ଗୋଟିଏ ବୁଢୀର ଥରେ ଆଖି ଖରାପ ହେଲା । ତା’ପରେ ଚିକିତ୍ସା ପାଇଁ ସେ ବୁଢୀ ଜଣେ ଡାକ୍ତର ପାଖକୁ ଗଲା । ଡାକ୍ତର ସହିତ ଚୁକ୍ତି ହେଲା ଯେ, ମାସକ ଭିତରେ ଆଖି ଭଲ କରିଦେଲେ ସେ ଡାକ୍ତରକୁ ଯଥେଷ୍ଟ ପାରିଶ୍ରମିକ ମିଳିବ । ମାତ୍ର ଭଲ ନ କଲେ ସେ ଡାକ୍ତରକୁ କିଛି ବି ମିଳିବ ନାହିଁ । ଏଥିରେ ସେ ଡାକ୍ତର ଜଣକ ରାଜି ହୋଇଗଲେ ।
ତା’ପରେ ଡାକ୍ତର ସେ ବୁଢୀ ଘରକୁ ଯାଇ ଦେଖିଲେ ସେ ଘରେ ଅନେକ ଜିନିଷ । ଚିକିତ୍ସା ବାହାନାରେ ସେ ଡାକ୍ତର ପ୍ରତିଦିନ ବୁଢୀ ଘରକୁ ଗଲେ ଓ ଗୋଟିଏ ଗୋଟିଏ ଜିନିଷ ଉଠେଇଲେ । ଏଣେ ଏ ବୁଢୀ ତ କିଛି ବି ଦେଖି ପାରୁ ନଥାଏ, ତେଣୁ ଏଭଳି ଏକ ସୁଯୋଗ ପୁଣି ଛାଡେ ଆଉ କିଏ? କିଛିଦିନ ପରେ ଅସଲ ଚିକିତ୍ସା ଆରମ୍ଭ ହେଲା । କାରଣ ଆଖି ଭଲ କରିଦେଲେ ବଡ ପୁରସ୍କାର ପାଇବାର ଲୋଭ ସେ ଡାକ୍ତରଙ୍କୁ ଖାଲି ଘାରିଥାଏ । ଭଲ ହୋଇ ସେ ବୁଢୀ ଦେଖିପାରିଲା ଯେ ଘରେ ତା’ର ବାସନ କୁସନ, ଲୁଗାପଟା ବା ଗହଣା ଆଉ କିଛି ବି ନାହିଁ । ତେଣୁ ବୁଢୀ ସେ ଡାକ୍ତରଙ୍କୁ ପୁରସ୍କାର ଦେବାକୁ ଖାଲି ଦିନ ଗଡେଇ ଚାଲିଲା ।
ଏଣେ ସେ ଡାକ୍ତର ଶେଷରେ ବାଧ୍ୟ ହୋଇ ବିଚାରପତିଙ୍କ ଆଶ୍ରୟ ନେଲେ । ବୁଢୀକୁ କୋର୍ଟ ଡକାଇଲା । ତହୁଁ ସେ ବୁଢୀ କହିଲା ତା ଆଖି ଭଲ ହୋଇଯାଇଛି । ଆଖି ଭଲ କରି ଦେଲେ ବଡ ପୁରସ୍କାର ଦେବ ବୋଲି ମଧ୍ୟ ସେ ଜବାବ୍ କରିଥିଲା । ତେବେ ବୁଢୀ ଏବେ ତା’ଜବାବ୍ ରକ୍ଷୁ ନାହିଁ କାହିଁକି? ବୋଲି ବିଚାରପତି ପଚାରିଲେ । ବିଚାରପତିଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ବୁଢୀ କହିଲା – ହଜୁର ! ମୋ ଆଖି ଖରାପ ଥିବା ସମୟରେ ବି ମୋ ଘରେ ଥିବା ଜିନିଷଗୁଡିକୁ ମତେ ଝାପ୍ସା ଦିଶୁଥିଲା । ଡାକ୍ତରବାବୁ ତ ମତେ ସବୁ ଦିନ ଦେଖିବାକୁ ଆସୁଥିଲେ । ମୋ ଆଖି ବି ଭଲ କରିଦେଲେ । କିନ୍ତୁ ଘରେ କୌଣସି ଜିନିଷ ମତେ ଏବେ ଦିଶୁନାହିଁ । ତାହେଲେ ମୋ ଆଖି ଆଉ ଭଲ ହେଲା କ’ଣ?
କଥାରେ ଅଛି ଯେସାକୁ ତେସା ।