ଦିନେ ସକାଳୁ ନିଦରୁ ଉଠି ଠେକୁଆ ଦେଖିଲା ଯେ, ତା’ଘରେ ଖାଇବାକୁ କିଛି ବି ନାହିଁ । ତା’ ପିଲାମାନେ ଭୋକରେ ଖାଲି ଆଉଟୁପାଉଟୁ ହେଉଛନ୍ତି । ପିଲାଙ୍କ ବିକଳ ଆଉ ସହି ନପାରି ଠେକୁଆ କିଛି ଖୋଜିବାକୁ ବାହାରି ପଡିଲା । ବାଟରେ ସେ ଦେଖିଲା ଗୋଟିଏ ବଡ ଗଛ । ଗଛ ଗଣ୍ଡିରେ କୋରଡ ଅଛି । ଭାବିଲା କୋରଡ ଭିତରେ ଯଦି ମହୁମାଛିମାନେ ଫେଣା କରିଥାନ୍ତି? ତେବେ ତ ବଢିଆ କଥା । ମହୁଫେଣାରେ ସକାଳର ଜଳଖିଆଟା ଚଳିଯିବ ।
ଏମିତି ଭାବି ଟାଙ୍ଗିଆ ଉଂଚେଇ ଠେକୁଆ ଗଛକୁ ହାଣିବାକୁ ବସିଛି ହଠାତ୍ ଲକ୍ଷ୍ୟ କଲା ସେଇଟା ଗଛ ନୁହେଁ, ବରଂ ଗୋଟାଏ ବଡ ରାକ୍ଷସ । ତେଣୁ ସେ ଠେକୁଆ ଛାନିଆ ହୋଇଗଲା । ରାକ୍ଷସ ଠେକୁଆର ଏପରି ସାହସ ଦେଖି ତାକୁ ମାରିବାକୁ ବସିଲା । ଏଡେ ଟିକିଏ ଠେକୁଆ ପୁଣି ତାକୁ ହାଣିବାକୁ ଚେଷ୍ଟା କରୁଛି! ଚତୁର ଠେକୁଆ ମୁଣ୍ଡରେ ହଠାତ୍ ଗୋଟାଏ ବୁଦ୍ଧି ପଶିଲା । ତେଣୁ ସେ କହିଲା, “ଆଜ୍ଞା ମୁଁ ଆପଣଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି । ଏ ଗରିବ ଘରେ ଆପଣଙ୍କ ପାଦ ପଡିଲେ ମୁଁ କୃତାର୍ଥ ହେବି । ମୁଁ କିଛି କାଠ ସଂଗ୍ରହ କରିବାକୁ କୁରାଢିଟାଏ ଆଣିଥିଲି । ଆପଣ ଦୟାକରି ମୋ ସାଙ୍ଗରେ ଆସନ୍ତୁ ।”
ଠେକୁଆର ଏଭଳି ଖୋସାମତିଆ କଥାରେ ସେ ରାକ୍ଷସ ଭୁଲିଗଲା । ଖାଇବା କଥା ଶୁଣି ତା’ ପାଟିରୁ ଖାଲି ଲାଳ ବୋହିଲା । ସେ ମନ ଖୁସିରେ ଠେକୁଆ ସହିତ ଚାଲିଲା । ଘରେ ପହଁଚି ଆଗ ସର୍ବତ ଆଣିବା ପାଇଁ ଠେକୁଆ ତା’ସ୍ତ୍ରୀକୁ ଆଦେଶ କଲା । ସ୍ତ୍ରୀ ଠେକୁଆ ଠାରୁ ସବୁ ଶୁଣିଲା । ଘରେ ତ କିଛି ବି ନାହିଁ । ଅଳ୍ପ ମହୁ ଥିଲା । ସେତକ ପାଣିରେ ଗୋଳେଇଲା ଓ ଗୋଲମରିଚ ଗୁଣ୍ଡ ମିଶାଇ ରାକ୍ଷସକୁ ପିଇବାକୁ ଦେଲା । ସେତକ ପିଇଦେଇ ରାକ୍ଷସର ଭୋକ ବଢି ଗଲା । ଚଂଚଳ ଖାଇବାକୁ ଆଣ, ସର୍ବତ ଫର୍ବତର କ’ଣ ଦରକାର? ଋାକ୍ଷସ ପାଟିଶୁଣି ଏଣେ ଏ ଠେକୁଆର ପିଳେହି ପାଣି । ଏହି ସମୟରେ ତାକୁ ଗୋଟାଏ ବୁଦ୍ଧି ଦିଶିଲା ।