ଥରେ ଜଣେ ବ୍ୟକ୍ତି ତା’ର ଘୋଡାଗାଡିଟି ନେଇ ସକାଳୁ ସକାଳୁ କୌଣସି କାର୍ଯ୍ୟରେ ବାହାରିଥାନ୍ତି । ହଠାତ୍ ମୂଷଳ ଧାରାରେ ବର୍ଷା ହେବାରୁ ରାସ୍ତା ଘାଟ ପାଣି କାଦୁଅରେ ଭର୍ତ୍ତି ହୋଇଗଲା । ଘୋଡାଗାଡିଟି କିଛିବାଟ ଯାଇଛି କି ନାହିଁ, ତା’ର ଚକ କାଦୁଅରେ ଗଳିଗଲା । ଲୋକଟି ତା’ର ଚାବୁକ୍ ସାହାଯ୍ୟରେ ଘୋଡାକୁ ଯେତେ ପିଟିଲେ ବି କିଛି ଲାଭ ହେଲାନାହିଁ । ଘୋଡା ଟାଣି ଟାଣି ହାଲିଆ ହୋଇଗଲେ ପଛେ, ଚକ କାଦୁଅରୁ ବାହାରିଲା ନାହିଁ କି ଗାଡି ଉପରକୁ ଉଠିଲା ନାହିଁ । ଏହା ଦେଖି ଲୋକଟିର ବୁଦ୍ଧି ହଜିଗଲା ।
ଠିକ୍ ଏତିକିବେଳେ ଭୟଙ୍କର ଝଡତୋଫାନ ସାଙ୍ଗକୁ କଳାହାଣ୍ଡିଆ ମେଘ ମାଡି ଆସିବାରୁ ଲୋକଟି ଅତ୍ୟନ୍ତ ଭୟଭୀତ ହୋଇଗଲା । ସୁତରାଂ ସେ ବିକଳହୋଇ ଭଗବାନଙ୍କୁ ପ୍ରାର୍ଥନା କଲା । କିଛି ସମୟ ପରେ ସତକୁସତ ତାକୁ ଚକିତ କରି ତା’ ଆଗରେ ଭଗବାନ ଠିଆ ହୋଇଗଲେ । ଏଥର ଲୋକଟି ତାଙ୍କର ପାଦତଳେ ଲମ୍ବହୋଇ ପଡିଗଲା ।
ଭଗବାନ ପଚାରିଲେ, “କଥା କ’ଣ ମୋତେ କାହିଁକି ଡାକିଲ?”
ଲୋକଟି କହିଲା, “ମୋ’ ଘୋଡାଗାଡିଟି କାଦୁଅ ଭିତରେ ପଶିଯାଇଛି । ଘୋଡା ଦୁଇଟି ଟାଣିଟାଣି ହାଲିଆ ହୋଇଗଲେଣି ପଛେ ଗାଡିଟି କାଦୁଅରୁ ଉଠୁନାହିଁ । ଆପଣ ଟିକିଏ ସାହାଯ୍ୟ କଲେ ହୁଏତ ବାହାରି ପାରନ୍ତା?”
ଏକଥା ଶୁଣି ଭଗବାନ କହିଲେ, “ତା’ ହେଲେ ଠିକ୍ ଅଛି । ତୁ ପ୍ରଥମେ ତୋ ଜାମା ଖୋଲ । ଘୋଡାଗାଡି ତଳେ ପଶି ଚକର ଅଖ ତଳେ ତୋ କାନ୍ଧ ଲଗେଇ ଠେସିଦିଏ । ତାପରେ ସେଇଠି ରହି ଘୋଡାକୁ ଠେଲ ।”