ରାଜା କୃଷ୍ଣଦେବ ରାୟ ନିଜ ରାଜ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କଲେ । ତେଣୁ ସେ ତାଙ୍କ ମନ୍ତ୍ରୀଙ୍କୁ ଡକାଇ ନିଜ ଇଚ୍ଛା ପ୍ରକାଶ କଲେ ଏବଂ ମନ୍ତ୍ରୀଙ୍କୁ ଉପଯୁକ୍ତ ସ୍ଥାନ ନିରୂପଣ କରିବାପାଇଁ ମଧ୍ୟ କହିଲେ ।
ମନ୍ତ୍ରୀ ନଗର ଠାରୁ କିଛି ଦୂରରେ ଥିବା ଏକ ଜଙ୍ଗଲରେ ସ୍ଥାନ ଚିହ୍ନଟ କଲେ । ରାଜାଙ୍କ ଆଦେଶରେ ସେହି ସ୍ଥାନଟି ପରିଷ୍କାର କରାଗଲା । ଜଙ୍ଗଲ ପରିଷ୍କାର କରିବା ସମୟରେ ସୁବର୍ଣ୍ଣ ପ୍ରତିମା ଦୃଷ୍ଟିଗୋଚର ହେଲା । ଏପରି ସୁବର୍ଣ୍ଣ ପ୍ରତିମା ଦେଖି ମନ୍ତ୍ରୀଙ୍କର ଅତିଶୟ ଲୋଭ ହେଲା । ତେଣୁ ସେ ସେହି ପ୍ରତିମାକୁ ଚୁପ୍ଚାପ୍ ଉଠାଇ ନେଇ ନିଜ ଗୃହରେ ରଖିଲେ ।
ସଫା କରୁଥିବା ଲୋକମାନେ ତ’ ତେନାଲୀରାମାଙ୍କର ଲୋକ ଥିଲେ । ତେଣୁ ସମାନେ ଏହା ଦେଖି ତୁରନ୍ତ ତେନାଲୀରାମାଙ୍କୁ ସମସ୍ତ କଥା କହିଲେ । ଏହି କଥା ଶୁଣି ତେନାଲୀରାମା ଅତ୍ୟନ୍ତ ଚିନ୍ତାରେ ପଡିଗଲେ । ଭୂମି ପୂଜା କରାଯିବା କଥା ଠିକ୍ କରାଗଲା ।
ଦିନେ ରାଜା ତାଙ୍କ କର୍ମଚାରୀମାନଙ୍କୁ ଭଗବାନଙ୍କ ପ୍ରତିମା କିପରି ନିର୍ମାଣ କରାଯିବ, ସେ ସଂପର୍କରେ ପଚାରିଲେ । ତାପରେ ସମସ୍ତେ ନିଜ ନିଜ ମତ ପ୍ରଦାନ କଲେ । ରାଜା କାହା କଥାକୁ ଗ୍ରହଣ କରିବେ, କିଛି ବି ଠିକ୍ କରିପାରିଲେ ନାହିଁ । ସେହି ସମୟରେ ରାଜ ଦରବାରରେ ହଠାତ୍ ଜଣେ ସନ୍ନ୍ୟାସୀ ଆସି ପହଁଚିଲେ । ସନ୍ନ୍ୟାସୀ ରାଜାଙ୍କୁ ପଚାରିଲେ, “ମହାରାଜ! ଆପଣ କାହିଁକି ଏତେ ବିବ୍ରତ ଜଣାପଡୁଛନ୍ତି । ମୁଁ ତ ଆପଣଙ୍କର ଚିନ୍ତାର କାରଣ ଠିକ୍ ଜାଣିଛି । ଗତ କାଲି ରାତିରେ ଭଗବାନ ମୋତେ ସ୍ୱପ୍ନରେ ଦର୍ଶନ ଦେଇ ଯାହା କହିଥିଲେ, ମୁଁ ଆପଣଙ୍କୁ ତାହା ହିଁ କହିବାକୁ ଉଚିତ୍ ମନେ କରୁଛି ।”