଦ୍ଧ କରନ୍ତୁ ।”
ବଣୁଆରାଜାଙ୍କ ଏଭଳି ସନ୍ଦେଶ ପାଇ ପଡୋଶୀ ରାଜାଙ୍କ ମୁଣ୍ଡରୁ ହଠାତ୍ ବୁଦ୍ଧି ହଜିଗଲା । କାହିଁକିନା ସେ ତ ଠିକ୍ ଜାଣିଛନ୍ତି ଯେ ବଣୁଆ ରାଜା ବହୁତ ନିଷ୍ଠୁର ଓ ଭୟଙ୍କର । ତାଙ୍କ ସେନାର ସାମ୍ନା କରିବା ଅର୍ଥାତ୍ ଜୀବଜନ୍ତୁଙ୍କ ଆହାର ହେବା ସହ ସମାନ । କାରଣ ତାଙ୍କ ସେନାବାହିନୀରେ ଯେଉଁ ବଣୁଆ ସୈନ୍ୟ ଅଛନ୍ତି ସେମାନେ ଧନୁଶର ଯୁଦ୍ଧରେ ବି ପାରଙ୍ଗମ । ଆହୁରି ମଧ୍ୟ ସେମାନଙ୍କ ସେନାରେ ବଣୁଆ ହାତୀ, ବିଷାକ୍ତ ସାପ ଓ ବଣୁଆ କୁକୁର ରହିଛନ୍ତି । ସେମାନଙ୍କ ସହିତ ଯୁଦ୍ଧ କରିବା ନିହାତି ବୋକାମି କଥା । ତେଣୁ ରାଜା ଚିନ୍ତା କଲେ ଯଦି ମୁଁ ସମର୍ପଣ କରେ ତେବେ ବି ମୋର ମୃତ୍ୟୁ ହେବ ଆଉ ଯଦି ମୁଁ ଯୁଦ୍ଧ କରେ ତେବେ ଏ ରାଜ୍ୟର ପ୍ରଜାମାନେ କେହି ବି ବଂଚିବେ ନାହିଁ । ଶେଷରେ ସମସ୍ତେ ସେ ବଣ ପଶୁଙ୍କର ଶୀକାର ହୋଇଯିବେ ।