ସେଦିନ ବାହାରେ ଖୁବ୍ ଜୋର୍ରେ ବର୍ଷା ହେଉଥାଏ । ସ୍କୁଲକୁ ଅଧିକାଂଶ ପିଲା ଆସିନଥାନ୍ତି । ରାଜୁ ସାର୍ ସପ୍ତମ ଶ୍ରେଣୀର ପିଲାମାନଙ୍କୁ କହିଲେ, ପିଲାଏ ଆଜି ତୁମମାନଙ୍କର ବୁଦ୍ଧି ପରୀକ୍ଷା କରାଯିବ । କହିଲ ପିଲାଏ ବଗ ସୁନ୍ଦର, ନା କୋଇଲି ସୁନ୍ଦର । ସମସ୍ତ ପିଲା ହାତ ଟେକିଲେ । ରାଜୁ ସାର୍ ସମସ୍ତଙ୍କୁ ଗୋଟି ଗୋଟି କରି ପଚାରିଲେ, ସମସ୍ତେ କହିଲେ ବଗ ସୁନ୍ଦର । କାରଣ ବଗ ଦେଖିବାକୁ ଧୋବ ଫର ଫର ଭଳିଧଳା । କୋଇଲିଟା କଳା, ଦେଖିବାକୁ ଅସୁନ୍ଦର ।
ରାଜୁ ସାର୍ ପୁଣି କହିଲେ ଜଣେ ଚୋର ଦେଖିବାକୁ ବହୁତ ସୁନ୍ଦର କିନ୍ତୁ ଜଣେ ସାଧୁ ଦେଖିବାକୁ ବହୁତ ଅସୁନ୍ଦର । କାରଣ ସେ ନିଶ ଦାଢି ରଖିଛନ୍ତି । ତେବେ କହିଲ ପିଲାଏ ଚୋର ଭଲ ଲୋକ ନା ସାଧୁ ଭଲ ଲୋକ । ପିଲାମାନେ କହିଲେ ସାର୍ ସାଧୁ ଜଣକ ଭଲ ଲୋକ, ଚୋର ନୁହେଁ । ଚୋର ତ ରାତିରେ ସମସ୍ତଙ୍କର ଧନ ସମ୍ପତ୍ତି ଲୁଟିନିଏ । ରାଜୁ ସାର୍ କହିଲେ – ଠିକ୍ ସେମିତି ବଗ ଆଉ କୋଇଲି । ବଗସିନା ଦେଖିବାକୁ ସୁନ୍ଦର ହେଲେ ସେ ବିଲରୁ ପୋକ, ଯୋକ ଓ ମାଛ ଖାଏ । ତା’ ଦେହଟା ଗନ୍ଧାଏ ।
ରାଜୁ ସାର୍ କହିଲେ, କୋଇଲିର ରୂପ ସିନା କଳା, ହେଲେ ତା’ ଗୀତ ଭାରିମିଠା । କୋଇଲି ବଣର ଫଳଖାଏ । ବଗ ଭଳି ରୂପଟା ସୁନ୍ଦର ହେଲେ କେହି ସୁନ୍ଦର ନୁହଁନ୍ତି । ରୂପ କାହାରି ଅସଲ ପରିଚୟ ନୁହେଁ । ଯାହାର ଭଲଗୁଣ ଥାଏ ସେଇ ହିଁ ସୁନ୍ଦର । ପ୍ରକୃତରେ ସୁନ୍ଦର ପଣଟା ଥାଏ ନିଜ ଭିତରେ । ଜଣେ ସୁନ୍ଦର ଦେଖାଯାଉଛି, ହେଲେ ତା’ ଭିତରେ ଯଦି ଅହଂକାର, ଅନ୍ୟାୟ ଓ ଅସତ୍ୟ ପରି ମନ୍ଦ ଗୁଣଥାଏ ସେ କ’ଣ କେବେ ସୁନ୍ଦର ହୋଇ ପାରିବ?
ପିଲାମାନଙ୍କ ମଧ୍ୟରୁ ବିଷ୍ଣୁପ୍ରିୟା ରାଉତ ସହିତ ଅନ୍ୟ ପିଲାମାନେ ତାଳିମାରି କହିଲେ, ଆପଣ ଠିକ୍ କଥା କହିଛନ୍ତି ସାର୍ ।
ରାଜୁ ସାର୍ କହିଲେ ଯାହାଙ୍କ ଭିତରେ ସତ୍ୟ, ସେବା, ତ୍ୟାଗ, ସ୍ନେହ, ସହଯୋଗ ପରି ପବିତ୍ର ଗୁଣ ଥିବ ସେ ହିଁ ସୁନ୍ଦର । କାହାର ରୂପକୁ ସୁନ୍ଦର ଭାବ ନାହିଁ । ଗୁଣଥିବା ମନୁଷ୍ୟ ପ୍ରକୃତରେ ସୁନ୍ଦର । ତେଣୁ କଥାରେ ଅଛି – “ସୁନ୍ଦର ଗୁଣ ଯାହାର, ତାକୁ ସମସ୍ତେ କରନ୍ତି ଆଦର ।” ପିଲାମାନେ ତୁମେ ଭଲ ମଣିଷ ହେବାକୁ ଚେଷ୍ଟା କର ।