କୁରୁକ୍ଷେତ୍ର ପ୍ରାଙ୍ଗଣ । କୌରବ ଓ ପାଣ୍ଡବମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ରଣ ଭେରୀ ବାଜିବାମାତ୍ରେ ଉଭୟ ପକ୍ଷ ଯୁଦ୍ଧରେ ଲିପ୍ତ ରହିବେ । ସେଥିପାଇଁ ପ୍ରତୀକ୍ଷା । ଏହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା । ଯୁଧିଷ୍ଠିର ରଥରୁ ଓହ୍ଲାଇ ଚାଲି ଚାଲି କୁରୁସେନାଙ୍କ ଆଡକୁ ଅଗ୍ରସର ହେଲେ ।
ଏହା ଦେଖି ଭୀମ, ଅର୍ଜୁନ, ନକୁଳ, ସହଦେବଙ୍କ ସହ ପାଣ୍ଡବ ପକ୍ଷର ବୀରମାନେ ପ୍ରମାଦ ଗଣିଲେ । ଶ୍ରୀକୃଷ୍ଣ ମଧ୍ୟ ଏହା ଦେଖୁଥିଲେ । ପାଣ୍ଡବ ଭାଇମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ହୃଦୟଙ୍ଗମ କରି ଏହାକୁ ଦୂର କରିବାକୁ ଯାଇ ଶ୍ରୀକୃଷ୍ଣ କହିଲେ ଯୁଧିଷ୍ଠିର ଧର୍ମରାଜ, ଧର୍ମାନୁସାରେ ସେ କାର୍ଯ୍ୟ କରି ଥାଆନ୍ତି । ବର୍ତ୍ତମାନ ମଧ୍ୟ ସେ ଧର୍ମାନୁସାରେ କାର୍ଯ୍ୟ କରିବାକୁ ଯାଉଛନ୍ତି । ଏଣୁ ସେ ନେଇ ଚିନ୍ତା କରିବା ସମୀଚୀନ ନୁହେଁ ।
ଯୁଧିଷ୍ଠିରଙ୍କୁ ଚାଲି ଚାଲି ନିଜ ଆଡକୁ ଆସୁଥିବାର ଦେଖି ଦୁର୍ମତି ଦୁର୍ଯ୍ୟୋଧନ ବେଶ୍ ଉଦ୍ଫୁଲ୍ଲ ହୋଇ ଉଠିଲେ । ସେ ଭାବିଲେ ବୋଧହୁଏ ଯୁଧିଷ୍ଠିର ତାଙ୍କର ବିଶାଳ ସୈନ୍ୟ ବାହିନୀକୁ ଦେଖି ଭୟଭୀତ ହୋଇ ଶରଣ ଭିକ୍ଷା କରିବାକୁ ଆସିଛନ୍ତି । ଯୁଧିଷ୍ଠିର ପିତାମହ ଭୀଷ୍ମଙ୍କ ନିକଟକୁ ଗଲେ । ତାଙ୍କୁ ପ୍ରଣାମ କରି କହିଲେ – ପିତାମହ ! ମୁଁ ଆପଣଙ୍କ ବିରୁଦ୍ଧରେ ଯୁଦ୍ଧ କରିବା କଥା ଚିନ୍ତା କରି ହତୋତ୍ସାହିତ ହୋଇ ପଡିଛି । ଆପଣଙ୍କ ଆଜ୍ଞା ଓ ଆଶୀର୍ବାଦ ବିନା ଯୁଦ୍ଧ କରିବା ମୋ ପକ୍ଷେ ସମ୍ଭବ ନୁହେଁ । ଦୟା କରି ମୋତେ ଆଜ୍ଞା ଦିଅନ୍ତୁ ଓ ଆଶୀର୍ବାଦ କରନ୍ତୁ । ଭୀଷ୍ମ ଆନନ୍ଦିତ ହୋଇ କହିଲେ – ଧର୍ମରାଜ ଯୁଧିଷ୍ଠିର ! ତୁମେ ତୁମର ଧର୍ମ ନିଷ୍ଠାର ସହ ପାଳନ କରୁଛ । ଯଦି ତୁମେ ଆଶୀର୍ବାଦ ଓ ଆଜ୍ଞା ପ୍ରାର୍ଥନା କରିନଥାନ୍ତ ତେବେ ତୁମର ପରାଜୟ ନିଶ୍ଚିତଭାବେ ହୋଇଥାଆନ୍ତା । କିନ୍ତୁ ତୁମେ ମୋତେ ପ୍ରସନ୍ନ କରିଦେଇଛ । ତୁମେ ବିଜୟୀ ହୁଅ । ମୁଁ ପ୍ରତିଜ୍ଞା ବଦ୍ଧ ଓ କୌରବଙ୍କ ଆନ୍ନରେ ପ୍ରତିପାଳିତ, ତେଣୁ ତୁମ ବିରୁଦ୍ଧରେ ଅବଶ୍ୟ ଯୁଦ୍ଧ କରିବି । ତେଣୁ ତୁମେ ତୁମ ସପକ୍ଷରେ ଯୁଦ୍ଧ କରିବା ବିନା ତୁମେ ଯାହା ଚାହଁ ସେ ବର ମୋତେ ମାଗିପାର ।
ଯୁଧିଷ୍ଠିର ନମ୍ରତାର ସହିତ କହିଲେ ପିତାମହ ! ଆପଣ ଇଚ୍ଛାମୃତ୍ୟୁର ବରଦାନ ପାଇଛନ୍ତି । ଆପଣଙ୍କୁ ପରାଜିତ କରିବା ଅସମ୍ଭବ । ଏକ୍ଷେତ୍ରରେ ବିଜୟ କିପରି ହେବ?