ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶୁଣା କଥାକୁ ବି ବିଶ୍ୱାସ କରାଯାଏ

 ଜଣେ ବିଦ୍ୱାନ ପଣ୍ଡିତ ଥିଲେ । ସେହି ବିଦ୍ୱାନ ପଣ୍ଡିତଙ୍କର ଜଣେ ମୂର୍ଖ ଚାକର ଥିଲା । ଦିନେ ପଣ୍ଡିତଙ୍କ ଘରୁ ପଣ୍ଡିତିଆଣିଙ୍କର ଗୋଟିଏ ମାଳି କିଏ ନେଇଗଲା । ମୂର୍ଖ ଚାକରଟି ଯାଇ ପଣ୍ଡିତଙ୍କ ଆଗରେ ପହଁଚି କହିଲା – “ଆଜ୍ଞା ପଣ୍ଡିତିଆଣିଙ୍କର ମାଳିଟିକୁ କୌଣସି ଚୋର ନେଇ ଯାଇଛି ।” ଏକଥା ଶୁଣି ପଣ୍ଡିତେ କହିଲେ – “ନାଇଁ ନାଇଁ ନିଜ ଆଖିରେ ନଦେଖି କାହାକୁ ଚୋର କହିବା ଠିକ୍ ନୁହେଁ ।” ଶାସ୍ତ୍ରରେ ପରା ଲେଖାଅଛି – “ଯାହା ନଦେଖିବ ବେନି ନୟନେ ପରତେ ନଯିବ ଗୁରୁ ବଚନେ ।” ମୋର ଯେତେଦୂର ବିଶ୍ୱାସ ଆମ ଘରେ ଯେଉଁ ମୂଷାମାନେ ରହୁଛନ୍ତି ସେଇମାନଙ୍କର ମଧ୍ୟରୁ କିଏ ଗୋଟେ ଆସି ପଣ୍ଡିତିଆଣିଙ୍କର ମାଳିଟା ନେଇ ଯାଇଛି ।”

        ଏକଥା ଶୁଣି ମୂର୍ଖ ଚାକର ଚୁପ୍ ରହିଲା । ଆଉ ଦିନେ ପଣ୍ଡିତଙ୍କ ପେଡିରୁ ତାଙ୍କର ନୋଳି ହଳଟା କିଏ ନେଇଗଲା । ମୂର୍ଖ ଚାକର ପଣ୍ଡିତଙ୍କୁ ସେଇକଥା ଜଣାଇବାକୁ ଯାଇ କହିଲା – “ଆଜ୍ଞା ! ନୋଳି ହଳଟା ଚୋର ନେଇଗଲା ।”

        ପଣ୍ଡିତେ ପୁଣି ସେଇ କଥା କହିଲେ, ନାହିଁ ନାହିଁ ଆଖିରେ ନଦେଖି ଚୋର ନେଇଛି ବୋଲି କହିବା ଠିକ୍ ହେବ ନାହିଁ । ମୂର୍ଖ ଚାକର ପଣ୍ଡିତଙ୍କ ଠାରୁ ଏକଥା ଶୁଣି ପୂର୍ବ ପରି ଚୁପ୍ ରହିଲା ।

        ଏମିତି କିଛି ଦିନ ଗଲାପରେ ଆଉଦିନେ ପଣ୍ଡିତଙ୍କ ଘରୁ ସବୁଯାକ ଟଙ୍କା-ପଇସା ଆଉ ସୁନା-ରୂପା ଯାହା ସବୁ ଥିଲା ତାକୁ କିଏ ନେଇଗଲା । ମୂର୍ଖ ଚାକର ପୁଣି ଯାଇ ପଣ୍ଡିତଙ୍କ ଆଗରେ ଚୋରର ନାଆଁ କହିଲା । ମାତ୍ର ସବୁଥର ପରି ପଣ୍ଡିତେ ଟିକେ ରାଗିଯାଇ କହିଲେ – ଆରେ ମୂର୍ଖ ! ତତେ ପରା ଥରେ କହିଥିଲି ଆଖିରେ ନଦେଖିବା କଥାକୁ ମୋଟେ ବିଶ୍ୱାସ କରିବୁ ନାହିଁ । ତୁ ତ ନିଜ ଆଖିରେ ଦେଖିନୁ ଚୋର ଚୋରି କଲାବେଳେ, ତେଣୁ କାହାକୁ ଅଯଥାରେ ଦୋଷ ଦେବା                କାହିଁକି? ସୁନା-ରୂପା, ଟଙ୍କା-ପଇସା ସବୁ ବୋଧହୁଏ ମୂଷା ତା’ ଗାତକୁ ବୋହି ନେଇ ଯାଇଛି । ମୂର୍ଖ ଚାକର ପଣ୍ଡିତଙ୍କ ମୁହଁରୁ ଏକଥା ଶୁଣି ପୂର୍ବପରି ଚୁପ୍ ରହିଲା ।

