ଗୋଟିଏ ଗାଁରେ ଦୁଇଜଣ ଭାଇ ଭଉଣୀ ରହୁଥିଲେ । ଭାଇର ନାମ ଅୟୁତା ଓ ଭଉଣୀଟିର ନାମ ଆଦାମା । ଭାଇ ସାନ, ଆଉ ଭଉଣୀ ବଡ । ସେ ପିଲା ଦୁଇଟିଙ୍କର ବାପ, ମା ହଠାତ୍ ରୋଗରେ ପଡି ମରିଗଲେ । ଏତେବଡ ଦୁନିଆଁରେ ସେମାନଙ୍କର ଆଉ କେହି ବି ସାହା ଭରସା ରହିଲେ ନାହିଁ । ଏ ଅନାଥ ପିଲା ଦୁଇଟିଙ୍କୁ ଗରିବ ଗ୍ରାମବାସୀ ବା କି ସାହାଯ୍ୟ କରି ପାରିବେ?
ତେଣୁ ଦିନେ ସେ ପିଲା ଦୁଇଟି ଗାଁ ଛାଡି ସହରଆଡେ ଚାଲିଲେ । ଭାଗ୍ୟରେ ଥିଲେ ସହରର କେହି ଧନୀଲୋକ ସେମାନଙ୍କୁ ଆଶ୍ରୟ ଦେଇପାରେ । ଏଇ ଆଶାରେ ତ ସେ ଭାଇ ଭଉଣୀ ଦୁହେଁ ଘରୁ ବାହାରି ପଡିଥାନ୍ତି । ଆଉ ନିଜ ସାଙ୍ଗରେ ଆଣିଥାନ୍ତି ଅଳ୍ପ କିଛି ଲୁଗାପଟା ଓ ମେହଗାନି ଗଛର ଖଣ୍ଡେ ବାଡି । ତାଙ୍କର କେବଳ ସେତିକି ସମ୍ବଳ । ଅନେକ ନଈ ନାଳ ଡେଇଁ ପାହାଡିଆ ରାସ୍ତାରେ ସେମାନେ ଚାଲିଥାନ୍ତି । କିଛିବାଟ ଯିବାପରେ ଭଉଣୀଟି ଥକିଯାଇ ବସିପଡିଲା ଓ ଖାଲି କାନ୍ଦିଲା । ମାତ୍ର ତା ସାନଭାଇ ଅୟୁତା ତାକୁ ବହୁତ ବୁଝାଇ ସୁଝାଇ ସଙ୍ଗରେ ଧରି ଆଗକୁ ଚାଲିଲା । ଏହିପରି ଯାଉ ଯାଉ ସେମାନେ ଦେଖିଲେ ଯେ, କିଛି ଦୂରରେ ଗୋଟିଏ ସ୍ଥାନରୁ ଧୂଆଁ ବାହାରୁଚି । ତାହା ଦେଖି ସେ ବୁଦ୍ଧିମାନ ଅୟୁତା ଠିକ୍ ଜାଣିପାରିଲା ଯେ ସେଠାରେ କେହି ଜଣେ ନିଶ୍ଚୟ ରନ୍ଧାବଢା କରୁଛି ।
ତାପରେ ସେ ଦୁହେଁ ଶୀଘ୍ର ସେହି ସ୍ଥାନରେ ପହଁଚି ଦେଖିଲେ ବୁଢୀଟିଏ ତା କୁଡିଆ ବାହାରେ ଚୁଲୀ ପକେଇ ରୋଷେଇ କରୁଚି । ବୁଢୀ ଏ ଅନାଥ ପିଲା ଦୁଇଟିକୁ ଆନନ୍ଦରେ ଘରକୁ ଡାକିନେଲା । ସେମାନଙ୍କୁ ଆଗ କିଛି ଖାଇବାକୁ ବାଢିଦେଲା । ପିଲା ଦୁଇଟି ଖାଇସାରି ଦେଖିଲେ ଯେ, ସେ ବୁଢୀର ମାଠିଆରୁ ତ ପାଣି ସରିଗଲାଣି । ତେଣୁ ସେ ଭାଇ ଭଉଣୀ ମାଠିଆ ଧରି ପାଣି ଆଣିବାକୁ ବାହାରି ପଡିଲେ ।