ଜଙ୍ଗଲ ମଧ୍ୟରେ ପୋଖରୀଟିଏ । କାଚକେନ୍ଦୁ ପରି ପାଣି । ସେଇ ପୋଖରୀରେ ରହୁଥିଲା ଗୋଟିଏ ବଡ କଇଁଛ । ପୋଖରୀ କୂଳରେ ଗୋଟିଏ ଝଙ୍କାଳିଆ ବରଗଛ ଏବଂ ତା’ ପାଖକୁ ଲାଗି ଘଂଚ ବୁଦା ସବୁ ଲମ୍ବିଯାଇଛି କିଛି ଦୂର । ସେଇ ବୁଦା ଭିତରେ ଘର କରି ରହିଥିଲେ ଦୁଇ ସାଙ୍ଗ-ମୂଷା ଏବଂ ଠେକୁଆ । ବରଗଛ ଉପରେ ବସା କରିଥିଲା କାଉଟିଏ । ଏ ଚାରିଙ୍କ ଭିତରେ ଭାରି ବନ୍ଧୁତା । କେହି କାହାକୁ ଦିନେ ନ ଦେଖିଲେ ରହିପାରନ୍ତି ନାହିଁ । ସେମାନେ ନିଜ ନିଜ ଭିତରେ ସଙ୍ଗାତ ବସିଥିଲେ । ଅବସର ସମୟରେ ଏକାଠି ବସି ଗପ କରୁଥିଲେ । ଏମିତି ଆନନ୍ଦରେ ଦିନଗୁଡିକ କଟିଯାଉଥିଲା ।
ଥରେ ଗୋଟିଏ ଶିକାରୀ ବରଗଛ ମୂଳରୁ ପୋଖରୀ ତୁଠ ପର୍ଯ୍ୟନ୍ତ ଫାଶ ବସେଇଦେଲା । ଏହା ଜାଣିନପାରି କଇଁଛ ଏବଂ ଠେକୁଆ ପରସ୍ପରକୁ ଭେଟିବାକୁ ଆସୁଥିବାବେଳେ ସେଇ ଫାଶରେ ପଡିଗଲେ । ଶିକରୀର ଖୁସି କହିଲେ ନସରେ । ଗୋଟିଏ ଜାଲ ମୁଣାରେ ସେ ଦୁହିଁଙ୍କୁ ପୁରାଇ ଶିକାରୀଟି ଘରକୁ ଚାଲିଲା । ଠେକୁଆ କିନ୍ତୁ ଭାରି ଚାଲାକ୍ । ସେ ଚୁପ୍ ଚାପ୍ କଇଁଛ ପରି ମୁଣା ଭିତରେ ପଡି ନରହି ପ୍ରାଣମୂର୍ଚ୍ଛା ଚିତ୍କାର କରି ବଣ ଭୂଇଁକୁ କମ୍ପେଇ ଦେଲା ।
ମୂଷା ଓ କାଉ ସଙ୍ଗାତର ବିକଳ ଚିତ୍କାର ଶୁଣି ସେଠାରେ ପହଁଚିଗଲେ । ଦୁଇ ସଙ୍ଗାତ ଏମିତି ବିପଦରେ ପଡିଥିବା ଦେଖି ଦୁଃଖ କଲେ । ଅନେକ ଚିନ୍ତା କରି ସେମାନେ ଶିକାରୀକୁ ଧୀରେ ଧୀରେ ଅନୁସରଣ କରିବାକୁ ଲାଗିଲେ । କାଉ କାଆ କାଆ କରି ତା’ର ସାଙ୍ଗସାଥୀଙ୍କୁ ବିପଦର ସୂଚନା ଦେଇ ଦେଲା । ହଜାର ହଜାର କାଉ ଉଡି ଉଡି ଆସି ସେଠାରେ ପହଁଚିଗଲେ । ବିଚାରବିମର୍ଶ ପରେ ସେମାନେ ଯୋଜନାବଦ୍ଧ ଭାବେ ଶିକାରୀକୁ ମିଳିତ ଭାବେ ଆକ୍ରମଣ କଲେ । ସେମାନଙ୍କ ଆକ୍ରମଣରେ ଶିକାରୀ ଖଣ୍ଡିଆ ଖାବରା ହେଇ ଯନ୍ତ୍ରଣାରେ ତଳେ ପଡିଗଲା । ନିଜ ଜୀବନ ବଂଚାଇବାକୁ ସେ ଚିତ୍କାର କଲା । ଏହାର ସୁଯୋଗ ନେଇ ମୂଷା ଶିକାରୀର ସେହି ଜାଲମୁଣାକୁ ନିଜର ତୀକ୍ଷ୍ନ ଦାନ୍ତରେ କାଟିଦେଲା । ଠେକୁଆ ଏବଂ କଇଁଛ ଜାଲ ମୁଣାରୁ ପଦାକୁ ବାହାରି ଆସି ଏକ ଘଂଚ ବୁଦା ଭିତରେ ଲୁଚିଗଲେ । ଶିକାରୀ ବିଚରା ରକ୍ତାକ୍ତ ହୋଇ କାନମୁଣ୍ଡ ଆଉଁସି ଘରକୁ ଖାଲି ହାତରେ ଫେରିଲା ।
ଦେଖିଲ ତ ପିଲେ, ଉତ୍ତମ ଏବଂ ନିଃସ୍ୱାର୍ଥପର ବନ୍ଧୁତାର ମୂଲ୍ୟ କେତେ? ଯିଏ ପ୍ରକୃତ ବନ୍ଧୁ ସେ କେବଳ ସୁଖ ସମ୍ପଦବେଳେ ପାଖରେ ନଥାଏ ବିପଦ ପଡିଲେ ସେଥିରୁ ଉଦ୍ଧାର କରିବାକୁ ଆଗଭର ହୋଇଥାଏ । ନିଃସ୍ୱାର୍ଥପର ବନ୍ଧୁତା ଏକ ଦୁର୍ଲ୍ଲଭ ଏବଂ ସ୍ୱର୍ଗୀୟ ଗୁଣ ଅଟେ ।