        ଏମିତି କିଛି ଦିନ ଗଲାପରେ ଆଉ ଦିନେ ପଣ୍ଡିତଙ୍କର ବାସନ କୁସନ, ଗରା, ନୋଟା, ବାଲ୍ଟି ଇତ୍ୟାଦି କିଏ ନେଇଗଲା । ମୂର୍ଖ ଚାକର ପଣ୍ଡିତଙ୍କ ଆଗରେ ଏକଥା କହିବାରୁ ପଣ୍ଡିତେ କହିଲେ – “ସେଇ ମୂଷାମାନେ ନେଇଯାଇଥିବେ ।” ଚାକର ବିନୀତ ଭାବରେ ହାତଯୋଡି କହିଲା – ଆଜ୍ଞା କଂସା ବାସନ ବାଲ୍ଟି ଭଳି ଏତେ ବଡ ବଡ ଭାରି ଜିନିଷକୁ ମୂଷା କେମିତି ତା’ ଗାତକୁ ନେଇଯିବ? ଦେଖନ୍ତୁ ଶାସ୍ତ୍ର କଥା ନମାନି ବେଳେବେଳେ ଶୁଣା କଥାକୁବି ବିଶ୍ୱାସ କରାଯାଏ ।

        ଆପଣଙ୍କ ଶାସ୍ତ୍ର ଅନୁସାରେ ଆପଣ ତ ଆପଣଙ୍କ ଜେଜେ ବାପାଙ୍କୁ ଦେଖି ନାହାଁନ୍ତି, ତେବେ କ’ଣ ଆପଣଙ୍କର କୌଣସି ଜେଜେବାପା ନଥିଲେ? ତେବେ ଆପଣଙ୍କର ବାପା କେମିତି ଜନ୍ମ ହୋଇଥିଲେ । ଆପଣ ଆପଣଙ୍କ ପିଠିକିତ ଦେଖି ନାହାଁନ୍ତି ତେବେ କ’ଣ ଆପଣଙ୍କର ପିଠି ନାହିଁ?

        ପଣ୍ଡିତଙ୍କର ଚେତା ପଶିଲା । ସେ ମନେ ମନେ ଚିନ୍ତା କଲେ ଚାକର ଯାହା କହୁଛି ସତ କଥା ତ । ବେଳେବେଳେ ନ ଦେଖିଥିବା କଥାକୁ ମଧ୍ୟ ବିଶ୍ୱାସ କରିବା କଥା । ନହେଲେ ବିପଦରେ ପଡିବା ନିଶ୍ଚିତ । ଚାକରକୁ କହିଲେ – ଚାଆଲେ ଯିବା ଥାନାକୁ ।

        ପଣ୍ଡିତେ ଚାକରକୁ ନେଇ ଥାନାକୁ ଗଲେ । ଥାନାରୁ ପୋଲିସ୍ ଆସି ଚୋରର ଘର ଖାନ୍ତଲାସ୍ କରି ପଣ୍ଡିତଙ୍କର ସବୁଯାକ ଜିନିଷ ଚୋର ଘରୁ ଜବତ କଲେ । ବେଳେବେଳେ ନଦେଖିଲା କଥାକୁ ମଧ୍ୟ ବିଶ୍ୱାସ କରିବା ଉଚିତ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